ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଭୁଣ୍ଡିମୁହାଣ ଗ୍ରାମରେ ଜନଶୁଣାଣି

ବଲାଙ୍ଗୀର: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଭୁଣ୍ଡିମୁହାଣ ଗ୍ରାମଠାରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ହେବା ପରେ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରକ୍ରିୟା ଚାଲୁ ରହିଥିଲା। ତତ୍ ସଙ୍ଗେ ସଙ୍ଗେ ପୁନର୍ବାସ ଏବଂ ଥଇଥାନ ସର୍ବେକ୍ଷଣ ମଧ୍ୟ ଚାଲୁ ରହିଥିଲା। ପୁନର୍ବାସ ଓ ଥଇଥାନ ସର୍ବେକ୍ଷଣ ଏକ ସ୍ୱାଧୀନ ସଂସ୍ଥା ମଧ୍ୟରେ କରାଯାଇଥିଲା। ଉକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଚିଠା ସର୍ବେକ୍ଷଣ ରିପୋର୍ଟ ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ୨୬.୪.୨୦୨୨ ଚିଠାରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଥିଲା।

ବୁଧବାର ଭୁଣ୍ଡିମୁହାଣ ଗ୍ରାମରେ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁସାରେ ଉକ୍ତ ଚିଠା ସମ୍ବନ୍ଧୀୟ ଜନଶୁଣାଣି ଶିବିର ହୋଇଥିଲା। ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପୁନର୍ବାସ ଓ ଥଇଥାନ ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମହାପାତ୍ର, ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ତହସିଲଦରା ମଘବାନ ବାଗ, ଏସ୍‌ଡିପିଓ ତୋଫାନ ବାଗ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଜୋନ୍‌ ଅଫିସର ନୂତନ ସେଠଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସଂପୃକ୍ତ ଅଧିକାରୀ, ଭୁଣ୍ଡିମୁହାଣ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀୟା ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଜନଶୁଣାଣିରେ ଭୁଣ୍ଡିମୁହାଣ ଗ୍ରାମବାସୀ ନିଜର ଜମି ଅଧିଗ୍ରହଣ ଓ ଥଇଥାନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲାପାଳ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପିଡି ଆର୍‌ଆର୍ ଶ୍ରୀ ମହାପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ ନାଗଭୂଷଣ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ରାଉତ ଗ୍ରାମବାସୀଙ୍କ ଦ୍ୱାରା ଉତଥାପିତ ପ୍ରଶ୍ନ ତଥା ସମସ୍ୟାର ସମାଧାନ ସମ୍ପର୍କରେ ବୁଝାଇଥିଲେ। ବଲାଙ୍ଗୀର ଜିଲ୍ଲା ପାଇଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଏକ ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପ ଏବଂ ଏହା ଦ୍ୱାରା ଜିଲ୍ଲାର ଚାଷୀମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ପ୍ରକାଶ କରିବା ସହ ଏହି ପ୍ରକଳ୍ପ ନିମନ୍ତେ ପ୍ରଭାବିତ ଗ୍ରାମର ଗ୍ରାମବାସୀମାନେ ସହଯୋଗ କରୁଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ। ସର୍ଭେରେ ଗ୍ରାମବାସୀଙ୍କର କୌଣସି ସମସ୍ୟା ଥିଲେ ତାକୁ ତର୍ଜମା କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ପ୍ରଭାବିତ ପରିବାର ଯେପରି ଉପକୃତ ହୋଇପାରିବେ ସେଥିପ୍ରତି ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ଘାସିରାମ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର