ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ମୌଜାରେ ପ୍ରସ୍ତାବିତ ରାମ୍‌କୀ କମ୍ପାନିର ବର୍ଜ୍ୟବସ୍ତୁ ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ଲାଣ୍ଟ ପାଇଁ ଶୁକ୍ରବାର ଲଖନପୁର ସ୍ଥିତ ସମଲେଶ୍ୱରୀ ଖେଳପଡ଼ିଆରେ ହେବାକୁ ଥିବା ଜନଶୁଣାଣି ଲୋକଙ୍କ ବିରୋଧ ଯୋଗୁଁ ପୁଣି ଥରେ ବାତିଲ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ହିରଣ୍ୟ ନାୟକ, ଲଖନପୁର ବିଡିଓ ସଞ୍ଜୀବ ପଟେଲ ଓ ତହସିଲଦାର ବିଶ୍ୱକେଶନ ପାଣ୍ଡେ ଏହି ଜନ ଶୁଣାଣି ପାଇଁ ଉଦ୍ୟମ କରିଥିଲେ। ହେଲେ ଲୋକେ କମ୍ପାନି ବିରୋଧରେ ବିଭିନ୍ନ ସ୍ଳୋଗାନ ଦେବା ସହ ଶୁଣାଣିକୁ ବାତିଲ କରିବା ପାଇଁ ଅଡ଼ି ବସିଥିଲେ। ଫଳରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଜନ ଶୁଣାଣି କରି ନପାରି ବାତିଲ ଘୋଷଣା କରିଥିଲେ।

Advertisment

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ଵର ଭୋଇ, ଡିଏସପି ବୈକୁଣ୍ଠ ସେଠ ଓ ଲଖନପୁର ଥାନା ଆଇଆଇସି ଦୁଃଖିନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶୁଣାଣି ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ହେଲେ ଜନ ଶୁଣାଣି ବାତିଲ ହେଲା ପରେ ମଧ୍ୟ କିଛି ଲୋକ ରାମକୀ କମ୍ପାନିର ଅଧିକାରୀମାନଙ୍କୁ ପଡ଼ିଆରେ ଗୋଡେଇ ଗୋଡେଇ ମାର୍‌ପିଟ୍ କରିଥିବା ଦେଖାଯାଇଥିଲା। ପ୍ରକାଶ ଯେ ବିଭିନ୍ନ କାରଣରୁ ପୂର୍ବରୁ ରାମକୀ କମ୍ପାନିର ୩ଟି ଜନ ଶୁଣାଣି ବାତିଲ୍ କିମ୍ବା ସ୍ଥଗିତ ହୋଇଛି। ଗତ ଅପ୍ରେଲ ୨୬ ତାରିଖରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଥିଲା। ସେହିପରି ଜାନୁଆରି ୨୪ ତାରିଖରେ ହେବାକୁ ଥିବା ଶୁଣାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଚରଣ ସଂହିତା ଯୋଗୁଁ ବାତିଲ୍ କରାଯାଇଥିଲା।

ସେହିପରି ୨୦୨୧ ମସିହା ଅଗଷ୍ଟ ୨୭ ତାରିଖରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ ସମଲେଶ୍ୱରୀ ଖେଳପଡ଼ିଆରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ସ୍ଥାନୀୟ ବିଡିଓ, ତହସିଲଦାର, ତତ୍କାଳୀନ ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ ଓ ସ୍ଥାନୀୟ ଥାନା ଆଇଆଇସିଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ୍ ଉପସ୍ଥିତିରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ହିରଣ୍ୟ ନାୟକ ଏହି ପ୍ରସ୍ତାବିତ ପ୍ଲାଣ୍ଟ ଉପରେ ଜନ ଶୁଣାଣି କରିବାକୁ ଉଦ୍ୟମ କରିଥିଲେ। ହେଲେ ରାମକୀ କମ୍ପାନିକୁ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ସେହି ସମୟରେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଉକ୍ତ ଜନ ଶୁଣାଣିକୁ ବାତିଲ୍ କରିଥିଲେ।