ଭୁବନେଶ୍ବର: ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍(ଯୋଜନାଭିତ୍ତିକ) ପ୍ରଥା ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକଙ୍କ ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା ଏବଂ ବିଦ୍ୟାଳୟରେ ଖାଲି ପଡ଼ିଥିବା ୪୪ ହଜାର ଶିକ୍ଷକ ପଦବି ପୂରଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ଏପ୍ରିଲ ମାସରେ ଅନୁଷ୍ଠିତ ବୈଠକ ଆଧାରରେ ଅଗଷ୍ଟ ୨ ତାରିଖରେ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା। ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଯୁଗାନ୍ତକାରୀ ବୋଲି ଶାସକ ଦଳର ସଦସ୍ୟମାନେ ମତପ୍ରକାଶ କରିଥିଲେ। ମାତ୍ର ଦିନ କେଇଟା ଯାଇଛି କି ନାହିଁ ବିଭାଗ ନିଷ୍ପତ୍ତି ବଦଳାଇଛି। ବିଭାଗୀୟ ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଆଜି ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ଲେଖି ଅଗଷ୍ଟ ୨ରେ ଜାରି ହୋଇଥିବା ଚିଠିକୁ ପ୍ରତ୍ୟାହାର କରି ନିଆଗଲା ବୋଲି ଦର୍ଶାଇଛନ୍ତି। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ତାହା ଅନୁମୋଦିତ ହୋଇ ନ ଥିବାରୁ ତାହାକୁ ପ୍ରତ୍ୟାହାର କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବାକୁ ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।
ହଠାତ୍ ଚିଠି ପ୍ରତ୍ୟାହାର ନିଷ୍ପତ୍ତିକୁ ଶିକ୍ଷକ ସଂଘଗୁଡ଼ିକ ଗ୍ରହଣ କରିପାରି ନାହାନ୍ତି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ଚିଠି ପ୍ରତ୍ୟାହାର ହୋଇଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଶିକ୍ଷକମାନଙ୍କର ଯେପରି ଦାୟିତ୍ୱ ରହିଛି, ଶିକ୍ଷକଙ୍କ ପ୍ରତି ଗଣଶିକ୍ଷା ବିଭାଗର ଦାୟିତ୍ବ ରହିବା ଉଚିତ୍। ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ୬ ବର୍ଷର ଚୁକ୍ତି କର୍ଯ୍ୟକାଳକୁ ନୋସନାଲ ଇନ୍କ୍ରିମେଣ୍ଟ ମୂଳ ଚାକିରିରେ ଗଣନା, ଲେବୁଲ୍ ଭି-ଏ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଓ ପ୍ରାଥମିକ ଶିକ୍ଷକ ପଦବି ବୃଦ୍ଧି ପ୍ରସ୍ତାବକୁ ପୁନର୍ବାର ଦେଇ ତୁରନ୍ତ ପୂରଣ କରାଯାଉ। ନ ହେଲେ ଆଗାମୀ ବିଧାନସଭା ଅଧିବେଶନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଟୁଲୁ ଦେଇ, ବିରୁପାକ୍ଷ ସେଠୀ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଓଡ଼ିଶା ମିଳିତ ସରକାରୀ କର୍ମଚାରୀ ମହାସଂଘ ସଭାପତି ବିଜୟ ମଲ୍ଲ କହିଛନ୍ତି, ଗଣଶିକ୍ଷା ବିଭାଗରେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ ସହ ୨୦୦୧ରୁ ପ୍ରାଥମିକ ଶିକ୍ଷାରେ ନିଯୁକ୍ତ ଶିକ୍ଷକଙ୍କ କ୍ଷେତ୍ରରେ ଚୁକ୍ତିଭିତ୍ତିକ ସମୟକୁ ନିୟମିତ ନିଯୁକ୍ତି କ୍ଷେତ୍ରରେ ଗଣନା କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ହଠାତ୍ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଥିବାରୁ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ପ୍ରତିଫଳନ ହୋଇଛି। ସମସ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ଜାତୀୟ ଶିକ୍ଷା ନୀତିକୁ ରାଜ୍ୟ ସରକାର ଲାଗୁ କରୁଥିବା ବେଳେ ପ୍ରାଥମିକ ଶିକ୍ଷା ନିଯୁକ୍ତିରେ ପୁନର୍ବାର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ମହାସଂଘ ଦୃଢ ବିରୋଧ କରୁଛି। ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ପ୍ରାଥମିକ ଶିକ୍ଷାରେ ନିୟମିତ ନିଯୁକ୍ତି ଲାଗୁ କରିବା ନିମନ୍ତେ ଘୋଷଣା କରନ୍ତୁ।