କଟକ: ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ) ଓଡ଼ିଶାରେ କାର୍ଯ୍ୟକାରୀ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ବିରୋଧ କରି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଦାୟର କରିଥିବା ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ପ୍ରାରମ୍ଭିକ ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ନିୟମାବାଳୀର ନିୟମ-୮ ଅନୁସାରେ ଆବେଦନ ଦାୟର ପୂର୍ବରୁ ଏହି ପ୍ରସଂଗରେ ପ୍ରତିକାର ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଆବେଦନକାରୀ ସ୍ମାରକପତ୍ର ପ୍ରଦାନ କରି ନଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବା ଏକ ଜରୁରୀ ପ୍ରସଂଗ ହୋଇ ଥିବା କଥାକୁ ଦୃଷ୍ଟିରେ ରଖି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।
ସରକାରଙ୍କ ତରଫରୁ ଆପତ୍ତିରେ ଦର୍ଶାଯାଇଥିଲା ଯେ ପିଆଇଏଲ ନିୟମାବଳୀ ପାଳନ ନ କରି ସିଧାସଳଖ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ନିୟମାବଳୀ ପାଳନ ହୋଇ ନଥିବାରୁ ଏହି ଜନସ୍ବାର୍ଥ ଆବେଦନ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ମାମଲାକୁ ଖାରଜ କରିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଂଗକୁ ନେଇ ଆବେଦନକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ସ୍ମାରକପତ୍ର ପ୍ରଦାନ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ନିୟମାବଳୀର ନିୟମ-୮ ଅନୁପାଳନ କରିବା ପରେ ପୁଣି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିଲେ।