ପବ୍ଲିକ୍ ଆଫାୟର୍ସ ଇଣ୍ଡେକ୍ସ ୨୦୨୧: ତଥାପି ଓଡ଼ିଶା ପଛରେ

ଅଭିବୃଦ୍ଧି, ସମତା ଏବଂ ନିରନ୍ତରତାରେ ବି ତଳେ, ଆଇସିଡିଏସ୍‌ରେ ପ୍ରଥମ, ମନରେଗାରେ ତୃତୀୟ

ଭୁବନେଶ୍ୱର : ସମନ୍ବିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌)ରେ ପ୍ରଥମ ବା ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା। ହେଲେ ଜାତୀୟ ସ୍ବାସ୍ଥ୍ୟ ମିସନରେ ଅଷ୍ଟମ, ମଧ୍ୟାହ୍ନ‌ ଭୋଜନ ଯୋଜନାରେ ୫ମ, ସମଗ୍ର ଶିକ୍ଷା ଅଭିଯାନରେ ଦ୍ବିତୀୟ ଏବଂ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ତୃତୀୟ ସ୍ଥାନରେ ରାଜ୍ୟ ରହିଛି। ହେଲେ, ସୁଶାସନ କ୍ଷେତ୍ରରେ ପଛୁଆପଣ ଜଳ ଜଳ। ଅଭିବୃଦ୍ଧି, ନିରନ୍ତର ବିକାଶ ଓ ସମତା ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଅନ୍ୟ ପଡ଼ୋଶୀ ବା ସମକକ୍ଷ ରାଜ୍ୟ ତୁଳନା ଆଦୌ ଉଲ୍ଲେଖନୀୟ ନୁହେଁ, ବରଂ ଖରାପ।

ବେଙ୍ଗାଲୁରୁ ସ୍ଥିତଲୋକ ବ୍ୟାପାର କେନ୍ଦ୍ର ଦ୍ବାରା ପ୍ରକାଶିତ ପବ୍ଲିକ୍ ଆଫାୟର୍ସ ଇଣ୍ଡେକ୍ସ ୨୦୨୧ ରିପୋର୍ଟ ଓଡ଼ିଶା ସଂପର୍କରେ ଏଭଳି ଚିତ୍ର ଆଙ୍କିଛି। ନିତି ଆୟୋଗ ପରେ ଏହି ସଂସ୍ଥାର ରିପୋର୍ଟ ବୁଦ୍ଧିଜୀବୀ ଓ ଅର୍ଥନୀତିଜ୍ଞମାନଙ୍କୁ ଆନ୍ଦୋଳିତ କଲାଣି। ସବୁଠାରୁ ବଡ କଥା ହେଲା, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ରିପୋର୍ଟ ସରକାରଙ୍କ ବିରୋଧରେ ଗର୍ଜିବା ଲାଗି ବିରୋଧୀଙ୍କୁ ଅସ୍ତ୍ର ବି ଧରାଇଛି।

ସାଧାରଣ ବ୍ୟାପାର ସୂଚକାଙ୍କ ହେଉଛି କେନ୍ଦ୍ର ସରକାରଙ୍କ ତଥ୍ୟ ଉପରେ ପର୍ଯ୍ୟବେସିତ ଢାଞ୍ଚା, ଯାହାକି ଶାସନର ମାନଦଣ୍ଡ ଜାଣିବା ପାଇଁ ୩ଟି ସ୍ତମ୍ଭ, ୫ଟି ବିଷୟ, ନିରନ୍ତର ବିକାଶ ଲକ୍ଷ୍ୟର ୧୪ଟି ପ୍ରସଙ୍ଗ ଏବଂ ୪୩ଟି ସୂଚୀକୁ ନେଇ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। ଯେଉଁ ତିନିଟି ସମ୍ଭକୁ ନିଆଯାଇଛି ‌ତାହା ହେଲା ବିକାଶ ବା ଅଭିବୃଦ୍ଧି, ସମତା ଏବଂ ନିରନ୍ତରତା। ସେହିଭଳି ଯେଉଁ ୫ଟି ବିଷୟକୁ ଏଥିରେ ନିଆଯାଇଛି ସେଗୁଡ଼ିକ ହେଉଛି ସ୍ବର ଏବଂ ଉତ୍ତରଦାୟିତ୍ବ, ସରକାରଙ୍କ ଫଳପ୍ରଦତା, ଆଇନକାନୁନ, ନିୟାମକ ମାନ ଏବଂ ଦୁର୍ନୀତି ନିୟନ୍ତ୍ରଣ। ଏଥିସହିତ ୧୪ଟି ନିରନ୍ତର ବିକାଶ ଲକ୍ଷ ଏବଂ ୪୩ଟି ସୂଚୀକୁ ନେଇ ରାଜ୍ୟଗୁଡ଼ିକର ରୢାଙ୍କ ପ୍ରସ୍ତୁତ କରାଯାଇଛି। ୨୦୨୦ ସୂଚୀ ତୁଳନାରେ ଏଥିରେ କିଛିଟା ପରିବର୍ତ୍ତନ ଅଣାଯାଇଛି। ଜନସଂଖ୍ୟା ଆଧାରରେ ରାଜ୍ୟଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ଏଥିରେ ବଡ଼ ରାଜ୍ୟ ବର୍ଗରେ ୧୮ଟି ରାଜ୍ୟ ରହିଛନ୍ତି, ଯେଉଁଥିରେ ରହିଛି ଓଡ଼ିଶା।

Odisha News Insight

ସମତା ସ୍ତମ୍ଭରେ ଓଡ଼ିଶାର ପ୍ରଦର୍ଶନ ଖରାପ ରହିଛି। ସବାତଳେ ଉତ୍ତର ପ୍ରଦେଶ ୧୮ତମ ସ୍ଥାନରେ ଥିବାବେଳେ ଏହା ଉପରକୁ ଓଡ଼ିଶା ୧୭ତମ ସ୍ଥାନରେ ରହିଛି। ଏପରିକି ଗତବର୍ଷ ତୁଳନାରେ ଓଡ଼ିଶା ଦୁଇଟି ପାହାଚ ତଳକୁ ଖସିଯାଇଛି। ୨୦୨୦ ସମତା ସମ୍ଭରେ ଓଡ଼ିଶା ୧୫ତମ ସ୍ଥାନରେ ରହିଥିଲା। କିନ୍ତୁ ଏ କ୍ଷେତ୍ରରେ ଚଳିତବର୍ଷ ଗୁଜରାଟ, କେରଳ ଓ ରାଜସ୍ଥାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ନିରନ୍ତର ବିକାଶ ସ୍ତମ୍ଭରେ ସଂସ୍ଥା ପରିବେଶ, ଅର୍ଥନୀତି ଏବଂ ଲୋକଙ୍କ ଉପରେ ସମ୍ବଳ ବ୍ୟବହାରର ପ୍ରଭାବକୁ ବିଶ୍ଳେଷଣ କରାଯାଇ ରୢାଙ୍କ ପ୍ରସ୍ତୁତ କରିଛି। ବୃହତ୍ ରାଜ୍ୟ ବର୍ଗରେ ଗତବର୍ଷ ତୁଳନାରେ ଚଳିତବର୍ଷ ଓଡ଼ିଶାର ଉନ୍ନତି ହୋଇଛି। ଗତବର୍ଷ ଓଡ଼ିଶା ‌ଏ କ୍ଷେତ୍ରରେ ୧୬ତମ ସ୍ଥାନରେ ରହିଥିବା ବେଳେ ଚଳିତବର୍ଷ ଏହା ୪ଟି ପାହାଚ ଉପରକୁ ଉଠି ୧୨ତମ ସ୍ଥାନରେ ରହିଛି।

ଉପରୋକ୍ତ ୩ଟି ସ୍ତମ୍ଭର ୧୨ଟି ପ୍ରମୁଖ ବିକାଶ ସୂଚୀକୁ ନେଇ ବର୍ଷକୁ ବର୍ଷ ରାଜ୍ୟଗୁଡ଼ିକର ଅଗ୍ରଗତି କ’ଣ ରହିଛି ତାହାର ଏକ ଡେଲ୍‌ଟା ବିଶ୍ଳେଷଣ କରାଯାଇଛି। ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ଓଡ଼ିଶା ଉକ୍ତ ରୢାଙ୍କରେ ଦ୍ବିତୀୟ ସ୍ଥାନରେ ରହିଛି। ଏଥିରେ ଛତିଶଗଡ଼ ପ୍ରଥମ ଏବଂ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଛି। ଡେଲ୍‌ଟା ସମତା ରୢାଙ୍କିଂ ଅନୁସାରେ କେବଳ ସମତା ବର୍ଗରେ ଛତିଶଗଡ଼ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନ‌ରେ ରହିଛି। ନିରନ୍ତରତା କ୍ଷେତ୍ରରେ ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁ, କେରଳ ଏବଂ ଓଡ଼ିଶାର ଡେଲ୍‌ଟା ସୂଚୀ ଉନ୍ନତି ସର୍ବାଧିକ ହୋଇଛି। ଏଥିସହିତ ବିଗତ ବର୍ଷ ତୁଳନାରେ ଚଳିତବର୍ଷ ୧୨ଟି ପ୍ରମୁଖ ବିକାଶ ସୂଚୀରେ ଓଡ଼ିଶା ଓ ନାଗାଲାଣ୍ଡର ପ୍ରଦର୍ଶନ ସର୍ବୋତ୍କୃ‌ଷ୍ଟ ରହିଛି।

ଏହାବ୍ୟତୀତ ରିପୋର୍ଟରେ ରାଜ୍ୟଗୁଡ଼ିକୁ ନେଇ ଏକ ମୋଟାମୋଟି ୩ଟି କମ୍ପୋଜିଟ୍ କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ପ୍ରଥମ ଏବଂ ଦ୍ବିତୀୟ କ୍ଲଷ୍ଟର ବର୍ଗରେ ଥିବା ରାଜ୍ୟ ତୁଳନାରେ ତୃତୀୟ କ୍ଲ‌ଷ୍ଟର ରାଜ୍ୟଗୁଡ଼ିକର ପ୍ରଦର୍ଶନ ବିଭିନ୍ନ ‌ଯୋଜନାରେ ଜାତୀୟ ହାରଠାରୁ ଖରାପ ରହିଛି। ସେହିରାଜ୍ୟଗୁଡ଼ିକ ହେଲା ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ। ଅଭିବୃଦ୍ଧି ସମ୍ଭରେ ଏସବୁ ରାଜ୍ୟର ପ୍ରଦର୍ଶନ ମଧ୍ୟମ ଧରଣର ରହିଥିବାବେଳେ ସମତା ଏବଂ ନିରନ୍ତରତା ସ୍ତମ୍ଭରେ ପ୍ରଦର୍ଶନ ହାରାହାରି ତୁଳନାରେ କମ୍ ରହିଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ନିତି ଆୟୋଗ ପକ୍ଷରୁ ଚିହ୍ନଟ ହୋଇଥିବା ୧୧୨ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୫୭ଟି ଜିଲ୍ଲା ବା ୫୦.୮ ପ୍ରତିଶତ ଉପରୋକ୍ତ ୬ଟି ରାଜ୍ୟରେ ରହିଛି।

ସମ୍ବନ୍ଧିତ ଖବର