କଟକଣା ବେଳେ ପୁଅଜିଉନ୍ତିଆ ପାଳନକୁ ନେଇ ମାଙ୍କ ମନରେ ଦ୍ବନ୍ଦ 

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ଗାଁ ଠାରୁ ସହର ପର୍ଯ୍ୟନ୍ତ ପାଳିତ ହୁଏ ପୁଅ ଜୁଇନ୍ତିଆ ବା ଦୁତିବାହନ ଉଷା। ମାଁମାନେ ପୁଅ ମାନଙ୍କର ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଦିନ ତମାମ ନିର୍ଜଳା ଉପବାସ ପରେ ରାତ୍ରରେ ଗାଁ ଦାଣ୍ଡରେ ଏହି ପୂଜା ସାମୁହିକ ଭାବରେ ହୋଇଥାଏ। ମହିଳା ମାନେ ଏକତ୍ରିତ ହୋଇ ଏହି ପୂଜା କରିଥାନ୍ତି। ସହରରେ ମଧ୍ୟ ରାସ୍ତା କଡ଼ରେ, ଘର ଅଗଣାରେ କିମ୍ବା ମନ୍ଦିର ସମ୍ମୁଖରେ ମହିଳା ମାନେ ଏକତ୍ରିତ ହୋଇ ଏହିପୂଜା କରିଥାନ୍ତି। ଗାତ ଖୋଳି ସେଥିରେ ପାଣି ଭର୍ତ୍ତି କରି ପାଣିରେ ଜିଆଁ ମାଛ ଛାଡ଼ି ସେଠାରେ ଲିଙ୍ଗ ସ୍ଥାପନା ପୂର୍ବକ ଏହି ବ୍ରତ କଥା ପାଠ କରାଯାଇଥାଏ। ଏଥିରେ ଦୁବ ଠାରୁ ଆରମ୍ଭ କରି ସମସ୍ତ ପୂଜା ସାମଗ୍ରୀ ସହିତ ଅନେକ ପ୍ରକାର ଫଳମୂଳ ଓ ପରିବା ଲାଗି ହୋଇଥାଏ। ମାଁ ମାନେ ପରଦିନ ସକାଳୁ ଉଠି ଗାଧୋଇବା ପରେ ପୁଅମାନଙ୍କୁ ରାତ୍ରରେ ପୂଜା ହୋଇଥିବା ଦୁବ ଛୁଆଁଇ ବା ପରେ ପ୍ରସାଦ ସେବ କରିଥାନ୍ତି। ତେବେ ଚଳିତ ବର୍ଷ କରୋନା ମହାମାରୀ ସବୁ ପର୍ବ ପର୍ବାଣିକୁ ଫିକା କରି ଦେଇଛି। ସାମୁହିକ ପୂଜାବିଧି ଉପରେ ମଧ୍ୟ କଟକଣା ରହିଛି। ଫଳରେ ମାମାନେ ପୁଅଜୀଉନ୍ତିଆ ପାଳନକୁ ନେଇ ଦ୍ବନ୍ଦରେ ।
 
ସେମାନେ କୁହନ୍ତି…….
 
ଅନେକଙ୍କ  ସହ ବର୍ଷରେ ଥରେ ଏହି ଅବସରରେ ଭେଟ ହେଉଥିଲା
 କରୋନା ଯୋଗୁଁ ଜୀବନର ପ୍ରତିଟି କ୍ଷେତ୍ର ପରି ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ପୁଅ ଜିଉଁତିଆ ପର୍ବ ପାଳନ ହେବାକୁ ଯାଉଛି। ପୂର୍ବ ବର୍ଷ ମାନଙ୍କରେ ଆଖପାଖର ମହିଳାମାନେ ଏକତ୍ରିତ ହୋଇ ମନ୍ଦିର ଦାଣ୍ଡରେ ଦୂତୀବାହନ ଓଷା କରୁଥିଲେ। ଏଥିରେ ଅନ୍ୟ ଭାଷାଭାଷୀର ମହିଳାମାନେ ମଧ୍ୟ ଭାଗ ନେଉଥିଲେ। ଅନେକଙ୍କ  ସହ ବର୍ଷରେ ଥରେ ଏହି ଅବସରରେ ଭେଟ ହେଉଥିଲା। ପୁଅ ଜିଉଁତିଆ ଆସିଲେ ମନ ଖୁସି ହୋଇ ଯାଉଥିଲା। ଏବର୍ଷ କରୋନା କଟକଣା ଯୋଗୁଁ ନିଜନିଜ ଘରେ ପୂଜା କରିବାକୁ ପଡିବ। ତେଣୁ ମନରେ ଆଗଭଳି ଉତ୍ସାହ ନାହିଁ। ତଥାପି ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ପୂଜାର୍ଚ୍ଚନା କରି ପରମ୍ପରାକୁ ନିର୍ବାହ କରିବୁ। (ଭାନୁମତୀ ପତି, ହଟଲିପଡ଼ା)
 
କରୋନାମୁକ୍ତ ବିଶ୍ୱପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା
ଅଦୃଷ୍ଟ ଭୂତାଣୁ କରୋନା ଆଜି  ସାରା ବିଶ୍ୱରେ ଆତଙ୍କ ଖେଳାଇ ମଣିଷର ଜୀବନଯାତ୍ରାକୁ ଦୋହଲାଇ ଦେଇଛି । ଅନେକ ପର୍ବ ପର୍ବାଣି ଇତିମଧ୍ୟରେ ଉଲ୍ଲାସ ବିହୀନ ହୋଇ ପାଳିତ ହୋଇଛି । ଆସିଛି ପଶ୍ଚିମ ଓଡିଶାର ପୁଅଜୁଇନ୍ତିଆ ଓଷା । ପୁଅ ଝିଅମାନଙ୍କର ମଙ୍ଗଳ ମନାସି ଉପବାସ କରି ମାଆମାନେ ଏକାସାଂଗରେ  ଦୁତିବାହାନଙ୍କୁ ପୂଜା କରନ୍ତି ।  କିନ୍ତୁ ଏବର୍ଷ କରୋନା କଟକଣା ସମସ୍ତେ ମିଶିକରି ପୂଜା କରିପାରିବେନି, ମନରେ ତ ଦୁଃଖ ଅଛି, କିନ୍ତୁ ସୁସ୍ଥ  ସମାଜ ପାଇଁ ଆମେ  ସରକାରଙ୍କ ନିୟମ ମାନି ଘରେ ରହି ପୂଜା କରିବା ଏବଂ କରୋନାମୁକ୍ତ ବିଶ୍ୱପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଆଗାମୀ ଦିନରେ ସମସ୍ତଙ୍କ ଜୀବନ ଉଲ୍ଲାସମୟ ହେଉ । ବିଶ୍ୱ ମଧୁମୟ ହେଉ । (ଅଧ୍ୟାପିକା ମନ୍ଦାକିନୀ ଶତପଥୀ, ଝାରସୁଗୁଡ଼ା) 
 
 ଏକାଠି ହେବା ଦ୍ଵାରା ଆମେ ପରସ୍ପର ପାଇଁ ବିପଦ ଡାକି ଆଣିବା
 ବର୍ତ୍ତମାନ ପରିସ୍ଥିତିରେ କରୋନା ଭୂତାଣୁ ଯେଉଁ ଜୀବନ ମରଣର ସମସ୍ୟା ସୃଷ୍ଟି କରିଛି, ସେଇ ପରିପ୍ରେକ୍ଷୀରେ ମନ୍ଦିରରେ ଠାକୁର ଦର୍ଶନ ହେଉ ଅଥବା କୌଣସି ସ୍ଥାନରେ ଏକାଠି ହୋଇ ଉତ୍ସବ ପାଳନ ବା ପୂଜା କରିବା ପାଇଁ କଟକଣା କରାଯାଇଛି। ଏହା ଆମ ସମସ୍ତଙ୍କର ମଙ୍ଗଳ ପାଇଁ କରା ଯାଇଛି। ଏକାଠି ହେବା ଦ୍ଵାରା ଆମେ ପରସ୍ପର ପାଇଁ ବିପଦ ଡାକି ଆଣିବା। ପୁଅ ଜୀଉନ୍ତିଆ ଉଷା କରିବା ପଛରେ ଯେଉଁ ଉଦ୍ଦେଶ୍ୟ ହେଉଛି ତାହା ହେଲା ସନ୍ତାନର ମଙ୍ଗଳ କାମନା କରି ଦୁତିବାହନଙ୍କୁ ଆବାହନ କରିବା। ଆମେ ମା’ ମାନେ ଯଦି ଏକାଠି ହୋଇ ପୂଜା କରିବା ଓ ଦୁର୍ଭାଗ୍ୟ ବଶତଃ କାରୋନା ଦ୍ଵାରା ସଂକ୍ରମିତ ହେବା, ତେବେ ନିଜ ଘରକୁ ଶତ୍ରୁକୁ ଡାକି ଆଣିବା। ଏତଦ୍ୱାରା ଆମ ପୁଅ ଝିଅ ସଂକ୍ରମିତ ହେବାର ଆଶଙ୍କା ରହିବ। ତେଣୁ ମୋ ମତରେ ଏବର୍ଷ ଆମେ ନିଜ ନିଜ ଘରେ ଦୁତିବାହନଙ୍କୁ ଆବାହନ କରି ଆମ ନିଜର ତଥା ସମସ୍ତ ସନ୍ତାନମାନଙ୍କର ମଙ୍ଗଳ କାମନା କରିପାରିବା। ଈଶ୍ଵର ଏ ଭୟଙ୍କର ବିତ୍ପାତରୁ ଆମ୍ଭମାନଙ୍କୁ ଘନ୍ଟଘୋଡାଇ ରଖିଲେ ଆସନ୍ତା ବର୍ଷ ସଭିଏଁ ଏକାଠି ହୋଇ ଶଙ୍ଖ ଘଣ୍ଟ ବଜାଇ ପୂଜା କରିବା। ( ଅଧ୍ୟାପିକା ସ୍ବର୍ଣ୍ଣମୟୀ ପୁରୋହିତ, ଏଲ୍‌ଏନ୍‌ କଲେଜ, ଝାରସୁଗୁଡ଼ା) 
 
କୌଣସି ପରିସ୍ଥିତି ଆମ ପ୍ରଥା ପରମ୍ପରାକୁ  ବନ୍ଦ କରିପାରିବା ନାହିଁ
 ସତଶକ୍ତି ର ଉପାସନା ଦ୍ୱାରା ଅନେକ ବଡ଼ ବଡ଼ ବିପତ୍ତି ଦୂର ହୋଇଥାଏ। କୌଣସି ପରିସ୍ଥିତି ଆମ ପ୍ରଥା ପରମ୍ପରାକୁ  ବନ୍ଦ କରିପାରିବା ନାହିଁ। ତେଣୁ କରୋନା ମହାମାରୀ ପାଇଁ ଭୟ କିମ୍ବା ଦ୍ୱନ୍ଦ ନ ରଖି ଉପଯୁକ୍ତ ନିୟମ ପାଳନ କରି ପୁଅଜୀଉତିଆ ପୂଜା କରିବା। ଗୋଟିଏ ସ୍ଥାନ ରେ ବହୁ ମହିଳା ଏକତ୍ରୀତ ନହୋଇ  ଅଲଗା  ଅଲଗା ସ୍ଥାନରେ ଅଳ୍ପ ସଂଖ୍ୟାରେ ମହିଳା ମାନେ ସାମାଜିକ ଦୂରତା ବଜାୟ ରଖି  ମୁହଁରେ ମାସ୍କ ଲଗାଇ ଏହି ପୂଜା କରି ପାରିବା ବୋଲି ମୋର ବିଶ୍ବାସ।  ଦୀପ, ଧୂପ, ଘଣ୍ଟ, ହୁଳହୁଳି ର ଧ୍ୱନି ରେ କରୋନା ମହାମାରୀ ପରାଜୟ ହେଉ ଏହା ହିଁ ଈଶ୍ୱରଙ୍କ ଠାରେ ମୋର ପ୍ରାର୍ଥନା । ( ସୁଜାତା ମିଶ୍ର, ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା, ଏଇତ ଜୀବନ, ସରବାହାଲ )   
 
ସରକାରଙ୍କର ସମସ୍ତ ନୀତି ନିୟମ ମାନି ପୂଜା କରିବୁ
 ପୁଅ ଜିଉନ୍ତିଆ ହେଉଛି ଏପରି ଏକ ଓଷା ଯେଉଁଥିରେ ମାଁ ମାନେ ନିଜର ପୁଅ ଝିଅ ମାନଙ୍କର ସୁସ୍ଥ ଓ ଦୀର୍ଘାୟୁ ଜୀବନ ଏବଂ ସକଳ ମଙ୍ଗଲ କାମନା କରି ଭଗବାନ ଦୂତିବାହାନଙ୍କର ନିକଟରେ ପ୍ରାର୍ଥନା କରିଥାନ୍ତି। ଏହା ହେଉଛି ଶ୍ରଦ୍ଧା ଏବଂ ବିଶ୍ବାସର ପୂଜା, ପୂଜାର ସମସ୍ତ ନିତିନିୟମ ନମାନି ପୂଜା କଲେ ମନରେ ଅବଶୋଷ ରହିଯିବ। ତେଣୁ ଯେହେତୁ ଏହା ଆମ୍ଭେମାନେ ପ୍ରତିବର୍ଷ ଗାଁରେ ସମସ୍ତେ ମିଶି ପାଳନ କରି ଆସିଅଛୁ। ଏହି ବର୍ଷ ବି ନିଶ୍ଚୟ ପାଳନ କରିବୁ ସରକାରଙ୍କର ସମସ୍ତ ନୀତି ନିୟମ ମାନି, ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷାକରି ପାଳନ କରିବୁ। ( ଧରିତ୍ରୀ ପଟେଲ, ହଂସାମୂରା. କଟାପାଲି, ଝାରସୁଗୁଡ଼ା) 
 
 କରୋନାକୁ ଦୂରେଇ ସାରା ଜଗତର ପୁଅ ମାନଙ୍କୁ ରକ୍ଷା କରିବା
 କରୋନା ମହାମାରୀ ଯୋଗୁଁ  ସବୁ ପର୍ବ ପର୍ବାଣି  ଏବେ ବନ୍ଦ ହୋଇ ଯାଉଛି । ଏକଥା ସତ ଯେ,  ପୁଅଜୀଉନ୍ତିଆ ରେ ଆମେ ସଂଗଠିତ ହୋଇ ପୂଜା କରୁଥିଲେ।  ଏବେ କରୋନା ଦୃତ ସଂକ୍ରମଣ ଆଡ଼କୁ ଯାଉଥିବାରୁ ଏକତ୍ରିତ ନହୋଇ ଏକୁଟିଆ ଘରେ ପୂଜା କରିବା ଉଚିତ।  ଏକତ୍ରିତ ହେଲେ ପରସ୍ପର ସହିତ ସଂସ୍ପର୍ଶରେ ଆସିବା ସ୍ବାଭାବିକ ଯାହାକି ସଂକ୍ରମଣକୁ  ସୁହାଇବ। ତେଣୁ ଏଥିପ୍ରତି ମାଁ ମାନେହିଁ ସତର୍କତା ରହିବା ଓ କରୋନାକୁ ଦୂରେଇ ସାରା ଜଗତର ପୁଅ ମାନଙ୍କୁ ରକ୍ଷା କରିବା।  କରୋନା କଟକଣାକୁ ଜଣେ ସୁଗୃହିଣୀ  ଭାବରେ ମାନି ଏକତ୍ର ପୂଜା ନ କରି ନିଜ ନିଜ  ଗୃହରେ ପୂଜା ଉପାସନା କଲେ ଭଲ ହେବ। ( ରାଜଶ୍ରୀ ମେହେର, ମଧୁମୟ ସାହିତ୍ୟ ପରିଷଦ, ଝାରସୁଗୁଡ଼ା) 

ସମ୍ବନ୍ଧିତ ଖବର