କଟକ: ଧାନ ସଂଗ୍ରହ କ୍ଷେତ୍ରରେ ସରକାରଙ୍କ ନୀତି ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ବଲାଙ୍ଗୀରର କୃଷକ ନେତା ଯତି ପ୍ରଧାନଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଧାନର ଅଭାବୀ ବିକ୍ରି ରୋକିବାକୁ ରାଜ୍ୟ ସରକାର ସବୁ ବର୍ଷ ଧାନ ସଂଗ୍ରହ ପାଇଁ ସ୍ବତନ୍ତ୍ର ନୀତି କରୁଛନ୍ତି। ଚାଷୀ କିପରି ନିଜ ଧାନ ପାଇଁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ ତା ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି। ସାରା ରାଜ୍ୟ ପାଇଁ ଧାନ ସଂଗ୍ରହ ସଂପର୍କିତ ଗୋଟିଏ ନୀତି ରହୁଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଧାନ ଫସଲ ହୋଇଥାଏ। ଖରିଫ ଫସଲ ସଂଗ୍ରହ ନଭେମ୍ବରରୁ ଆରମ୍ଭ ହେଉଛି। କିନ୍ତୁ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ନୂଆଁଖାଇ ପୂର୍ବରୁ ଧାନ ଅମଳ ହୋଇଥାଏ।
ଏପରି ସ୍ଥିତିରେ ଚାଷୀ ଧାନ ବିକ୍ରି ପାଇଁ ନଭେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଉଚିତ ମନେ ନ କରି ସ୍ଥାନୀୟ ବେପାରୀଙ୍କ ହାତକୁ ନିଜ ଫସଲ ଟେକି ଦେଇଥାଏ। ତେଣୁ ଧାନ କ୍ରୟ ପାଇଁ ଯେଉଁ ସମୟ ସ୍ଥିର କରାଯାଉଛି ତାହା ବିଭିନ୍ନ ସ୍ଥାନର ଫସଲ ଅମଳ ସମୟକୁ ବିଚାରକୁ ନିଆଯାଇ ପରିବର୍ତ୍ତନ କରାଯାଉ। ପଶ୍ଚିମ ଓଡ଼ିଶାର ଚାଷୀଙ୍କ ନିକଟରୁ ଅଗଷ୍ଟ ବା ସେପ୍ଟେମ୍ବର ମାସରୁ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ। ଆଧୁନିକ ଜ୍ଞାନକୌଶଳର ଉପଯୋଗରେ କରାଯାଉଥିବା ଚାଷରେ କୃଷକ ୧ଏକର ଜମିରୁ ୨୦ରୁ ୪୦ କୁଇଣ୍ଟାଲ ଧାନ ଅମଳ କରୁଛନ୍ତି। କିନ୍ତୁ ୧ ଏକର ଜମି ଥିବା ଚାଷୀଙ୍କ ନିକଟରୁ ନିୟମ ଅନୁସାରେ ସରକାରୀ ପ୍ରକ୍ରିୟାରେ ୧୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଛି। ଏପରି ସରକାରୀ ନୀତି ପାଇଁ ପଶ୍ଚିମ ଓଡ଼ିଶାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳୁଛି। ତେଣୁ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ସମସ୍ତ ଧାନ ଫସଲ କ୍ରୟ ପାଇଁ ସରକାର ନୀତି କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଧାନ ସଂଗ୍ରହ ନୀତିରେ ସୁଧାର ପ୍ରସଂଗ ନେଇ ଆବେଦନକାରୀ ୨୦୨୦ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ବିଚାର କରି ନିଷ୍ପତ୍ତି ନେବା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ୨୦୨୦ ଅକ୍ଟୋବର ୨୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗକୁ ବିଚାର ପାଇଁ ୨୦୨୧ ଏପ୍ରିଲ ୮ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଜଣାଇଥିଲେ। କିନ୍ତୁ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କିଛି ନିଷ୍ପତ୍ତି ନେଇ ନାହିଁ। ଅଣଜଳସେଚିତ ଜମିରୁ ଏକର ପିଛା ଅତି କମରେ ୨୦ କୁଇଣ୍ଟାଲ ବା ସମସ୍ତ ଧାନ ସଂଗ୍ରହ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ପଶ୍ଚିମ ଓଡ଼ିଶାର କୃଷକଙ୍କ ନିକଟରୁ ସେପ୍ଟେମ୍ବରରୁ ଜୁନ୍ ମାସ ମଧ୍ୟରେ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରାଗଲେ ଆଉ ଅଭାବୀ ବିକ୍ରିର ସମସ୍ୟା ରହିବ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ବଲାଙ୍ଗୀର ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।