ଭୁବନେଶ୍ବର: ଲୋକସେବା ଭବନ ଏବେ ବିପଦରେ। କେତେବେଳେ ଲୋକସେବା ଭବନ ଜଳିଯିବ ସେ ଆଶଙ୍କା ସୃଷ୍ଟି ହେଲାଣି। ଆହୁରି ବଡ଼ କଥା ହେଲା, ଲୋକସେବା ଭବନ ଅଗ୍ନିକାଣ୍ଡର ଇତିହାସ କହୁଛି ଯେତେବେଳେ ଛୁଟି ହେଉଛି ତା’ପରଦିନ ଅଗ୍ନିକାଣ୍ଡ ହେଉଛି। ନିଆଁ ଯେଉଁଠୁ ଲାଗି ଯେତେ ଯାହା ପୋଡ଼ି ହେଲେ ବି ସବୁଥର ଗୋଟିଏ କାରଣ କୁହାଯାଉଛି, ସର୍ଟସର୍କିଟ୍ ପାଇଁ ଅଗ୍ନିକାଣ୍ଡ ହୋଇଛି। ହେଲେ କିଏ ନିଆଁ ଲଗାଉଛି ନା ସତରେ ସର୍ଟସର୍କିଟ ହେଉଛି ତା’ର କାରଣ କିନ୍ତୁ ଖୋଜାଯାଉନି। ଯେଉଁଥିପାଇଁ କାହା ଉପରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଯାହା ଏବେ ଲୋକସେବା ଭବନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲାଣି।
ରାଜ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ହେଉଛି ଲୋକସେବା ଭବନ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ମନ୍ତ୍ରୀ, ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ସମେତ ୨୩ଟି ବିଭାଗର ମୁଖ୍ୟାଳୟ ଅଛି। ପ୍ରାୟ ହଜାରେରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ହେଲେ କେତେବେଳେ ଯେ ହଠାତ୍ ନିଆଁ ସମସ୍ତଙ୍କ ପାଇଁ ବିପଦ ସାଜିବ ତାହା କହିହେବନି। ମଲ୍, ବ୍ୟାଙ୍କ, ଆପାର୍ଟମେଣ୍ଟ, ବିଭିନ୍ନ ଅଟ୍ଟାଳିକା, ଦୋକାନରେ ସ୍ପ୍ରିଙ୍କଲର୍ ଲାଗି ଥିବାରୁ ନିଆଁ ଲାଗିଲେ ଏଥିରୁ ସ୍ବତଃସ୍ଫୂର୍ତ୍ତ ଭାବେ ପାଣି ସ୍ପ୍ରେ’ ହୋଇ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରିଦିଏ। ଏପରିକି ଅଗ୍ନିଶମ କର୍ମଚାରୀମାନେ ଆସିବା ବେଳକୁ ବିଶେଷ କ୍ଷୟକ୍ଷତି ହୁଏନି। ହେଲେ ଲୋକସେବା ଭବନରେ ଏ ବ୍ୟବସ୍ଥା ଥାଇ ବି ଏହା ଠିକ୍ ଭାବେ କାର୍ଯ୍ୟ କରୁନି। ଯେଉଁଥିପାଇଁ ବାରମ୍ବାର ନିଆଁ ଲାଗୁଥିବାବେଳେ ଅଗ୍ନିଶମ ବାହିନୀ ଆସିବାବେଳକୁ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ପୋଡ଼ିଯାଉଛି। ବିଡ଼ମ୍ବନାର ବିଷୟ ହେଲା- ବିଭିନ୍ନ ଘରୋଇ ସଂସ୍ଥାର ଅଗ୍ନିକାଣ୍ଡ ଘଟିଲେ ଅଗ୍ନିଶମ ବିଭାଗ କେତେ କ୍ଷୟକ୍ଷତି ହେଲା ତା’ର ଆକଳନ କରି ଏକ ରିପୋର୍ଟ ଦେଇଥାଏ। କିନ୍ତୁ ଲୋକସେବା ଭବନରେ ଗତ ୯ବର୍ଷରେ ୭ଥରରୁ ଅଧିକ ଥର ନିଆଁ ଲାଗିଥିଲେ ବି କେତେ କ୍ଷୟକ୍ଷତି ହୋଇଛି ସେ ସଂକ୍ରାନ୍ତ ଆକଳନ ରିପୋର୍ଟ ସରକାରଙ୍କ ପାଖରେ ନାହିଁ।
ତଥ୍ୟ କହୁଛି, ସବୁଠୁ ବଡ଼ ଅଗ୍ନିକାଣ୍ଡ ଜୁନ୍ ୧୭, ୨୦୧୪ରେ ପଞ୍ଚାୟତିରାଜ ବିଭାଗରେ ହୋଇଥିଲା। ମେ' ୧୮, ୨୦୧୫ରେ ଗୃହ ବିଭାଗରେ ବି ଅନୁରୂପ ଢଙ୍ଗରେ ଅଗ୍ନିକାଣ୍ଡ ଘଟି ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏପରିକି ପ୍ରମୁଖ ସଚିବଙ୍କ ପ୍ରକୋଷ୍ଠରେ ବି ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ସେେତବେଳେ ଲୋକସେବା ଭବନ (ପୂର୍ବର ସଚିବାଳୟ)ରେ କରିଡର, ବାବୁଙ୍କ କାର୍ଯ୍ୟାଳୟରେ ଅଧିକ ପ୍ୟାନେଲିଂ କାମ ହୋଇନଥିବାରୁ ନିଆଁ ଅନ୍ୟ କାର୍ଯ୍ୟାଳୟକୁ ବ୍ୟାପିଲାନି। ଏବେ ସ୍ଥିତି ଭିନ୍ନ। ଏବେ ଲୋକସେବା ଭବନରେ ନିଆଁ ଲାଗିଲେ ଯେପରି ପୂରା କୋଠାରେ ନିଆଁ ବ୍ୟାପିଯିବ, ସେଥିପାଇଁ ଇନ୍ଧନ ପ୍ରସ୍ତୁତ କରି ରଖିଛି ପୂର୍ତ୍ତ ବିଭାଗ। ନେତା, ମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ପ୍ରକୋଷ୍ଠକୁ ୱାଲ୍ ପ୍ୟାନେଲିଂ ମାଧ୍ୟମରେ ଏମିତି ସଜେଇ ଦିଆଯାଇଛି ଯେ ଥରେ ନିଆଁ ଲାଗିଲେ ସହଜରେ ନିଆଁ ଆୟତ୍ତ ହେବନି। ଏହା ସାଙ୍ଗକୁ ପୁରୁଣା ଇଲେକ୍ଟ୍ରି ୱେୟାରିଂ ଯୋଗୁଁ ବିଦ୍ୟୁତ ତାରଗୁଡ଼ିକ ବହୁ ସ୍ଥାନରେ ଝୁଲି ରହିଛି। ୨୦୧୭ ମସିହାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଇଲେକ୍ଟ୍ରି ୱେୟାରିଂ ବଦଳାଇବା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବାକୁ ପଦକ୍ଷେପ ନେଇଥିଲେ ବି ତାହା ଏପର୍ଯ୍ୟନ୍ତ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଲାନି।
ଲୋକସେବା ଭବନରେ କିଛି ବରିଷ୍ଠ ଅଧିକାରୀଙ୍କୁ ଖୁସି କରିବା ଏବଂ କିଛି ଠିକାଦାରଙ୍କୁ ପୋଷିବା ଲାଗି ପ୍ରକୋଷ୍ଠଗୁଡ଼ିକର ଭିତର ଓ ବାହାର ପାର୍ଶ୍ବକୁ ୱାଲ୍ ପ୍ୟାନେଲିଂ କରି ଦିଆଯାଇଛି। କାନ୍ଥରେ, ଚଟାଣରେ ପ୍ଲାଏ ଏବଂ ଭିନର୍ ଏମିତି ଲାଗିଛି ଯେ ସେଠାରେ କାନ୍ଥ କି ସିମେଣ୍ଟ ଚଟାଣ ଅଛି ଜଣାପଡ଼ୁନି। ଫଳରେ ଯେତେବେଳେ କୌଣସି କାରଣରୁ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହେଉଛି ନିଆଁ ପ୍ଲାଏ ଏବଂ ଭିନର୍କୁ ହଠାତ୍ ଧରି ଯାଉଛି। ଯାହା ଫଳରେ ମାତ୍ର କିଛି ସମୟରେ ନିଆଁ ହୁ ହୁ ହୋଇ ବ୍ୟାପି ଯାଉଛି। ବାରମ୍ବାର ନିଆଁ ଲାଗିବା ସତ୍ତ୍ବେ ନିଆଁ କାହିଁକି ଜଲ୍ଦି ବ୍ୟାପୁଛି, ତାହା ଉପରେ କେହି ତର୍ଜମା ନକରି କେବଳ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଲା କହି ଚୁପ୍ ବସି ପଡ଼ୁଛନ୍ତି। କେବଳ ଏତିକି ନୁହେଁ, ଲୋକସେବା ଭବନରେ ବସୁଥିବା ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ପ୍ରକୋଷ୍ଠ ବଦଳିଲେ ସେହି ଅନୁଯାୟୀ ପ୍ରକୋଷ୍ଠର ରୂପ ବଦଳୁଛି। ସିଲିଂରୁ ଆରମ୍ଭ କରି କାନ୍ଥ, ଚଟାଣ ସବୁକୁ ଏମିତି ସଜାଯାଉଛି ଯେ ଏହା ତାରକା ହୋଟେଲ ଭଳି ଲାଗୁଛି। ହେଲେ ଏହାକୁ କିପରି ନିଆଁ ନ ଧରିବ, ସେନେଇ କିନ୍ତୁ କିଛି ବ୍ୟବସ୍ଥା କରାଯାଉନି। ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗ ପକ୍ଷରୁ ଏନେଇ ତନାଘନା ହେଉନାହିଁ। ପୂର୍ତ୍ତ ବିଭାଗ ପୂରା ଲୋକସେବା ଭବନ ଜଳିବା ପାଇଁ ପ୍ଲାଏ, ଭିନର୍ ବିଛାଇ ଚାଲିଛି।
ଆହୁରି ସାଂଘାତିକ କଥା ହେଲା, ଲୋକସେବା ଭବନରେ ଆଜି ପର୍ଯ୍ୟନ୍ତ ଯେତେ ଥର ଅଗ୍ନିକାଣ୍ଡ ଘଟିଲାଣି ସେଥିରୁ ଅଧିକାଂଶ ଛୁଟିର ପରଦିନ ଘଟିଛି। କେତେକ କର୍ମଚାରୀଙ୍କ କହିବାନୁଯାୟୀ, କିଛି ଅଧିକାରୀ ସଂଧ୍ୟାପରେ ନିଜ ପ୍ରକୋଷ୍ଠରେ ବସୁଥିଲେ ହେଁ ସେଠାରେ କାମ କରୁଥିବା ତଳିଆ କର୍ମଚାରୀମାନେ ସବୁଦିନ ଅଧିକାରୀ ରହିବା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହୁନାହାନ୍ତି। ଫଳରେ ବରିଷ୍ଠ ଅଧିକାରୀମାନେ କାମ ସାରି ଘରକୁ ଫେରିବା ପରେ ବି ଅଫିସ୍ରେ ଲାଇଟ୍, ଫ୍ୟାନ୍, ଏସି ଅଧିକାଂଶ ସମୟରେ ବନ୍ଦ ହେଉନି। ଦୀର୍ଘ ସମୟ ଏହା ଚାଲୁଥିବାରୁ ସର୍ଟସର୍କିଟ୍ରୁ ନିଆଁ ଲାଗି ଯାଉଛି। ଏହାବାଦ୍ କେତେକ ବରିଷ୍ଠ ଅଧିକାରୀ ସେମାନେ ଆସିବା ପୂର୍ବରୁ ତାଙ୍କ ପ୍ରକୋଷ୍ଠକୁ ପୂରା ଥଣ୍ଡା କରି ରଖିବାକୁ ତାଗିଦ୍ କରୁଥିବାରୁ ତଳିଆ କର୍ମଚାରୀମାନେ ସକାଳୁ ଆସି ଏସି ଅନ୍ କରି ଦେଉଛନ୍ତି। ଯେଉଁଦିନ ଅଧିକାରୀ ଆସୁନାହାନ୍ତି ସେଦିନ ବି ଦିନତମାମ୍ ଏସି ଚାଲୁଛି। ମନପଡ଼ିଲେ ବନ୍ଦ ହେଉଛି ନହେଲେ ନାହିଁ। ଏହା ବି ସର୍ଟସର୍କିଟର ଅନ୍ୟ କାରଣ ବୋଲି କୁହାଯାଉଛି। କିନ୍ତୁ ଏକଥା କିଏ ବାବୁଙ୍କୁ ବୁଝାଇବ।
...............
କେବେ ଅଗ୍ନିକାଣ୍ଡ ହୋଇଥିଲା
ମେ ୧୮, ୨୦୧୩- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଜୁନ୍ ୧୭, ୨୦୧୪- ପଞ୍ଚାୟତିରାଜ ବିଭାଗ
ମେ ୧୮, ୨୦୧୫- ଗୃହ ବିଭାଗ
ଅକ୍ଟୋବର ୧୨, ୨୦୧୯- କେୟାରଟେକର ରୁମ୍
ଜୁନ୍ ୨୫, ୨୦୨୧- ପଞ୍ଚାୟତିରାଜ ବିଭାଗ
ଅକ୍ଟୋବର ୩, ୨୦୨୩- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଅକ୍ଟୋବର ୧୮, ୨୦୨୩- ଏସ୍ସି, ଏସ୍ଟି ବିଭାଗ