ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍କୁଲ ଶିକ୍ଷାରେ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ସ୍କୁଲ୍‌ର ଭିତ୍ତିଭୂମି ବିକାଶ କରାଯାଉଛି। ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଆଉ ୭ହଜାର ଶିକ୍ଷକଙ୍କ ନିଯୁକ୍ତି ଲାଗି ପ୍ରକ୍ରିୟା ଚାଲିଛି। ଏବେ ସରକାରୀ ବିଦ୍ୟାଳୟ ପ୍ରତି ଲୋକମାନଙ୍କ ଯେଉଁ ନକାରାତ୍ମକ ଚିନ୍ତାଧାରା ରହିଛି ତାହାକୁ ବଦଳାଇବାକୁ ପଡ଼ିବ। କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ନୁହନ୍ତି, ବ୍ଲକ୍‌ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ମଧ୍ୟ ଏ ଦିଗରେ ସଚେତନ ହେବା ଜରୁରୀ। ପିଲାମାନଙ୍କ ଭବିଷ୍ୟତ ଗଠନରେ କୌଣସି ପ୍ରକାର ଅବହେଳା କଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Advertisment

କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ ପ୍ରଧାନଶିକ୍ଷକ, ଶିକ୍ଷକ, ସିଆରସିସି, ବିଇଓ ଓ ଡିଇଓମାନଙ୍କ ମିଳିତ ପ୍ରଚେଷ୍ଟା ଦ୍ବାରା ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ହୋଇପାରିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳ କରିବେ। ଏଥିସହ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଭାଗୀୟ କର୍ମଚାରୀଙ୍କୁ ଉଚିତ୍‌ ସମୟରେ ପେନ୍‌ସନ୍‌ ପ୍ରଦାନ, ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସମୟରେ ମେଧାବୃତ୍ତି, ନକଲି ଶିକ୍ଷକଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ, ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୁଦୃଢ଼, ମଧ୍ୟାହ୍ନଭୋଜନ ବଣ୍ଟନ ପରି ବିଭିନ୍ନ ବିଷୟ ଉପରେ ମନ୍ତ୍ରୀ ଶ୍ରୀ ଦାଶ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ବିଭାଗ ଅଧିକାରୀଙ୍କ ଆଚରଣରେ ପରିବର୍ତ୍ତନ, ଭବିଷ୍ୟତ ଗଠନ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ବିଭାଗୀୟ ଶାସନ ସଚିବ ଆଶ୍ୱଥୀ ଏସ୍‌. ମତପ୍ରକାଶ କରିଥିଲେ।

ଏଫ୍‌ଏଲ୍‌ଏନ୍‌(ଫାଉଣ୍ଡେସନାଲ ଲିଟେରାସି ଆଣ୍ଡ ନିଉମରସ) ଓ ଏଲ୍‌ଆର୍‌ପି(ଲର୍ଣ୍ଣିଙ୍ଗ ରିକଭରି ପ୍ରୋଗ୍ରାମ) କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ଓ ପରବର୍ତ୍ତୀ ଫଳାଫଳର ଆଭିମୁଖ୍ୟ ଆଜି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ରହିଥିଲା। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଏମ୍‌ଡିଏମ୍‌(ମଧ୍ୟାହ୍ନଭୋଜନ), ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍‌ର ୧୦୩ଜଣ ବିଇଓ ୧୦ଜଣ ଡିଇଓ ଯୋଗ ଦେଇଥିଲେ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସ୍ୱାଗତ ଭାଷଣ ଦେବା ସହ ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।