ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଉପରେ ଜନଶୁଣାଣି, ‘ଜମି ବଦଳରେ ଜମି ଦିଅ’

୧୫.୧୪୭ ଏକରରୁ ୧୦.୮୪୭ ଏକର ଜମି ଅଧିଗ୍ରହଣ ଶେଷ
ଜାଗା ‌ନ ଦେଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ନିର୍ମାଣ ହେବାକୁ ଥିବା ଐତିହ୍ୟ କରିଡର ପାଇଁ ଚାଲିଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ଏ ଭିତରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ଜମିରୁ ୮୭ ପ୍ରତିଶତ ଅଧିଗ୍ରହଣ କରି ସାରିଲାଣି। ବାକି ୧୩ ପ୍ରତିଶତ ଜମି ଅଧିଗ୍ରହଣ ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଲାଣି। ବଳକା ୧୩ ପ୍ରତିଶତ ଜାଗାରେ ଥିବା ମଠ, ମନ୍ଦିରର ମହନ୍ତ, ସାଧୁସନ୍ଥଙ୍କ ସମେତ ବ୍ୟକ୍ତିଗତ ଜମି ମାଲିକମାନେ ଜମି ଦେବାକୁ ନାରାଜ। ଜମି ବଦଳରେ ଜମି ମାଗିଛନ୍ତି।

ସିଧାସଳଖ କହିଛନ୍ତି, ଆର ଆଣ୍ଡ ଆର୍ ପଲିସି ନୁହେଁ, ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିପୂରଣ ଦିଅ। ନଚେତ୍‌ ଆଇନର ଆଶ୍ରୟ ନେବା ପାଇଁ ଚେତାବନୀ ଦେଇଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଐତିହ୍ୟ ସୁରକ୍ଷା ବଳୟ ପାଇଁ ୧୫ଏକର ୧୪୭ ଡିସିମିଲ ଜମି ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ଜିଲ୍ଲା ପ୍ରଶାସନ ୧୦ ଏକର ୮୪୭ ଡିସିମିଲ୍ ଜାଗା ଅଧିଗ୍ରହଣ କରି ସାରିଲାଣି। ଆଉ ୪ ଏକର ୩ ଡିସିମିଲ୍ ଜମି ଅଧିଗ୍ରହଣ ପାଇଁ ବାକି ରହିଛି। ଏହି ଉପଲକ୍ଷେ ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଅନ୍ୟ ପ୍ରାଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ଜନଶୁଣାଣିରେ ବିସ୍ଥାପିତ ହେବାକୁ ଥିବା ୩୨ଜଣ ଜମି ମାଲିକ ଉପସ୍ଥିତ ଥିଲେ। ବାସେଳୀସାହି ମୌଜାର ୨ ଓ ୩ ନମ୍ବର ୱାର୍ଡ଼, ମଣିକର୍ଣ୍ଣିକା ସାହିର ୪ ଓ ୯ ନମ୍ବର ୱାର୍ଡ଼ବାସିନ୍ଦାଙ୍କ ସମେତ କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିର ଜମିମାଲିକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର