ଭୁବନେଶ୍ବର : ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ଭାବେ ଓଡ଼ିଶା ବୋଲି ସରକାର କହୁଛନ୍ତି। ଗୁଣାତ୍ମକ ବିଦ୍ୟୁତ ସେବା ଲୋକଙ୍କୁ ମିଳୁନାହିଁ। ଗତବର୍ଷ ଅକ୍ଟୋବରରେ ଘରୋଇ ଉପଭୋକ୍ତାମାନଙ୍କ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ଘଟିଥିଲା। ଏବେ ପୁଣି ଥରେ ଦର ବୃଦ୍ଧି କରିବାକୁ ବିଦ୍ୟୁତ ଉତ୍ପାଦନ ଓ ବିତରଣ କମ୍ପାନିମାନେ ଓଇଆର୍ସିଙ୍କ ପାଖରେ କରିଥିବା ଆବେଦନ ଉପରେ ଜନଶୁଣାଣି ଆରମ୍ଭ ହୋଇଛି। ଏହାକୁ କଡ଼ା ବିରୋଧ କରିଛି ଉପଭୋକ୍ତା ମହାସଂଘ। ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି, ସରକାର ବିଦ୍ୟୁତ ଉପଭୋକ୍ତାମାନଙ୍କ ସ୍ବାର୍ଥକୁ ନ ଜଗି ସେସ୍କୋ, ଓ୍ବେସ୍କୋ, ନେସ୍କୋ ଓ ସାଉଥକୋ ବିତରଣ କମ୍ପାନିମାନଙ୍କୁ ଘରୋଇ କମ୍ପାନି ଟାଟା ପାଓ୍ବାର ହାତକୁ ଟେକିଦେଲେ। ଫଳରେ ଏହି କମ୍ପାନି ଆଗାମୀ ଦିନରେ ରାଜ୍ୟର ବିଦ୍ୟୁତ କ୍ଷେତ୍ରରେ ଏକଚାଟିଆ କାରବାର ଆରମ୍ଭ କରିବ। ଏବେ ପୁଣି ଦର ବୃଦ୍ଧି କରିବାକୁ ଆଉ ଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଶୁକ୍ରବାର ଓଏଚ୍ପିସି ଓ ଓପିଜିସିର ଆବେଦନ ଉପରେ ଜନଶୁଣାଣି ହୋଇଥିଲା। ଆସନ୍ତାକାଲି ଓପିଟିସିଏଲ୍ ଓ ଏସ୍ଏଲ୍ଡିସି ଶୁଳ୍କ ବୃଦ୍ଧି ସମ୍ପର୍କରେ ଜନଶୁଣାଣି ହେବ। ରାଜ୍ୟ ସରକାର ଓ ଓଇଆର୍ସିଙ୍କ ଅପାରଗତା ଯୋଗୁ ବିଦ୍ୟୁତ ଉପଭୋକ୍ତାମାନେ ଦର ବୃଦ୍ଧିର ଶିକାର ହେବେ ବୋଲି ଶ୍ରୀ ଶତପଥୀ ଆଶଙ୍କା ବ୍ୟକ୍ତ କରିଛନ୍ତି।
ବିଦ୍ୟୁତ ଦର ବୃଦ୍ଧି ସଂକ୍ରାନ୍ତ ଓଇଆର୍ସିରେ ଜନଶୁଣାଣି ପ୍ରସଙ୍ଗ : ଦର ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘର କଡ଼ା ବିରୋଧ
ଆଜି ଓପିଟିସିଏଲ୍ ଓ ଏସ୍ଏଲ୍ଡିସି ଆବେଦନ ଉପରେ ଜନଶୁଣାଣି
/sambad/media/post_attachments/wp-content/uploads/2020/08/Electricity.jpg)