ବାଲେଶ୍ବର : ବାଲେଶ୍ବର ଉପକଣ୍ଠ ବାମପଦାସ୍ଥିତ ନୋସି ଅଡିଟୋରିୟମରେ ‘ରୋଟାରି କ୍ଲବ ଅଫ୍ ବାଲେଶ୍ବର ଅନ୍ ସି’ ତରଫରୁ ଏକ ପବ୍ଲିକ ଇମେଜ୍ ସେମିନାର ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଇମାମି ପେପର ମିଲ୍ସର ମୁଖ୍ୟ(ଷ୍ଟ୍ରାଟେର୍ଜି ଏବଂ ଅପରେସନ) ଏମ୍ବିଏସ ନୈୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଉପସ୍ଥିତ ଥିଲେ।
ମୁଖ୍ୟଅତିଥି ଶ୍ରୀ ନୈୟାର ନିଜ ବକ୍ତବ୍ୟରେ ରୋଟାରି କ୍ଲବ ଅଫ୍ ବାଲେଶ୍ବର ଅନ ସି ପକ୍ଷରୁ ବାଲେଶ୍ବରରେ କରାଯାଇଥିବା ସାମାଜିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଶିକ୍ଷା, ସଂସ୍କୃତି ଓ ସାମାଜିକ ବିକାଶରେ ଏହି କ୍ଲବର ଅବଦାନ ଅତୁଳନୀୟ। ତେଣୁ ପ୍ରତ୍ୟେକ ରୋଟାରିଆନ୍ ନିଜକୁ ଏବଂ ନିଜ ପରିବାରକୁ ଏହି କାର୍ଯ୍ୟରେ ଜଡ଼ିତ ରଖିବାକୁ ସେ କହିଥିଲେ। ଏହି ଅବସରରେ ଶ୍ରୀ ନୈୟାର ଇମାମି ଗ୍ରୁପ୍ ଦ୍ବାରା ବାଲେଶ୍ବର ଏବଂ ମୟୂରଭଞ୍ଜର ଶିକ୍ଷା, ପାନୀୟଜଳ, ଆଦିବାସୀ କଲ୍ୟାଣ ଓ ସାମାଜିକ ବିକାଶ ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ମୁଖ୍ୟବକ୍ତା ଶ୍ରୀମତୀ ନୈୟାରପଟ୍ଟନାୟକ କୌଣସି ଅନୁଷ୍ଠାନ କିମ୍ବା ସାମାଜିକ ସଂସ୍ଥା ପାଇଁ ଲୋକସମ୍ପର୍କର ଆବଶ୍ୟକତା ଓ ତା’ର ପ୍ରଭାବ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମାଜର ବିକାଶ ପାଇଁ ‘ସମ୍ବାଦ’ ଗ୍ରୁପ୍ର ଉଦାହରଣ ଦେଇ ଆମ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ କଳା, ସାହିତ୍ୟ, ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ସହ ରକ୍ତଦାନ ଅଭିଯାନ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇଥିଲେ। ତେଣୁ ପ୍ରତ୍ୟେକ ରୋଟାରିଆନ୍ ଜଣେ ଜଣେ ଇମେଜ୍। ସମାଜ ଠାରୁ କୌଣସି ଆଶା ନରଖି କାମ କରି ଚାଲିଲେ ଏବଂ ସେହି କାମ ଯଦି ସମାଜ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଉଛି, ତା’ହେଲେ ସମ୍ପୃକ୍ତ ସଂସ୍ଥା ଓ ତାର କର୍ମକର୍ତ୍ତାଙ୍କର ସମାଜରେ ଇମେଜ୍ ବା ଭାବମୂର୍ତ୍ତିର ବିକାଶ ଆପେ ବଢ଼ିଥାଏ ବୋଲି ସେ ଦେଇଥିଲେ।
ଅନ୍ୟତମଅତିଥି ଭାବେ ଡିଷ୍ଟ୍ରିକ୍ଟ ଟ୍ରେନର ଅଶୋକ ବିହାରୀ ମହାପାତ୍ର, ରୋଟାରିଆନ୍ ଶିବବ୍ରତ ଦାସ, ରୋଟାରିଆନ୍ ଶାନ୍ତନୁ ପାଣି, ରୋଟାରିଆନ୍ ପ୍ରଭୁଦତ୍ତ ସୁବୁଦ୍ଧି ଉପସ୍ଥିତ ରହିଥିଲେ। ରୋଟାରିଆନ୍ ଚାରୁ ଚଣ୍ଡକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ନିଖିଲ ଖଣ୍ଡେଲୱାଲ ଧନ୍ୟବାଦ ଦେଇଥିଲେ।