ବିଦ୍ୟୁତ ଦେୟ ବୃଦ୍ଧି ବିରୋଧରେ ଜନସ୍ବାର୍ଥ ମାମଲା: ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା

କଟକ : ବିଦ୍ୟୁତ ଦେୟରେ ବୃଦ୍ଧିକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। ମାମଲାର ଶୁଣାଣି ସମୟରେ ଓଇଆରସି ନିର୍ଦ୍ଦେଶ ଆଧାରରେ ୟୁନିଟ୍‌ ପିଛା ଦର ବୃଦ୍ଧି କରାଯାଇଥିବା ସ୍ପଷ୍ଟ ହୋଇଥିଲା। ବିଦ୍ୟୁତ ଦେୟ ବୃଦ୍ଧି ପ୍ରସଂଗକୁ ଚାଲେଞ୍ଜ ପାଇଁ କ’ଣ ଆଇନଗତ ବ୍ୟବସ୍ଥା ରହିଛି, ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିବାବେଳେ ଏଥିପାଇଁ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ାଯାଇଥିଲା। ଅନ୍ୟପକ୍ଷରେ, ଏହି ଜନସ୍ବାର୍ଥ ଆବେଦନରେ ରହିଥବା ତ୍ରୁଟି ସୁଧାରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଆବେଦନରେ ରହିଥିବା ତ୍ରୁଟି ସଂଶୋଧନ ପରେ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ବିଦ୍ୟୁତ ୟୁନିଟ ପିଛା ଦର ବୃଦ୍ଧିକୁ ଚାଲେଞ୍ଜ କରି ୨୦୨୧ରେ ଏହି ମାମଲା ଦାୟର କରାଯାଇଥିଲା। ଆବେଦନରେ ଦର୍ଶାଯାଇଛି ଯେ କରୋନା ମହାମରୀ ଯୋଗୁଁ ସାରାଦେଶର ଲୋକଙ୍କ ଆୟ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ବିଦ୍ୟୁତ ଦେୟ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରିବା ଗ୍ରହଣୀୟ ନୁହେଁ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ବିଦ୍ୟୁତ ଦେୟ ଉପଭୋକ୍ତାଙ୍କ ନିକଟରୁ ନିଆଯାଉଛି। ଗ୍ରିଡକୋର ବିଦ୍ୟୁତ ଦେୟ ବୃଦ୍ଧି ଆବେଦନର ଶୁଣାଣି କରି ଓଇଆରସି ଏପରି ନିର୍ଦ୍ଦେଶ ଦେଇଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟାକୁ ବିଚାରକୁ ନିଆଯାଇ ନାହିଁ। ଏପରି ବିଦ୍ୟୁତ ଦେୟ ବୃଦ୍ଧି ନିଷ୍ପତ୍ତି ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଶକ୍ତିବିଭାଗ, ଓଇଆରସି, ଗ୍ରିଡକୋ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସରୋଜ କୁମାର ପାଢ଼ୀ, ନୃସିଂହ ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର