କଟକ: ହାଇକୋର୍ଟରେ ଅଯଥା ଜନସ୍ବାର୍ଥ ଆବେଦନ ଦାୟର କରି କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ ୫୦ ହଜାର ଟଙ୍କା ତଣ୍ଡ ଗଣିବେ। ଗୋଚର କିସମ ଜମି ଉପରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିବା ସହିତ ଆବେଦନକାରୀଙ୍କୁ ୫୦ ହଜାର ଟଙ୍କା (କଷ୍ଟ) ହାଇକୋର୍ଟ ବାର୍ ଆସୋସିଏସନ ଅାଇନଜୀବୀ କଲ୍ୟାଣ ପାଣ୍ଠିରେ ୭ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବେଦନକାରୀ ଏଥିରେ ବିଫଳ ହୁଅନ୍ତି ତେବେ ତାଙ୍କ ବିରୋଧରେ ଓପିଡିଆର ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇ ଏହି ଅର୍ଥ ଆଦାୟ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଜନସ୍ବାର୍ଥ‌ ମୋକଦ୍ଦମା ରୂପରେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦାୟର ଆବେଦନ ଗ୍ରହଣୀୟ ନୁହେଁ। ବହୁ ସମୟରେ ତୁଚ୍ଛ ଜନସ୍ବାର୍ଥ ମାମଲା ଦାୟର ହେଉଥିବା ବେଳେ ସେଥିରୁ ଏହି ମାମଲା ହେଉଛି ଗୋଟିଏ। ଅଯଥା ଆବେଦନ ଦାୟର କରି କୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ କରାଯାଇଛି ବୋଲି ହାଇକୋର୍ଟ କହିବା ସହିତ ଜନସ୍ବାର୍ଥ ମାମଲାକୁ ଅଗ୍ରାହ୍ୟ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଚର୍ତୁଭୂଜ ଗଡ଼ନାୟକ ଓ ଅନ୍ୟମାନଙ୍କ ତରଫରୁ ଦାୟର ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ବଅଁରପାଳ ତହସିଲ ଅନ୍ତର୍ଗତ ତଲତଲି ଠାରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଗୋଚର ଜମିର ବ୍ୟବହାରକୁ ବିରୋଧ କରି ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଗୋଚର ଜମିର କିସମ ପରିବର୍ତ୍ତନ ନ କରି ଓ ଏ ସଂପର୍କିତ ନିୟମ ଉଲ୍ଲଂଘନ କରି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଅନ୍ୟପକ୍ଷରେ ନିୟମ ଅନୁସାରେ ଏହି ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ନିୟମ ଅନୁପାଳନ କରାଯାଇ ନଥିବା ଅଭିଯୋଗ ସପକ୍ଷରେ କୌଣସି ତଥ୍ୟ ଉପସ୍ଥାପନ କରାଯାଇ ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।