ଉପନିର୍ବାଚନ ପରେ ହିଞ୍ଜିଳିରୁ ଜନସଂପର୍କ ଅଭିଯାନ

ଚାଷୀ ଓ ମହିଳାଙ୍କ ପ୍ରସଙ୍ଗରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନିଷ୍ପତ୍ତି
ପିସିସି ସଭାପତି ପରିବର୍ତ୍ତନକୁ ଅଗ୍ରାହ୍ୟ କଲେ ଓଡ଼ିଶା ପ୍ରଭାରୀ
୨ମାସ ମଧ୍ୟରେ ଜିଲ୍ଲା ଓ ବ୍ଲକ କଂଗ୍ରେସ କମିଟି ପୁନର୍ଗଠନ
୨୦୨୪ରେ ଓଡ଼ିଶାରେ କଂଗ୍ରେସ ସରକାର ଫେରାଇବାକୁ ସଂକଳ୍ପ

ଭୁବନେଶ୍ୱର : ଦୁଇମାସ ମଧ୍ୟରେ ଜିଲ୍ଲା ଓ ବ୍ଳକ କଂଗ୍ରେସ କମିଟି ପୁର୍ନଗଠନ କରାଯିବ। ଲୋକମାନଙ୍କର ସମସ୍ୟାକୁ ନେଇ କଂଗ୍ରେସ ଦୃଢ଼ତାର ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ। ଏଥିପାଇଁ ଦୃଢ ସଂକଳ୍ପ ନିଆଯାଇଛି। ଲକ୍ଷ୍ୟ ରହିଛି, ୨୦୨୪ରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ। ଏଣୁ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ଲାଗି ପ୍ରତିଶ୍ରୁତିବଦ୍ଧତା ସହିତ କାମ କରିବା ପାଇଁ ଡାକ୍ତର ଏ ଚେଲ୍ଲାକୁମାର ନବ ନିଯୁକ୍ତ ସଭାପତିମାନଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ନବ ନିଯୁକ୍ତ ଜିଲ୍ଲା ସଭାପତିମାନଙ୍କର ବୈଠକ ଅନୁଷ୍ଠିତ େହାଇଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ପ୍ରଭାରୀ ଡାକ୍ତର ଏ ଚେଲ୍ଲାକୁମାର ଓ ପିସିସ ସଭାପତି ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହିତ ଶୁଭେଚ୍ଛା ଜଣାଇଥିଲେ। ପରେ ଡାକ୍ତର ଚେଲ୍ଲାକୁମାର କହିଥିଲେ, ସଭାପତିମାନେ ନିଜ ନିଜ ଜିଲ୍ଲାର ଜଣେ ଜଣେ ଟାଣୁଆ ସଂଗଠକ। ଦଳକୁ ଆହୁରି ସକ୍ରିୟ ଓ ଦୃଢ କରିପାରିଲେ କଂଗ୍ରେସ ଦଳ ଆସନ୍ତା ଦିନରେ ଶାସନ କ୍ଷମତାକୁ େଫରିବ।

ଏହି ଅବସରରେ ଡାକ୍ତର ଚେଲ୍ଲାକୁମାର ପିସିସି ପରିବର୍ତ୍ତନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ସେ କହିଥିଲେ, ରାଜ୍ୟରେ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ଦୃଢ କରିବା ଲାଗି ନିର୍ଦିଷ୍ଟ କି କି ପଦକ୍ଷେପ ନେବା ଆବଶ୍ୟକ ସେ ଦିଗରେ କାର୍ଯ୍ୟ କରିବା ଲାଗି ଦଳର ନେତାମାନେ ଧ୍ୟାନ ଦେବେ। ଏଥିପାଇଁ ସେ ଜିଲ୍ଲା ସଭାପତିମାନଙ୍କୁ ୨ମାସର କଣ୍ଟ ଦେଇଛନ୍ତି।

ଉପନିର୍ବାଚନ ପରେ ପରେ କଂଗ୍ରେସର ଜନସଂପର୍କ ଅଭିଯାନ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ହିଞ୍ଜିଳିରୁ ଏହା ଆରମ୍ଭ କରାଯିବ। ଚାଷୀ ଓ ମହିଳାଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ନଭେମ୍ବର ୫ ତାରିଖ ଦିନ ମହିଳା ଉତ୍ପୀଡ଼ନ ବିରୋଧ ଦିବସ ଓ ଅକ୍ଟୋବର ୩୧ ତାରିଖ ଦିନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିବସରେ କୃଷକ ବଞ୍ଚାଅ ଦିବସ ପାଳନ କରାଯିବ।

ଅନ୍ୟପକ୍ଷରେ ଜିଲ୍ଲା ସଭାପତିମାନେ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ବିଶ୍ବାସଭାଜନ ହେବାକୁ ପିସିସି ସଭାପତି ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଭାବବିହ୍ବଳ ହେବା ସହିତ ମୃତ୍ୟୁ ପୂର୍ବରୁ ସେ କଂଗ୍ରେସକୁ ବିଜୟୀ କରାଇବେ ବୋଲି କହିଥିଲେ।

ଏହି ବୈଠକରେ ବିଧାୟକ ତଥା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ, ରମେଶ ଜେନା, ଦାଶରଥି ଗମାଙ୍ଗ, ଜର୍ଜ ତିର୍କୀ, ମାନସ ଚୌଧୁରୀ, ଅଂଶୁମାନ ମହାନ୍ତି, ମୀନାକ୍ଷୀ ବାହିନୀପତି, ଗିରିବାଳା ବେହେରା, ବିଶ୍ୱଜିତ୍ ଦାସ, ଅଜିତ ମଙ୍ଗରାଜ, ମନୋରଞ୍ଜନ ତ୍ରିପାଠୀ, ହେମନ୍ତ ଦାସ, ନିହାର ମହାନନ୍ଦ, ସୁବ୍ରତ ଦାସ, ଦିଲ୍ଲୀପ କୁମାର ବେହେରା, ନବକୁମାର ମିଶ୍ର, ସରୋଜ ପଟ୍ଟନାୟକ, ଭରତ ଅୱସ୍ତି, ଭାରତଭୂଷଣ ବେମାଲ, ଗୋବିନ୍ଦ ପାତ୍ର, ଘାସିରାମ ମାଝୀ, ରଂଜିତ ଦାସ, ଦୁର୍ଗାପ୍ରସାଦ ପଣ୍ଡା, ଗୌରିଶଙ୍କର ପଣ୍ଡା, ବେଣୁମାଧବ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଆଗାମୀ ଦୁଇଟି ଉପନିର୍ବାଚନ ନିମନ୍ତେ ନିରବଚ୍ଛିନ୍ନ ପ୍ରତିବଦ୍ଧତାର ସହ କଂଗ୍ରେସ ପ୍ରାର୍ଥୀ ଦ୍ୱୟଙ୍କୁ ଜିତାଇବା ନିମନ୍ତେ ସାହଯ୍ୟ ସହଯୋଗ ଓ ପ୍ରଚାର ଉପଲକ୍ଷେ ସମୟ ବାହାର କରିବାକୁ ପିସିସି ସଭାପତି ଓ ପ୍ରଭାରୀ ପରାମର୍ଶ ଦେଇଥିଲେ। ସଭା ପ୍ରାରମ୍ଭରେ ବିଶିଷ୍ଟ କଂଗ୍ରେସ ନେତା ସ୍ୱର୍ଗତ ଗୁରୁପଦ ନନ୍ଦ ଓ ସ୍ୱର୍ଗତ ହରମୋହନ ଦାସଙ୍କ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଦିବଂଗତ ନେତାଦ୍ୱୟଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର