ଭୁବନେଶ୍ୱର-କଟକରେ ଗଣେଶ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ଭୁବନେଶ୍ୱର ଓ କଟକରେ ଗଣେଶ ପୂଜା ବନ୍ଦ ନେଇ ଜାରି ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାଣୀସାହିର ଆବେଦନକାରୀ ଶିବେନ୍ଦ୍ର କୁମାର ହାତୀ (୬୫)ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି।  ଆବେଦନକାରୀ ମୁଖ୍ୟ ସଚିବ, ଏସ୍‌ଆରସି, କମିସନରେଟ ପୁଲିସ, କଟକ ଜିଲ୍ଲାପାଳ, ସିଏମସି କମିସନର ଓ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ତାଙ୍କ ପୂର୍ବରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମଧ୍ୟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଦର୍ଶାଯାଇଛି, ପୂଜା ପାର୍ବଣ ଓ ପରମ୍ପରା ପାଳନ ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ତେଣୁ ଜଣଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ।  କରୋନା କଟକଣା ଭିତରେ ଟୁଇନସିଟିରେ ପୂଜା ପାଳନ ପାଇଁ ଅନୁମତି ପ୍ରଦାନ କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି ଆଇନଜୀବୀ। କଟକ- ଭୁବନେଶ୍ୱରରେ ଗଣେଶ ପୂଜା କରାଯାଉ। ଲୋକେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପିନ୍ଧି, ସବୁ ପ୍ରକାର କରୋନା କଟକଣାକୁ ମାନି ପୂଜା କରିବେ।

 

ସୂଚନାଯୋଗ୍ୟ, ଚଳିତ ବର୍ଷ ଗଂଜାମରେ ଗଣେଶ ପୁଜାର ଆୟୋଜନ ହେବ ନାହିଁ। ଜିଲ୍ଲା ପ୍ରଶାସନ  ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛି। ଜିଲ୍ଳପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖାଯାଇଛି। ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସାମାଜିକ ଦୂରତାକୁ ମାନି ସଂକ୍ରମଣକୁ ବୃଦ୍ଧି ନକରିବାପାଇଁ କୁହାଯାଇଛି। ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ। ଏହା ପୂର୍ବରୁ କଟକ, ଭୁବନେଶ୍ୱର, ଗଜପତି, ଖୋର୍ଦ୍ଧା ଓ ଜଗତସିଂହପୁରରେ ଗଣେଶ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର