ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ହତ୍ୟା, ବୋମା ମାଡ଼, ଡକାୟତି, ଲୁଟ୍‌ ଭଳି ଆତଙ୍କ ରଚୁଥିବା ‌ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦାନ୍ତ ଅପରାଧୀ ଜନତାଙ୍କ ହାତରେ ଜୀବନ ଦେଉଥିବା ଦେଖାଯାଇଛି। ଯେଉଁ କୁଖ୍ୟାତ ଅପରାଧୀମାନଙ୍କ ଭୟରେ ଜନତା ଦିନେ ଥରହର ହେଉଥିଲେ, ଶେଷରେ ସାହସ ସଞ୍ଚୟ କରି ସବୁଦିନ ପାଇଁ ସେହି ଜନତା ହିଁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାସ୍ତାରୁ ହଟାଇ ଦେଉଥିବା ଦେଖାଯାଉଛି। କେଉଁଠି ଜନତା ତ କେଉଁଠି ସଂପୃକ୍ତ ଅପରାଧୀଙ୍କ ସହଯୋଗୀ ହିଁ ମିଳିମିଶି ସେମାନଙ୍କୁ ହତ୍ୟା କରୁଥିବା ଦେଖାଯାଇଛି। ରାଧା, ପାଙ୍ଗା ପରେ ବିକାଶର ଜୀବନ ଯିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି।

Advertisment

ଦୁଇଦିନ ତଳେ ଅର୍ଥାତ୍‌ ଗତ ଦୀପାବଳି ଦିନ ହତ୍ୟାର ଶିକାର ହୋଇଥିବା ଦଶପଲ୍ଲାର ଦୁର୍ଦ୍ଦାନ୍ତ ବିକାଶ ବେହେରା। ଏହାପୂର୍ବରୁ ୨୦୧୯ ମସିହାରେ ଓଡ଼ଗାଁର ଲେଡିଡନ୍‌ ଭାବେ ପରିଚିତ ରାଧାରାଣୀ ପ୍ରମୁଖଙ୍କ କ୍ଷେତ୍ରରେ ଅତିଷ୍ଠ ଜନତା ପ୍ରତିଶୋଧ ନେଇଥିଲେ। ସେହିଭଳି, ୨୦୨୧ ମାର୍ଚ୍ଚ ୧‌ରେ ଓଡ଼ଗାଁ ବ୍ଲକ୍‌ ଡିମିସରର ବାସିନ୍ଦା କୁଖ୍ୟାତ ଡକାୟତ ପ୍ରଭାତ କୁମାର ରାଉତ ଓରଫ୍‌ ପାଙ୍ଗାଙ୍କୁ ଜୀବନରୁ ହଟାଇ ଦେଇଥିଲେ। ଅନେକ ସମୟରେ ଏଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ କୁନ୍ଥକୁନ୍ଥ ହେଉଥିବା ବେଳେ ଲୋକମାନେ ନିଜଆଡ଼ୁ ଦଣ୍ଡଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଏକ ନିର୍ଭର‌ଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଅନୌପଚାରିକ ଭାବେ ପୁଲିସ୍‌ ଏହିଭଳି ଘଟଣାକୁ ସ୍ବାଗତ୍‌ କରୁଛି। ଜନସାଧାରଣ ମଧ୍ୟ ଆତଙ୍କରୁ ତ୍ରାହି ପାଉଥିବାରୁ ଏଭଳି ଘଟଣାକୁ ନିରବ ସମର୍ଥନ କରୁଛନ୍ତି। ତେବେ, ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ପୁଲିସ୍‌ ଅଧିକାରୀଙ୍କ ମତ ହସ୍ତଗତ ହୋଇନାହିଁ।

ଅନ୍ୟପକ୍ଷରେ, ବିକାଶ, ପାଙ୍ଗା, ରାଧାରାଣୀଙ୍କ ନିକଟରେ ଏଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ଶେଷ ହୋଇଯାଇନାହିଁ। ଏବେବି ଜିଲ୍ଲାରେ ୧୦ ଅଧିକ ଏଭଳି ଅପରାଧୀ ଥିବା ଜଣାପଡ଼ିଛି। ୨୦୧୮ରେ ଏଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତତ୍‌କାଳୀନ ଏସ୍‌ପି ଆଶିଷ ସିଂହ ଘନ ଘନ ଏନ୍‌କାଉଣ୍ଟର କରୁଥିବା ଦେଖାଯାଇଥିଲା। ଅପରାଧ ଘଟାଇବା ପୂର୍ବରୁ ଏନ୍‌କାଉଣ୍ଟର କଥା ଭାବି ଅପରାଧୀ ଭୟରେ ଶିହରି ଉଠୁଥିଲେ। ସେହିବର୍ଷ ଜିଲ୍ଲା ପୁଲିସ ୫ଟି ଏନ୍‌କାଉଣ୍ଟର କରିଥିଲା, ଯେଉଁଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବଳରାମ ମଲ୍ଲିକ(ଚଗଲା)ର ଜୀବନ ମଧ୍ୟ ଚାଲି ଯାଇଥିଲା। ୨୦୧୮ ଜାନୁଆରି ୨୨ରେ ନୟାଗଡ଼ ସହର ନିକଟସ୍ଥ ବାରମାସୀ ଦଣ୍ଡା ନିକଟରେ ପ୍ରଥମେ ସୁରେଶ ରାଉତ, ଏପ୍ରିଲ ୧୩ରେ ଅପରାଧୀ ସିଲୁ, ମଇ ୪ରେ ରବି ଦୋରା, ଜୁନ୍ ୪ରେ କାବୁଲି ଖାଁ, ଜୁଲାଇ ୫ ତାରିଖରେ ସେହିବର୍ଷ ଶେଷଥର ପାଇଁ ନୟାଗଡ଼ ଜିଲ୍ଲା ପୁଲିସ ଚଗଲାକୁ ଏନ୍‌କାଉଣ୍ଟର୍‌ କରିଥିଲା। ଏହାପରେ ଆଉ ନୟାଗଡ଼ ଜିଲ୍ଲା ପୁଲିସର ବନ୍ଧୁକ ଗର୍ଜନ ଶୁଣିବାକୁ ମିଳୁନାହିଁ। ଏବେବି ୧୦ ରୁ ଅଧିକ ଏଭଳି ଜଘନ୍ୟ ଅପରାଧୀ ରହିଥିବା ଜଣାପଡ଼ିଛି।