ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ଟିକାକରଣ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : କରୋନା ଟିକାକରଣ ପାଇଁ ଘରୁ ‌ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ଅକ୍ଷମ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି।

ଜୁଲାଇ ୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ ଯେ ଘରେ ଯାଇ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁମତି ଦେଉ ନାହିଁ। ଘର ନିକଟସ୍ଥ ସ୍ଥାନରେ ବରିଷ୍ଠ ନାଗରିକ ଓ  ଭିନ୍ନକ୍ଷମଙ୍କ ଟିକାକରଣ ପ୍ରସଂଗରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ନିୟମାବଳୀ ଜାରି କରିଥିଲେ। ମେ ୩୧ରେ ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ପୌର ନିଗମଗୁଡ଼ିକୁ ଅବଗତ କରାଯାଇ ନିୟମାବଳୀ ଅନୁସାରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି। ଏଭଳି ନିୟମାବଳୀ ଅନୁସାରେ କେତେ ସଂଖ୍ୟକ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ କେରୋନା ଟିକା ପ୍ରଦାନ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏଭଳି ଆଉ କେତେ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କ ଟିକାକରଣ ପାଇଁ ପଦକ୍ଷେପ ନିଆଯାଉଛି ସେ ନେଇ ମଧ୍ୟ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ପରିଚୟପତ୍ର ନଥିବା ହିତାଧିକାରୀଙ୍କୁ ଟିକା ପ୍ରଦାନ ପ୍ରସଂଗରେ ମଧ୍ୟ ସବିଶେଷ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ‌‌ଅଗଷ୍ଟ ୩୧ ସୁଦ୍ଧା ଏ ନେଇ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ। ସେପ୍ଟେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡକ୍ଟର ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ସୋହନ ମିଶ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର