ଗ୍ରାମସଭା ଅନୁମତି ନଥାଇ ଜନଶୁଣାଣି ଉଦ୍ୟମ: ପ୍ରଶାସନକୁ ଘଉଡ଼ାଇଲେ ପ୍ରଭାବିତ

ସୁନ୍ଦରଗଡ଼ : ରାଜଗାଙ୍ଗପୁର ବ୍ଲକ୍‌ସ୍ଥିତ ଓସିଏଲ୍‌ର ଲାଞ୍ଜିବେର୍ଣ୍ଣା ଚୂନପଥର ଖଣି ପାଇଁ କୁକୁଡ଼ା ଜଲୋଡିହି ଓ ଅଲଣ୍ଡା ରେଙ୍ଗାଲବାହାଲ ଠାରେ ଜନଶୁଣାଣି କରିବାକୁ ଯାଇଥିବା ପ୍ରଶାସନକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଉଭୟ ଗାଁରେ ଲୋକେ ପ୍ରାଶାସନିକ ଅଧିକାରୀ ଓ ପୁଲିସକୁ ଗାଁ ଭିତରେ ପଶିବାକୁ ଦେଇନାହାନ୍ତି। ଗ୍ରାମସଭାର ଅନୁମତି ନଥିବା, ଗ୍ରାମସଭାରେ ଜମି ଅଧିଗ୍ରହଣ ପ୍ରସ୍ତାବକୁ ପୂର୍ଣ୍ଣମତେ ଖାରଜ କରି ଦିଆଯାଇଥିବା ଓ ସାମାଜିକ ପ୍ରଭାବ ଆକଳନ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ବେ ଜନଶୁଣାଣି କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ପ୍ରଶାସନ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରି ଗାଁମୁଣ୍ଡରୁ ଫେରିଯାଇଥିବା ଖବର ମିଳିଛି।

ଜନଶୁଣାଣିକୁ ଉକ୍ତ ଅଞ୍ଚଳରେ ଲୋକଙ୍କର ପ୍ରବଳ ବିରୋଧ ଓ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପୂର୍ବ ନୋଟିସ ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ନେତୃତ୍ବରେ ଅନ୍ୟ ଅଧିକାରୀମାନେ ୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ସକାଳ ୮ଟା ୪୫ରେ ଜଲୋଡିହିରେ ଜନଶୁଣାଣି କରିବାକୁ ଆସିଥିଲେ। କିନ୍ତୁ ଗାଁର ପ୍ରବେଶ ପଥକୁ ଗଛଡାଳ ପକାଇ ଲୋକେ ବନ୍ଦ କରି ଦେଇ ଅଧିକାରୀମାନଙ୍କୁ ଗାଁ ଭିତରେ ପଶିବାକୁ ଦେଇ ନଥିଲେ। ଏହି ଅବସରରେ ଫୋରମ ଫର୍‌ ଗ୍ରାମସଭା କମିଟି ନେତା ବିବୋଲ ଟପ୍ପୋ ପ୍ରାଶାସନିକ ଅଧିକାରୀଙ୍କୁ ଗ୍ରାମସଭାର ଅନୁମତି ପତ୍ର ଦେଖାଇବା ପରେ ଆଲୋଚନା କରିବୁ ବୋଲି କହିଥିଲେ। ଯାହା ପ୍ରଶାସନକୁ ଅଡ଼ୁଆରେ ପକାଇଥିଲା। ଉପଜିଲ୍ଲାପାଳ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ କିଛି ଶୁଣି ନଥିଲେ। ପ୍ରାୟ ୪୫ ମିନିଟ ପରେ ଅଧିକାରୀମାନେ ସେଠାରୁ ଫେରିଯାଇଥିଲା।

ଏହାପରେ ସେମାନେ ପରବର୍ତ୍ତୀ ଗାଁ ରେଙ୍ଗାଲବାହାଲକୁ ଯାଉଥିବା ବେଳେ ସେହି ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ସେଠାରେ ମଧ୍ୟ ଲୋକେ ରାସ୍ତାରେ ଗଛଡାଳ କାଟି ଅଧିକାରୀମାନଙ୍କୁ ପଶିବାକୁ ଦେଇ ନଥିଲେ। ଅଲଣ୍ଡା ସରପଞ୍ଚ ଅଜିତ ଏକ୍କା ଅଧିକାରୀଙ୍କୁ ଗ୍ରାମସଭାର ଅନୁମତି ପତ୍ର ମାଗିଥିଲେ। ଓସିଏଲ୍‌କୁ କୌଣସି ସ୍ଥିତିରେ ଜମି ଦେବୁନାହିଁ ବୋଲି ଲୋକେ ନିଷ୍ପତ୍ତି ନେଇ ଜମି ଅଧିଗ୍ରହଣ ପ୍ରସ୍ତାବକୁ ଖାରଜ କରିଦେବା ପରେ ‌କେଉଁ ଆଧାରରେ ପ୍ରଶାସନ ଜନଶୁଣାଣି କରିବାକୁ ଆସିଛି ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରାୟ ୨୦ ମିନିଟ୍‌ ପରେ ଅଧିକାରୀମାନେ ସେଠାରୁ ମଧ୍ୟ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର