କଟକ: ବକ୍ସିଂ ଖେଳକୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ (ଟ୍ୟାଲେଣ୍ଟ ସ୍କାଉଟ ପ୍ରୋଗ୍ରାମ)ରେ ସାମିଲ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ବାରମ୍ବାର ନିର୍ଦ୍ଦେଶ ପରେ ବି ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଆବେଦନକାରୀଙ୍କ ଅତିରିକ୍ତ ସତ୍ୟପାଠ ଉପରେ ଜବାବ ରଖିବାକୁ ୨୦୨୨ ମାର୍ଚ୍ଚ ୧୬‌ରେ ସରକାର ସମୟ ନେଇଥିଲେ। ୨୦୨୨ ନଭେମ୍ବର ୨୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ‌ଜବାବ ଦାଖଲ ପାଇଁ ଶେଷ ସୁଯୋଗ ଦେଇଥିଲେ। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ମାର୍ଚ୍ଚ ୧୬ର ନିର୍ଦ୍ଦେଶ ଅନୁସାରେ ଜବାବ ଦାଖଲ କରାଯାଇନାହିଁ।

Advertisment

ଆଜି ଜବାବ ଦାଖଲ ପାଇଁ ସରକାରଙ୍କ ତରଫରୁ ପୁଣି ଅଧିକ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ଏପ୍ରିଲ ୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏପ୍ରିଲ ୩ ସୁଦ୍ଧା ଜବାବ ଦଖଲ ନ ହୁଏ‌ ତେବେ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ ୱେଲଫେୟାର ଫଣ୍ଡରେ ଜମା କରାଯାଇ ଏହାର ରସିଦ ମାମଲାରେ ଦାଖଲ କରାଯିବ। ପରବର୍ତ୍ତୀ ଶୁଣାଣି ସମୟରେ କ୍ରୀଡ଼ା ଓ ଯୁବେସବା ବିଭାଗ ସଚିବ ଭର୍ଚୁଆଲ ମାଧ୍ୟମରେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟ ସୁଦର୍ଶନ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ୨୦୧୪ରୁ ବକ୍ସିଂ ଖେଳକୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ବକ୍ସିଂ ଖେଳ ପ୍ରତି ଆଗ୍ରହୀ ଥିବା ୧୫ଜଣଙ୍କ ପ୍ରସଂଗରେ ଆବେଦନକାରୀ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ପଣ୍ଡା ଓ ଅସିତ କୁମାର ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।