ଭୁବନେଶ୍ବର: ରାଜ୍ୟରେ ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଘରକୁ ଘର ବୁଲି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ସର୍ଭେ ପରେ ଏବେ ସା‌ରା ରାଜ୍ୟରେ ‘ଆସ ସ୍କୁଲ ଯିବା’ ଅଭିଯାନ ‌କରାଯିବ। ଯେଉଁଥିରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ଆଦୌ ବିଦ୍ୟାଳୟ ଯାଇ ନ ଥିବା ପିଲାଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇବା, ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲାଙ୍କ ପାଠପଢ଼ାକୁ ଜାରି ରଖିବା ଓ ପୁନର୍ବାର ପାଠପଢ଼ା ନ ଛାଡ଼ିବାକୁ ଆବଶ୍ୟକ ପଦକ୍ଷେପ ଏବଂ ପିଲାଙ୍କ ମଧ୍ୟରେ ଶିକ୍ଷଣ ଫଳାଫଳର ସ୍ତରକୁ ଅଭିବୃଦ୍ଧି ଓ ଶିକ୍ଷଣ ବ୍ୟବଧାନକୁ ହ୍ରାସ କରିବାକୁ ପ୍ରାଥମିକତା ଦିଆଯିବ। ଗୃହ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ପ୍ରତି ବିଦ୍ୟାଳୟକୁ ପାଠ ଛାଡ଼ିଥିବା ଏବଂ ଆଦୌ ନାମ ଲେଖାଇ ନ ଥିବା ପିଲାଙ୍କ ତାଲିକା ଦିଆଯିବ। ତଥ୍ୟ ଆଧାରରେ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଘର ବୁଲି ଚିହ୍ନଟ ହୋଇଥିବା ପିଲା ଓ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାକୁ ପରାମର୍ଶ ଦେବେ।
Advertisment
ଡ୍ରପ୍‌ଆଉଟ୍‌ ରୋକିବାକୁ ଗଣଶିକ୍ଷା ବିଭାଗର ପଦକ୍ଷେପ
୧୯,୩୬୮ ସ୍କୁଲରେ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍‌
‘ଆସ ସ୍କୁଲ ଯିବା’ ଅଭିଯାନ, ସେପ୍ଟେମ୍ବର ୧ରୁ ‘ସ୍ବଚ୍ଛତା ପକ୍ଷ’
‘ଶିକ୍ଷା ସଭା’ ଓ ‘ପଦଯାତ୍ରା’ ସମ୍ପର୍କରେ ଅଭିଭାବକଙ୍କୁ ଜଣାଇବେ ଏବଂ ବିଦ୍ୟାଳୟ ସ୍ତରରେ ଏକ ‘ଗୃହ ପରିଦର୍ଶନ ତଥ୍ୟ ପୁସ୍ତିକା’ ଉପଲବ୍ଧ କରାଯିବ। ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ପାଠ ଛାଡ଼ିବାର କାରଣ ଓ ପ୍ରଭାବ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ, ପୂର୍ବତନ ଛାତ୍ର, ଶିକ୍ଷାବିତ୍‌, ସରକାରୀ ଅଧିକାରୀଙ୍କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ସୁବିଧା ସୁଯୋଗ ବିଷୟରେ ଜଣାଯିବ। ପରାମର୍ଶ ପରେ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପ୍ରଶଂସାପତ୍ର ଦିଆଯିବ। ପିଲାଙ୍କୁ ନିୟମିତ ବିଦ୍ୟାଳୟ ପଠାଇବାକୁ ପିତାମାତାଙ୍କୁ ଶପଥ ପାଠ କରାଯିବ। ପ୍ରତି ବିଦ୍ୟାଳୟରେ ପଦଯାତ୍ରା କରାଯିବ। ପ୍ରତି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏକ ନିର୍ଦ୍ଦିଷ୍ଟ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ‘ଶିକ୍ଷା ସଭା’ ଆୟୋଜନ କରି ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗୋଷ୍ଠୀ ପ୍ରତିନିଧି, ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ସହଯୋଗୀ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ନିମନ୍ତ୍ରିତ କରିବେ। ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ଅଭିଭାବକଙ୍କୁ ଉତ୍ସାହିତ କରାଯିବ।
ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପଢ଼ୁଥିବା ଛାତ୍ରୀଙ୍କ ମାସିକ ଋତୁସ୍ରାବଜନିତ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତି ବିଦ୍ୟାଳୟରେ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍‌ ଲଗାଯିବ। ସରକାରୀ ଓ ଅନୁଦାନପ୍ରାପ୍ତ ୯,୮୮୦ଟି ଉଚ୍ଚ ପ୍ରାଥମିକ ଓ ୯,୪୯୯ଟି ମାଧ୍ୟମିକ ବିଦ୍ୟାଳୟକୁ ମିଶାଇ ମୋଟ ୧୯,୩୬୮ ବିଦ୍ୟାଳୟରେ ବାଳିକାଙ୍କ ଶୌଚାଳୟରେ ଏହି ମେସିନ୍‌ ଲାଗିବ। ମେସିନ୍‌ ଯେପରି କାର୍ଯ୍ୟକ୍ଷମ ରହିବ, ସେଥିପାଇଁ ପ୍ରଧାନଶିକ୍ଷକମାନେ ଧ୍ୟାନ ଦେବେ ଏବଂ ମା’ମାନେ ସେମାନଙ୍କ ଝିଅଙ୍କୁ ଅବଗତ କରାଇବେ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଇବା, ନିର୍ଯାତନାରୁ ରକ୍ଷା କରିବା, ଶୌଚାଳୟର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୧ରୁ ୧୫ ମଧ୍ୟରେ ବିଦ୍ୟାଳୟରେ ‘ସ୍ବଚ୍ଛତା ପକ୍ଷ’ ପାଳନ କରାଯିବ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ହଳେ ଜୋତା, ଦୁଇ ହଳ ମୋଜା, ଗୋଟିଏ ଲେଖାଏଁ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ (ବ୍ରାଣ୍ଡିଂ ସହ), ଗୋଟିଏ ଟୋପି (ଲୋଗୋ ସହ) ଓ ପରିଚୟପତ୍ର ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।