ଲୋଭ ସାମ୍ନାରେ ବଳିପଡିଗଲା ମାନବିକତା! ବେପାରୀଙ୍କ ପିଆଜ ବୋହି ନେଇଗଲେ ଲୋକ

ବେଲପାହାଡ଼: ପିଆଜ ଖାଇବାର ଲାଳସା ସାମ୍ନାରେ ବଳି ପଡ଼ିଲା ମାନବିକତା | ପିଆଜ ନ କିଣି ମାଗଣାରେ ପିଆଜ ବୋହି ନେବାର ମାନସିକତା ନେଇ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକି ଲୋକଙ୍କ ଚିନ୍ତାଧାରା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି | ଜଣେ ପିଆଜ ବେପାରୀଙ୍କ ଅସୁବିଧାକୁ ସାମାନ୍ୟ ଭୃକ୍ଷେପ ନ କରି ତାଙ୍କ ପିଆଜକୁ ଲୋକ ବୋହିନେଇଛନ୍ତି | ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଅଂଚଳରେ କିଛି ଏଭଳି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି |

ମିଳିଥିବା ସୂଚନା ମୁତାବକ ବେଲପାହାଡ଼ ଫାଟକ ନିକଟରେ ପରିବା ଦୋକାନ କରିଥିବା ବିକ୍ରମ ମେହେର ନିଜ ଦୋକାନକୁ ଗତକାଲି ସନ୍ଧ୍ୟାରେ ସାଇକେଲ ମାଧ୍ୟମରେ ଏକ ବସ୍ତା ପିଆଜ ଆଣୁଥିଲେ | ହଠାତ ଏହି ସମୟରେ ପିଆଜ ବସ୍ତାଟି ଖୋଲିଯିବାରୁ ରାସ୍ତା ଉପରେ ପିଆଜ ଢ଼ାଳି ହୋଇଯାଇଥିଲା | ବିକ୍ରମ ସାଇକେଲ ରଖି ପିଆଜ ଗୋଟାଇବାକୁ ଯାଉଥିବା ବେଳେ କିଛି ଲୋକ ପିଆଜ ନେବାକୁ ଚାଲିଆସିଥିଲେ |

ବ୍ୟବସାୟୀଙ୍କ ପିଆଜକୁ ନିଜ ବ୍ୟାଗରେ ପୁରାଇ ବୋହି ନେଇଯାଇଥିଲେ | କେବଳ ନିଜେ ନେଇ ନଥିଲେ ବଡ ପାଟିରେ ଚିତ୍କାର କରି ପିଆଜ ନେବାକୁ ଅନ୍ୟ ଲୋକଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ | ପିଆଜ କିଲୋ ପିଛା ୧୨୦ ଟଙ୍କାରୁ ଖସି ୬୦ ଟଙ୍କାରେ ପହଁଚିଥିବା ବେଳେ ପିଆଜ ବିକ୍ରି କରି ନିଜ ପରିବାର ଚଳାଉଥିବା ଜଣେ ବ୍ୟବସାୟୀଙ୍କ ପିଆଜ ନେଇଯିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି |

ସମ୍ବନ୍ଧିତ ଖବର