ବିଜୁଳି ଦର ବୃଦ୍ଧିକୁ ନେଇ ଜନଶୁଣାଣି ଆରମ୍ଭ: କାହା ସ୍ୱାର୍ଥ ଜଗୁଛନ୍ତି ଓଏଚ୍‌ପିସି, ଓପିଜିସି?

ଓଇଆର୍‌ସିଙ୍କ ସାମ୍ନାରେ ଅସନ୍ତୋଷ ଝାଡ଼ିଲେ ସୌମ୍ୟରଂଜନ
ଆର୍‌ପି ମହାପାତ୍ର, ରମେଶ ଶତପଥୀ ବି ଗର୍ଜିଲେ
ବିଦ୍ୟୁତ ଦର ବଢ଼ାଇଚାଲିଛନ୍ତି, ଉପଭୋକ୍ତାଙ୍କୁ ଭୁଲିଗଲେଣି

ଭୁବନେଶ୍ୱର : ଜଳ ବିଦ୍ୟୁତ ହେଉଛି, ସବୁଠାରୁ ଶସ୍ତା। ପ୍ରଦୂଷଣ ମୁକ୍ତ। କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ବିଶ୍ବର ସବୁ ବିକାଶଶୀଳଦେଶମାନେ ଏହାକୁ ପ୍ରୋତ୍ସାହିତ କରୁଛନ୍ତି। କିନ୍ତୁ ଗତ ୨୦ ବର୍ଷ ଭିତରେ ଜଳବିଦ୍ୟୁତ ବୃଦ୍ଧି ପାଇଁ କି ଉଦ୍ୟମ ହୋଇଛି? ସମଗ୍ର ଭାରତବର୍ଷରେ ଯେତିକି ପାଣି ସମୁଦ୍ରକୁ ବହିଯାଉଛି, ତାର ୧୦ ପ୍ରତିଶତ କେବଳ ଓଡ଼ିଶାର। ଏହାକୁ ବ୍ୟବହାର କରି ଶସ୍ତା ବିଦ୍ୟୁତ ଉତ୍ପାଦନ କରିବା ପରିବର୍ତ୍ତେ ଓଡ଼ିଶା ତାପଜ ବିଦ୍ୟୁତ କ୍ଷେତ୍ରରେ କାହିଁକି ଓ କାହା ସ୍ବାର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କେବଳ କ’ଣ କିଛି ଅଫିସରଙ୍କ ପୋଷିବା ପାଇଁ ଏତେସବୁ ସରକାରୀ ସଂସ୍ଥା ରହିବ?

୨୦୨୨-୨୩ ବର୍ଷ ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଶୁକ୍ଳ ନିର୍ଧାରଣ ଜନଶୁଣାଣିରେ ଭାଗ ନେଇ ମଙ୍ଗଳବାର ଦିନ ଏମିତି ସ୍ବରରେ ଅସନ୍ତୋଷ ଜଣାଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଉପଭୋକ୍ତା ମହାସଂଘ ନେତା ରମେଶ ଶତପଥୀ ପ୍ରମୁଖ। ସିଧା ସିଧା ପଚାରିଛନ୍ତି ଯେ କାହା ଭୁଲ ଲାଗି ଉପଭୋକ୍ତାଙ୍କ ଉପରେ ଆର୍ଥିକ ଚାପ ପଡ଼ୁଛି, ତାହା ସ୍ପଷ୍ଟ ହେବା ଦରକାର। ବିଭିନ୍ନ ସଂସ୍ଥା ସେମାନଙ୍କ ମନଇଚ୍ଛା ଦାବି ରଖି ଆୟୋଗଙ୍କ ଠାରୁ ନିଜ ସପକ୍ଷରେ ରାୟ ନେଇପାରିବେ ନାହିଁ। ଓଡ଼ିଶାରେ ବିଜୁଳି ସେବାରେ ସଂସ୍କାର ଆଣିବା ଲାଗି ଆୟୋଗଙ୍କର ଏକ ବଡ଼ ଭୂମିକା ରହିଛି। ରାଜ୍ୟ ଆଶା କରୁଛି, ଏହା ସେମାନେ ନିର୍ବାହ କରନ୍ତୁ ଓ ଉପଭୋକ୍ତାଙ୍କ ତରଫରୁ ପକ୍ଷଭୁକ୍ତ ହୋଇଥିବା ବ୍ୟକ୍ତିବିଶେଷମାନେ ଯେଉଁ ସବୁ ଦୋଷ ତ୍ରୁଟି କାଢ଼ୁଛନ୍ତି ତାହାକୁ ଖାରଜ କରିବା ପୂର୍ବରୁ ଏହାର ସ୍ପଷ୍ଟ କାରଣ ମଧ୍ୟ ଆଦେଶନାମାରେ ପ୍ରକାଶ କରନ୍ତୁ। ଅନ୍ୟଥା ରାୟ ପ୍ରକାଶ ପାଇବା ପୂର୍ବରୁ ଯେଉଁ ସବୁ ମାନସମନ୍ଥନ ହେଉଛି ତାହା ପ୍ରହସନ ହୋଇଯିବ।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଦାୟିତ୍ବରେ ଥିବା ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ର ମଙ୍ଗଳବାର ପୂର୍ବାହ୍ନରେ ଓଏଚପିସି (ଓଡ଼ିଶା ଜଳ ବିଦ୍ୟୁତ ନିଗମ) ଏବଂ ଅପରାହ୍ନରେ ଓପିଜିସି (ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ) ସଂକ୍ରାନ୍ତରେ ଜନଶୁଣାଣି କରିଥିଲେ। ଉଭୟ ସଂସ୍ଥା ବିଦ୍ୟୁତ ଦର ବୃଦ୍ଧି କରିବା ଲାଗି ଦାବି ରଖିଥିବା ବେଳେ କମିସନଙ୍କ ଦ୍ବାରା ନିଯୁକ୍ତ ଓ୍ବାର୍ଲଡ ଇନଷ୍ଟିଚ୍ୟୁଟ ଅଫ୍ ସଷ୍ଟେନବଲ୍ ଏନର୍ଜି (ଵାଇଜ୍) ପୁନେ ଏହାର ତର୍ଜମା କରିଥିଲେ। ଭର୍ଚୁଆଲରେ ହୋଇଥିବା ଏହି ଶୁଣାଣିରେ ଭାଗ ନେଇ ବିଧାୟକ ଶ୍ରୀ ପଟ୍ଟନାୟକ ଯୁକ୍ତି ବାଢ଼ିଥିଲେ, ‘ବିଜୁଳି ସେବାରେ ସଂସ୍କାର ଆଣିବା ପାଇଁ ଓଇଆରସିର ଏକ ବଡ଼ ଦାୟିତ୍ବ ବା ଭୂମିକା ରହିଛି, ଏକଥା ହୃଦବୋଧ ହୋଇଛି। ହେଲେ ଏକଥା ବି ମୁଁ ଜାଣିପାରିଛି ଯେ ଆମେ ବାସ୍ତବତା ଠାରୁ ବହୁ ଦୂରରେ ରହିଛନ୍ତି। ଯେତେବଳେ ଆମେ ବିଦ୍ୟୁତ ସଂସ୍କାର କଥା କହୁଛନ୍ତି; ସେତେବେଳେ ଦୁଃଖର ବିଷୟ ଓଏଚିପିସି ବା ଓପିଜିସି ଭଳି ସଂସ୍ଥାମାନେ ପ୍ରତ୍ୟେକ ବର୍ଷ ‘ଟ୍ରୁଇଙ୍ଗ୍‌ ଅପ୍‌ ଏକ୍ସରସାଇଜ୍‌’ କରୁନାହାନ୍ତି। ଅର୍ଥାତ୍‌ ସଂସ୍ଥାମାନଙ୍କର ଗତବର୍ଷର କାର୍ଯ୍ୟର ଅନୁଶୀଳନ କରାଯାଉନାହିଁ। ସେମାନେ କଣ ଦାବି କରିଥିଲେ, କେତେ ହାସଲ ହେଲା ଏହା ଉପରେ ଅଧିକ ତର୍ଜମା ନ ହେବା ଦ୍ବାରା ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯାଇପାରୁନାହିଁ। ପ୍ରତିବର୍ଷ ବିଦ୍ୟୁତ ଶୁକ୍ଳ ବଢ଼ି ବଢ଼ି ଚାଲିଛି। ସେହିଭଳି ଯେଉଁ ମଲ୍ଟି ଇୟର ତାରିଫ୍‌ ବା ବହୁ ବର୍ଷୀୟ ବିଦ୍ୟୁତ ଦର ନିର୍ଧାରଣ କରାଯାଏ ସେ କ୍ଷେତ୍ରରେ ମଧ୍ୟ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି। ‘ନନ୍‌ ତାରିଫ୍‌ ଇନ୍‌କମ୍‌’କୁ ନେଇ ବିବାଦ ରହିଛି। ଏହାକୁ ବିଚାରକୁ ନିଆଯାଉନଥିବାରୁ ଉପଭୋକ୍ତାଙ୍କ ଉପରେ ବୋଝ ବଢ଼ିବାରେ ଲାଗିଛି। କମ୍ପାନି ରୋଜଗାର କରୁଛି, ସେଥିପାଇଁ ଇନକମ୍‌ ଟ୍ୟାକ୍ସ ଦେଉଛି। ହେଲେ ତାହା ଉପଭୋକ୍ତାଙ୍କ ଉପରେ କାହିଁକି ପଡ଼ୁଛି, ବୁଝାପଡୁନାହିଁ। କମ୍ପାନି ହିଁ ଏହାକୁ ନିଜ ଲାଭରୁ ଭରଣା କରୁ’ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସେ ଆହୁରି କହିଥିଲେ, ଅନ୍ୟ ସବୁ ବିଜୁଳି ଠାରୁ ଜଳ ବିଦ୍ୟୁତ ଶସ୍ତା। ଓଏଚ୍‌ପିସି ନିଜର ଦକ୍ଷତା ବଢ଼ାଇବା ପାଇଁ ବିଗତ ବର୍ଷମାନଙ୍କରେ କୌଣସି ଉଦ୍ୟମ କରିବା ଭଳି ଦୃଶ୍ୟମାନ ହେଉନାହିଁ। ଇନ୍ଦ୍ରାବତୀ ସଂପର୍କରେ ଯେଉଁ ଚିତ୍ର ରଖାଯାଇଛି, ତାହା ବିଗତ ଶତାଦ୍ଦୀର। ଏ ଶତାଦ୍ଦୀରେ କୌଣସି ନୂଆ ପ୍ରକଳ୍ପ ରାଜ୍ୟରେ ଆରମ୍ଭ କରାଯାଇପାରିନାହିଁ। ଏ ଶତାଦ୍ଦୀରେ ସେସବୁ କାର୍ଯ୍ୟକ୍ଷମ ହୋଇଥାଇପାରେ। ଆହୁରି ସ୍ପଷ୍ଟ ଭାବେ କହିଲେ, ମାତ୍ର ଅଳ୍ପ କିଛି ମେଗାଵାଟ ପ୍ରଥମ ଦଶକରେ ଯୋଡାଯାଇଛି। ଏ ଚିତ୍ରଟି ବି ସ୍ପଷ୍ଟ ହେବା ଦରକାର। ଛତିଶଗଡକୁ ଦିଆଯାଉଥିବା ବିଦ୍ୟୁତ ସଂପର୍କରେ ବି ଶ୍ରୀ ପଟ୍ଟନାୟକ ଆପତ୍ତି ଉଠାଇବା ସହିତ ଏହାର ପୁନଃ ବିଚାର ପାଇଁ କହିଥିଲେ। ଶ୍ରୀ ପଟ୍ଟନାୟକ ସତର୍କ କରାଇଦେଇଥିଲେ ଯେ ସଂପ୍ରତି ପୋଲାଭରମ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଆମେ ଯଦି ବେଲ ଥାଉ ସତର୍କ ନହେବା ତାହାହେଲେ ସେଠାରୁ ପ‌ାଇବାକୁ ଥିବ‌ା ଶସ୍ତ‌ା ବିଦ୍ୟୁତ ହାତଛଡ଼ା ହୋଇପାରେ।

ଜନଶୁଣାଣିରେ ଭାଗ ନେଇ ଶ୍ରୀ ଶତପଥୀ କହିଥିଲେ ଯେ କାହିଁକି ଓ କାହା ସ୍ବାର୍ଥରେ ୧୩୮୦ କୋଟି ଟଙ୍କା ଓଏଚପିସି ତାପଜ ବିଦ୍ୟୁତ କ୍ଷେତ୍ରରେ ଖର୍ଚ୍ଚ କଲେ? ଯଦି ଏହି ଅର୍ଥ ଜଳବିଦ୍ୟୁତ କ୍ଷେତ୍ରରେ ବିନିଯୋଗ ହୋଇଥାନ୍ତା, ତେବେ ଏହାର ଲାଭ ଉପଭୋକ୍ତା ପାଇଥାନ୍ତେ। ଜଳବିଦ୍ୟୁତ ଉପରେ ଶିଳ୍ପସଂସ୍ଥାମାନେ କାହିଁକି ଅଧିକ ସେସ୍ ଦେବେନି? ସ୍କ୍ରାପ୍ ହିସାବ କେହି ରଖୁନାହାନ୍ତି। ଏହାର ଅଡିଟ୍ ହେଉ। ଭିଜିଲାନ୍ସ ଏହାର ତଦନ୍ତ କରନ୍ତୁ। ପୂର୍ବରୁ ୧୭ଶହ କର୍ମଚାରୀ ଥିଲେ। ଏବେ ୫ଶହ ଅଛନ୍ତି। ବାକି କର୍ମଚାରୀଙ୍କୁ ଠିକାଦାର ରଖିଛନ୍ତି। ଯେଉଁ ସଂସ୍ଥା ମାନବସମ୍ବଳ ଲଗାଇଛି, ସେମାନେ ଲାଭ ଖାଉଛନ୍ତି। ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା କେମିତି ହେବ? ଏସବୁ ପାଇଁ ଅଫିସରମାନେ ଦାୟୀ ବୋଲି ଶ୍ରୀ ଶତପଥୀ ସିଧା ସିଧା ଅଭିଯୋଗ କରିଥିଲେ। ଶୁଣାଣିରେ ପକ୍ଷଭୁକ୍ତ ହୋଇଥିବା କମଳାକାନ୍ତ ଦାସ ଯୁକ୍ତି ବାଢ଼ିଥିଲେ କି, ଇଲେକ୍ଟ୍ରିସିଟି ଆଇନ ଅନୁସାରେ ଯେଉଁଠି ପ୍ଲାଣ୍ଟ ଅଛି ସେଠାକାର ପଞ୍ଚାୟତରେ ୫ରୁ ୧୦ ପ୍ରତିଶତ ବିଦ୍ୟୁତ ମାଗଣାରେ ବାଣ୍ଟିବା ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ସଂସ୍ଥା ଏହାକୁ ମାନୁ ନାହାନ୍ତି। ଏଦିଗରେ ଆୟୋଗ ଦୃଷ୍ଟି ଦିଅନ୍ତୁ।

ଓଇଆରସିର ଅନ୍ୟତମ ସଦସ୍ୟ ସୁଶାନ୍ତ ରାୟ ମହାପାତ୍ର ଓଏଚ୍‌ପିସିର ସୁରକ୍ଷା, ଆଗକୁ ଥିବା ଯୋଜନା ସମ୍ବନ୍ଧରେ ଜାଣିବାକୁ ଚାହିଁଥିଲେ। ଶୁଣାଣିରେ ଗ୍ରିଡ୍‌କୋ ଓ ଶକ୍ତି ବିଭାଗ ଉଭୟ ଲିଖିତ ଭାବେ ନିଜର ମତ ରଖିବାକୁ କହିଥିଲେ। ପ୍ରାରମ୍ଭରେ ଓଏଚପିସି ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ସଂପର୍କରେ ଦାବି ଉପସ୍ଥାପନ କରାଯାଇଥିଲା।

ସେହିଭଳି ଓପିଜିସି ଆଲୋଚନାରେ ପକ୍ଷଭୁକ୍ତ ହୋଇ ଆରପି ମହାପାତ୍ର କହିଥିଲେ ଯେ ଓପିଜିସି ଯେଉଁ କୋଇଲା ଦରବୃଦ୍ଧି ଦେଖାଇ ତାରିଫ୍‌ ବଢ଼ାଇବାକୁ ବସିଛି ତାହା ସମ୍ପୂର୍ଣ୍ଣ ବେଆଇନ। ଯେଉଁ କୋଇଲାରେ ସର୍ବାଧିକ ଉତ୍ପାଦନ ହେବା କଥା ସେଥିରୁ କମ୍‌ ଉତ୍ପାଦନ ହେଉଛି। ସଂସ୍ଥା‌ରେ ଥିବା ଅପାରଗ ଅଧିକାରୀଙ୍କ ଯୋଗୁ ଏହି କ୍ଷତି ହେଉଛି। ଯାହାକୁ ଉପଭୋକ୍ତା ସହିବାକୁ ଯାଉଛନ୍ତି। ଯେଉଁ ଇନ୍ଧନ ବ୍ୟବହାର ହେଉଛି ସେଥିରୁ ମଧ୍ୟ ସର୍ବାଧିକ ଉତ୍ପାଦନ ହେଉ ନାହିଁ। ପିଏଲ୍‌ଏଫ୍‌ ଓ ଜିସିବିକୁ ନେଇ ମଧ୍ୟ ଯେଉଁ ସବୁ ହିସାବ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ ଅଛି। ଏଣୁ ଓପିଜିସିର ଆବେଦନକୁ ଆୟୋଗ ଖାରଜ କରନ୍ତୁ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଓଇଆରସି ଏକ କ୍ବାସିଜୁଡିସିଆଲ ବଡି (ପ୍ରକାରାନ୍ତରେ ଏକ ବିଚାର ବିଭାଗୀୟ ସଂସ୍ଥା) ହୋଇଥିବାରୁ ତାହାର ପ୍ରତ୍ୟେକ ନିଷ୍ପତ୍ତି ନୀତିନିୟମକୁ ଆଧାର କରି ହେବା ଜରୁରୀ। କିନ୍ତୁ ଯାହା ଦେଖାଯାଉଛି ନୀତି ନିୟମ ଆଧାରରେ ନିଷ୍ପତ୍ତି ହେଉ ନାହିଁ। ଓପିଜିସି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଅଧୀନରେ ରହିଥିଲେ ମଧ୍ୟ ଉପଭୋକ୍ତାଙ୍କ ସ୍ବାର୍ଥରେ ନାହିଁ। କ୍ରୟ ଚୁକ୍ତି ଅନୁସାରେ ବଢ଼ାଚଢା ହିସାବ ଦେଖାଇ ଓପିଜିସି ବିଦ୍ୟୁତ ଦର କଷି ନେଉଛି। କୋଇଲା ଓ ଇନ୍ଧନର ମୂଲ୍ୟ ଓ ପିଏଲ୍‌ଏଫ୍‌ ବାବଦରେ ଶ୍ରୀ ମହାପାତ୍ର ଯେଉଁ ତଥ୍ୟ ଉପସ୍ଥାପନ କଲେ ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଓଇଆରସି ଏହାକୁ ବିଚାରକୁ ନେବା ଆବଶ୍ୟକ। ସେହିଭଳି ଇକ୍ବିଟି ଓ ଇନ୍‌ଭେଷ୍ଟମେଣ୍ଟ ବାବଦରେ ମଧ୍ୟ ଯେଉଁ ତଥ୍ୟ ଉପସ୍ଥାପନ ହୋଇଛି ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଯଦି ୧୬ ପ୍ରତିଶତ ଅର୍ଥ ପୁଞ୍ଜିନିବେଶ କରିଥିବା ସଂସ୍ଥା ନେବେ, ତେବେ ଖୋଲା ବଜାରରୁ ଋଣ ଆଣିବାରେ ଅସୁବିଧା କେଉଁଠି? ଆୟୋଗ ଏହାକୁ ଗମ୍ଭୀରତାର ସହିତ ବିଚାର କରିବା ଦରକାର। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆୟୋଗଙ୍କ ବିଭିନ୍ନ ରାୟର ଉଦାହରଣ ଦେବା ଛଳରେ ଆଇପିପି ମାନେ କିଭଳି ସବୁ ସୁବିଧା ଓ ଲାଭ ହାତେଇବା ପରେ ନିଜସ୍ବ ବିଦ୍ୟୁତ କେନ୍ଦ୍ର ଭାବେ ଆୟୋଗଙ୍କ ଠାରୁ କ୍ଷମତା ହାତେଇ ନେଉଛନ୍ତି, ସେ ସଂକ୍ରାନ୍ତ ତଥ୍ୟ ସେ ରଖିଥିଲେ। ଏଥିରେ ପକ୍ଷଭୁକ୍ତ ହୋଇ ରମେଶ ଶତପଥୀ କହିଥିଲେ, ଓପିଜିସି ଏକମାତ୍ର ପବ୍ଲିକ୍‌ ଏଣ୍ଟରପ୍ରାଇଜର ଯେଉଁଥିରେ ସରକାର ଶତପ୍ରତିଶତ ଭାଗିଦାର ଅଛନ୍ତି। ହେଲେ ଓପିଜିସି ଘରୋଇ ସଂସ୍ଥା ଭଳି କାରବାର କରୁଛି। ପିଟିସନ୍‌ରୁ ଯାହା ଜଣାପଡ଼ୁଛି ସଂସ୍ଥାକୁ ଘରୋଇକରଣ କରିବାକୁ ଷଡ଼୍‌ଯନ୍ତ୍ର ହୋଇଛି।

 

ସମ୍ବନ୍ଧିତ ଖବର