ପ୍ରହସନ ପାଲଟିଛି ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ: ୫ବର୍ଷରେ ୨୫% ଅନ୍ଧତ୍ବ ଦୂରୀକରଣ ଯୋଜନା ଫେଲ୍‌

ମିଳୁନି ଚଷମା, ଆବଶ୍ୟକ ଇଞ୍ଜେକସନ୍

ଭୁବନେଶ୍ବର : ୨୦୧୭ ମସିହାରେ ରାଜ୍ୟରେ ଆରମ୍ଭ ହୋଇଥିଲା ସାର୍ବଜୀନନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’। ଏଥିପାଇଁ ୫ବର୍ଷରେ ୬ଶହ କୋଟି ଖର୍ଚ କରିବା ସହିତ ୨୦୨୨ ବେଳକୁ ରାଜ୍ୟର ୨୫ ପ୍ରତିଶତ ଅନ୍ଧତ୍ବ ଦୂର କରିବାକୁ ଲକ୍ଷ୍ୟ ରଖା ଯାଇଥିଲା। ଚଳିତବର୍ଷ ଏହି କାର୍ଯ୍ୟକ୍ରମକୁ ୫ବର୍ଷ ପୂରୁଛି। ମାତ୍ର ଉଦ୍‌ଘାଟନ ସମୟରେ କାର୍ଯ୍ୟକ୍ରମକୁ ସରକାରୀ ସ୍ତରରେ ନେଇ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରାଯାଇଥିଲା ତାହା ସଂପର୍କରେ ଆଉ ଚର୍ଚ୍ଚା କରାଯାଉନାହିଁ। ଯୋଜନା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି। ଆବଶ୍ୟକ ଚଷମା, ଇଞ୍ଜେକସନ୍ ହସ୍ପିଟାଲରେ ଉପଲବ୍ଧ ହେଉନାହିଁ।

ରାଜ୍ୟରେ ୮୦ଭାଗ ଅନ୍ଧତ୍ବର ମୁଖ୍ୟ କାରଣ ହେଉଛି ମୋତିଆବିନ୍ଦୁ। ତେଣୁ ଠିକ୍ ସମୟରେ ମୋତିଆବିନ୍ଦୁର ଅସ୍ତ୍ରୋପଚାର କରାଯାଇ ଏହାଜନିତ ହେଉଥିବା ଅନ୍ଧତ୍ବକୁ ଦୂର କରିବା ପାଇଁ ‌‘ସୁନେତ୍ର’ରେ ଗୁରୁତ୍ବ ଦିଆଯାଇଥିଲା। ଚକ୍ଷୁ ସେବାକୁ ତୃଣମୂଳସ୍ତରକୁ ନେବା ଲାଗି ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଓ ପରବର୍ତୀ ସମୟରେ ପିଏଚ୍‌ସି ଓ ସବ୍ ସେଣ୍ଟରରେ ଏସବୁ ସୁବିଧା ପହଞ୍ଚାଇବା ଲାଗି କୁହାଯାଇଥିଲା। ଗ୍ଲୁକୋମା, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହେଉଥିବା ରେଟିନୋପାଥିର ସ୍କ୍ରିନିଂ ମାଗଣା ଔଷଧ/ଇଞ୍ଜେକସନ୍ ଦେବାକୁ ମଧ୍ୟ ଯୋଜନାରେ ନିଷ୍ପତ୍ତି ହୋଇଥିଲା। ଏସବୁର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ୧୬ଜଣିଆ କମିଟି ଗଠନ କରିଥିଲେ। ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଡା. ଟି.ପି ଦାସ ଏହି କମିଟିର ଅଧ୍ୟକ୍ଷ ରହିଥିଲେ। କମିଟିର କାର୍ଯ୍ୟକାଳ ୫ବର୍ଷ ରହିଥିଲା। ପରବର୍ତୀ ସମୟରେ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ଏକ ସୋସାଇଟି ଗଠନ କରାଯାଇଛି। ସ୍ବାସ୍ଥ୍ୟ ସଚିବ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ଡା. ଟି.ପି ଦାସ ଏହାର ଅନ୍ୟତମ ଅଧ୍ୟକ୍ଷ ରହିଛନ୍ତି। ଗଭର୍ଣ୍ଣିଂ ବଡିରେ ୨୪ଜଣ ସଦସ୍ୟ ରହିଛନ୍ତି। ତେବେ ସୋସାଇଟିର ବୈଠକ କେବେ ବସୁଛି ଓ ଯୋଜନାକୁ ତ୍ବରାନ୍ବିତ କରିବା ଲାଗି କ’ଣ କ’ଣ ପଦକ୍ଷେପ ନିଆଯାଉଛି ତାହା ଅନ୍ଧାରରେ। ସରକାର ଘୋଷଣା କରିଥିବା ୬ଶହ କୋଟି ଟଙ୍କା ଭିତରୁ ୫ବର୍ଷ ଭିତରେ କେତେ ଟଙ୍କା ଅନୁମୋଦନ ହୋଇଛି ଓ କେତେ ଟଙ୍କା ଖର୍ଚ କରାଯାଇଛି ତାହା ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି।

WebMD

ଯୋଜନାର ବାସ୍ତବତା ହେଉଛି ପ୍ରତିବର୍ଷ ରାଜ୍ୟ ସରକାର ଯେତିକି ସଂଖ୍ୟକ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି, ତା’ଠାରୁ କମ୍ ସଂଖ୍ୟକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇପାରୁଛି। ଚକ୍ଷୁ ପରୀକ୍ଷା କରିବାକୁ ଆସୁଥିବା ରୋଗୀଙ୍କ ପାଇଁ ‘ଡ୍ରପ୍’ ଆପ୍‌ ପ୍ରସ୍ତୁତି ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। ଏହି ଆପ୍‌ ଜରିଆରେ ଜଣେ ପଞ୍ଜୀକରଣ କଲେ ରୋଗୀଙ୍କ ସମସ୍ତ ତଥ୍ୟ ରହିବା ସହିତ ରାଜ୍ୟର ଯେ କୌଣସି ସ୍ଥାନରେ ନିଜର ଚକ୍ଷୁ ପରୀକ୍ଷା କରିପାରିବେ। ହେଲେ ଆପ୍‌ କାର୍ଯ୍ୟ କରୁଛି କି ନାହିଁ ତାହା ଜଣାନାହିଁ। ସେହିପରି ହସ୍ପିଟାଲକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବା ରୋଗୀଙ୍କୁ ଚଷମା ମିଳୁନାହିଁ। କେଉଁ କେଉଁ ମାସରେ କିଛିଟା ଚଷମା ଆସୁଛି ତ ଆଉ କେଉଁ ମାସରେ ଜମାରୁ ନାହିଁ। ଏ ସମସ୍ୟା କେବଳ ଭୁବନେଶ୍ବର ନୁହେଁ, ରାଜ୍ୟବ୍ୟାପୀ ଏହି ସମସ୍ୟା ଦେଖିବାକୁ ମିଳୁଛି। ରାଜଧାନୀର ପୋଖରୀପୁଟସ୍ଥିତ ୟୁପିଏଚ୍‌ସିରେ ଥିବା ଭିଜନ୍ ସେଣ୍ଟରକୁ ଉଦାହରଣ ଭାବେ ନିଆଯାଉ। ଏଠାରେ କେବଳ ରୋଗୀଙ୍କ ଚକ୍ଷୁ ପରୀକ୍ଷା ହେଉଥିବା ବେଳେ କିଛି ବଡ଼ ସମସ୍ୟା ହେଲେ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଉଛି। ସେଠାରେ ରୋଗୀଙ୍କୁ ଚଷମା ମଧ୍ୟ ଦିଆଯାଉଛି। ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଚକ୍ଷୁ ରୋଗୀଙ୍କ ପାଇଁ ଆବଶ୍ୟକ ରାନିବିଜୁମା, ଟୋସିଲିଜୁମା ଭଳି ଇଞ୍ଜେକସନ୍ ଉପଲବ୍ଧ ହେଉନାହିଁ। ଯୋଜନା ଆରମ୍ଭର କିଛି ମାସ ପର୍ଯ୍ୟନ୍ତ ଏସବୁ ଇଞ୍ଜେକସନ୍ ହସ୍ପିଟାଲରେ ଉପଲବ୍ଧ ହେଉଥିଲା। ହସ୍ପିଟାଲ ଅଧିକାରୀ ଏଥିପାଇଁ ଟେଣ୍ଡର କରାଯାଇଥିବା କହୁଛନ୍ତି। ମାତ୍ର କେବେ ଆସିବ ତାହା ସ୍ପଷ୍ଟ କରିପାରୁ ନାହାନ୍ତି। ରାଜ୍ୟବ୍ୟାପୀ ‘ସୁନେତ୍ର’ ଯୋଜନାରେ ଅବ୍ୟବସ୍ଥା ସାମ୍ନାକୁ ଆସୁଥିବା ବେଳେ ଏହା ପଛରେ କୋଭିଡର ବାହାନା ଦର୍ଶାଯାଉଛି।

କେବଳ ଯୋଜନାର କ୍ରିୟାନ୍ବୟନ ନୁହେଁ, ‘ସୁନେତ୍ରା’ଯୋଜନାରେ ଚଷମା କିଣାକୁ ନେଇ ବିବାଦ ଉଠିଥିଲା। ଗୋଟିଏ କମ୍ପାନିରୁ ଚଷମା କିଣିବା ଲାଗି ରାଜ୍ୟ ଔଷଧ ନିଗମ ରାଜ୍ୟ ରାଜକୋଷରୁ ୫୧ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ କରିଥିବା ଅଡିଟ୍‌‌ରେ ଧରାପଡ଼ିଥିଲା। ୨୦୧୮ ମସିହାରେ ଚଷମା କିଣା ପାଇଁ ନିଗମ ସର୍ବନିମ୍ନ ବିଡ୍‌ ୨୨୪ ଟଙ୍କା ବିଡ୍‌ ହୋଇଥିଲା ବେଳେ ପରବର୍ତୀ ସମୟରେ ୨୭୫ ଟଙ୍କାରେ ଚଷମା କିଣା ଯାଇଥିଲା। ଯାହାକି ପୂର୍ବ ତୁଳନାରେ ୨୩ ପ୍ରତିଶତ ଅଧିକ ରହିଥିବା ଅଡିଟ୍‌ରେ ସ୍ପଷ୍ଟ ହୋଇଥିଲା। ଏଭଳି ଅନୁକମ୍ପା ବିରୋଧରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ଉତ୍ତର ରଖିଥିଲା ତାହାକୁ ସିଏଜି ଗ୍ରହଣ କରି ନ ଥିଲେ। ଯାହାଫଳରେ ଚଷମା କିଣାରେ ବ୍ୟାପକ ହେରଫେର ହୋଇଥିବା ନଜରକୁ ଆସିଥିଲା। ‘ସୁନେତ୍ର’ ଯୋଜନାର ନୋଡାଲ ଅଧିକାରୀ ଜୀବନ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏବେ ରାୟଗଡ଼ାରେ ଥିବାରୁ କିଛି କହିପାରିବେ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର