ଦିଗପହଣ୍ଡିରେ ପିଲାଚୋର ଭାବି ପୁଲିସକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଦିଗପହଣ୍ଡି :  ପିଲାଚୋର ଭାବି ପୁଲିସକୁ ନିସ୍ତୁକ ପିଟିଲେ ଗ୍ରାମବାସୀ । ଏପରି ଏକ  ଅଭାବନୀୟ ଘଟଣା ଘଟିଛି ଦିଗପହଣ୍ଡି ନିକଟ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ । ତେଲେଙ୍ଗାନା ପୁଲିସ ସାଦା ପୋଷାକରେ ଆସି ଜଣେ ଅଭିଯୁକ୍ତର ଭାଇକୁ ଉଠାଇ ନେଉଥିବା ବେଳେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୭ଜଣ ପୁଲିସ ଦୁଇଟି ଇନୋଭା କାରରେ ଡେଙ୍ଗାଡି ଗ୍ରାମକୁ ଆସିଥିଲେ । ଡକାୟତି ଅଭିଯୁକ୍ତ ମନୋଜ ସ୍ୱାଇଁଙ୍କୁ ସାଙ୍ଗରେ ଆଣି ତେଲେଙ୍ଗାନା ପୁଲିସ ଘର ତଲାସୀ କରିବା ସହ ତାଙ୍କ ଭାଇକୁ ଉଠାଇ ନେଉଥିଲେ।

ଏହି ସମୟରେ ଅଭିଯୁକ୍ତର ମା ମୋ ପୁଅକୁ ଚୋର ନେଉଛି ରକ୍ଷା କର ବୋଲି ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଁ ଲୋକେ ପିଲାଚୋର ଭାବି ତେଲେଙ୍ଗାନା ପୁଲିସକୁ ଘେରିଯାଇ ନିର୍ଧୁମ ପିଟିଥିଲେ। ଆମେ ପୁଲିସ କହି ତେଲେଙ୍ଗାନା ପୁଲିସ ନିଜ ଆଇକାର୍ଡ ଦେଖାଇ ଥିଲେ ମଧ୍ୟ କେହି ବିଶ୍ୱାସ କରିନଥିଲେ । ଓଲଟା ଜାଲ୍ କାର୍ଡ  ଦେଖାଉଛ କହି ଆହୁରି ବାଡେଇଥିଲେ । ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ତେଲେଙ୍ଗାନା ପୁଲିସକୁ ଉଦ୍ଧାର କରିଥିଲେ । ଏଥିସହ ଅଭିଯୁକ୍ତର ଭାଇ ଓ ବାପାକୁ ଘରୁ ଉଠାଇ ଆଣିଛନ୍ତି।

ଅଭିଯୁକ୍ତ ମନୋଜ ସ୍ୱାଇଁ ହାଇଦ୍ରାବାଦରେ କାମ କରିବାକୁ ଯାଇ ସେଠାରେ ମାଉଜର ଦେଖାଇ ଜଣଙ୍କ ଘରୁ ସୁନା ଓ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା। ତେଲେଙ୍ଗାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାକୁ ସାଙ୍ଗରେ ଆଣି ଡେଙ୍ଗାଡି ଗାଁରେ ଥିବା ତା ଘରକୁ ତଲାସୀ କରିିଥିଲେ। ତଲାସୀ ପରେ ଅଭିଯୁକ୍ତର ଭାଇକୁ ତେଲେଙ୍ଗାନା ପୁଲିସ ଉଠାଇ ନେବା ବେଳେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର