କଟକ: ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଘରୋଇ ଚିକିତ୍ସା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ଜବାବ ଦାଖଲ ପାଇଁ ସରକାର ପୁଣି ସମୟ ଲୋଡ଼ିଛନ୍ତି। ୨୦୨୪ ଏପ୍ରିଲ୍‌ ୬ରେ ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ କହିଥିଲେ। ଏହାପରେ ମେ’ ୬ରେ ମାମଲାର ଶୁଣାଣି ସମୟରେ ସରକାର ସମୟ ନେଇଥିଲେ। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଜବାବ ରଖିବାକୁ ୩ ସପ୍ତାହ ପ୍ରଦାନ କରାଯାଉ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏହାକୁ ଆବେଦନକାରୀ ଶ୍ରୀ ଜେନା ବିରୋଧ କରିଥିଲେ।

Advertisment

ଏହା ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡିତ ପ୍ରସଙ୍ଗ ହୋଇଥିବା ବେଳେ ସରକାର ତୁରନ୍ତ ଜବାବ ଦାଖଲ କରିବା ଉଚିତ ବୋଲି ଶ୍ରୀ ଜେନା ଦର୍ଶାଇଥିଲେ। ପୁରୀଘାଟସ୍ଥିତ ଘରୋଇ ଡାକ୍ତରଖାନା ପରିସରରେ ହୋଇଥିବା ଅଗ୍ନିକାଣ୍ଡ ପ୍ରସଙ୍ଗରେ ମଧ୍ୟ ଶ୍ରୀ ଜେନା କହିଥିଲେ। ଘରୋଇ ନର୍ସିଂହୋମ୍‌ ସମ୍ମୁଖରେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ନାଁ ଲେଖା ବୋର୍ଡ ଦେଖିବାକୁ ମିଳୁଛି ବୋଲି ସେ ଦର୍ଶାଇଥିଲେ। ଜବାବ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ଶେଷ ସୁଯୋଗ ପ୍ରଦାନ କରିବା ସହିତ ଅଗଷ୍ଟ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏପ୍ରିଲ ୬ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସରକାରଙ୍କୁ ଜବାବ ରଖିବାକୁ କହିଥିଲେ। ଶ୍ରୀ ଜେନା ନିଜେ ମାମଲା ପରିଚାଳନା କରୁଛନ୍ତି।