କଟକ : ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ଅନୁମତି ସଂପର୍କିତ ବିଚାରାଧୀନ ମାମଲାର ଆଜି ଶୁଣାଣି ହୋଇଛି। ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନ ପ୍ରସଂଗ ଉତ୍ଥାପନ କରାଯାଇଛି।
ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପଡୁଥିବାବେଳେ ଏହାପୂର୍ବରୁ ଶ୍ରୀ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। କୋଭିଡ କଟକଣା ମାନି ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବାରେ କିଛି ଅସୁବିଧା ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଏହି ମାମଲାରେ ପୂର୍ବରୁ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିବା ବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ମାମଲାର ଶୁଣାଣି ଚାଲିଛି।
ଏହି ଜନସ୍ବାର୍ଥ ମାମଲାରେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ବର୍ତ୍ତମାନ ସ୍ଥିତିରେ ପୁରୀ ଶ୍ରୀମନ୍ଦିର ଅଥବା ଅନ୍ୟ ମନ୍ଦିର ଖୋଲିରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ। ସବୁଠି ପୁଲିସ ମୁତୟନ କରି କଟକଣା କରିବା ସମ୍ଭବ ନୁହେଁ। ମନ୍ଦିର ପରିସରରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଥିବା ବେଳେ ଗର୍ଭଗୃହ ଭିତରକୁ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା କଷ୍ଟକର। ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ମତାମତକୁ ବି ଅବତାରଣା କରାଯାଇଥିଲା। କୁହାଯାଇଥିଲା ଯେ, ବହୁ ସଂଖ୍ୟାରେ ସେବକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଏ ତେବେ ଆଉ ଅଧିକ ସଂଖ୍ୟାରେ ସେବକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅଭିଜିତ ପତି ଓ ଯଜ୍ଞପ୍ରକାଶ ପରିଡ଼ଶ ସହାୟତା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Odisha-High-Court.jpg)