ଭୁବନେଶ୍ବର: ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁଠାରୁ ମହତ୍ବପୂର୍ଣ୍ଣ ହେଲେ ସାଧାରଣ ଜନତା। ପ୍ରତ୍ୟେକ ବର୍ଗର ଲୋକେ ହେଉଛନ୍ତି ଗଣତାନ୍ତ୍ରିକ ପଦ୍ଧତିର ଅଂଶ ବିଶେଷ। ସରକାରଙ୍କ ପ୍ରଥମ ବର୍ଷ  ଥିଲା ଲୋକଙ୍କ ଆଶା-ଆକାଂକ୍ଷା ପୂରଣ କରିବାର ବର୍ଷ। ସରକାର-ଜନ ସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରି ସେତୁ ବାନ୍ଧିବାର ବର୍ଷ ବୋଲି ଆଜି ଲୋକସେବା ଭବନରେ ରାଜ୍ୟର ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ଭାବ ବିନିମୟ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବଜେଟରୁ ଆରମ୍ଭ କରି ବିଭିନ୍ନ ଯୋଜନା ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତାର ମୂଲ୍ୟାଙ୍କନ ଜନସାଧାରଣ କରୁଛନ୍ତି। ପ୍ରତ୍ୟେକ କାର୍ଯ୍ୟ ହାତକୁ ନେବା ପୂର୍ବରୁ ସରକାର ଲୋକଙ୍କ ମତ ନେଉଛନ୍ତି। ତାଙ୍କ ଫିଡ୍‌ବ୍ୟାକ ଆଧାରରେ ହିଁ ସରକାର ସମସ୍ତ ନୀତି ପ୍ରଣୟନ କରୁଛନ୍ତି। ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନ ହେଉ ଅବା ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ଓଡ଼ିଆ ସଂସ୍କୃତିକୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ପ୍ରତିପାଦିତ କରିବା ଭଳି କ୍ଷେତ୍ରରେ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରହିବ। ଆଗକୁ ୨୧ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ। ସ୍ୱାଧୀନ ଭାରତର ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ କରାଯାଉଛି। କେବଳ ପ୍ରତିମୂର୍ତ୍ତି ଅନାବରଣ ନୁହେଁ, ଆଗାମୀ ଦିନରେ ମହାନ ବରପୁତ୍ରମାନଙ୍କ ଜନ୍ମସ୍ଥାନରେ ସ୍ମୃତି ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର, ଶିଶୁ ଉଦ୍ୟାନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରହିଛି। ମହାପୁରୁଷ ଓ ମହୀୟସୀମାନେ ଜନ୍ମ ଗ୍ରହଣ କରିଥିବା ରାଜ୍ୟରେ ପ୍ରାୟ ଶହେରୁ ଦେଢ଼ ଶହ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ପ୍ରତିଷ୍ଠା କରାଯିବ। 
ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଶା ନିଜ ଅସ୍ମିତା ପାଇଁ ଅନେକ ପଦକ୍ଷେପ ନେଇଛି। ପ୍ରତ୍ୟେକ ସୃଜନଶୀଳତାକୁ ପରିଚୟ ମିଳୁଛି। କଳା ସଂସ୍କୃତିର ବିକାଶ ହୋଇ ଏହା ଜନାଦ୍ରୁତ ହୋଇ ପାରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସଂସ୍କୃତିରୁ ସମୃଦ୍ଧି’ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂହ ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ସଂସ୍କୃତି  ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।