ଅନୁଗୁଳ : ଦିନସାରା ଟାଇଁ ଟାଇଁ ଖରା। ବର୍ଷା, ପବନ ବିଲ୍କୁଲ ନାହିଁ। ରାତିରେ ଆକାଶ ନିର୍ମଳ। କିନ୍ତୁ ଅଧ ରାତିରୁ ବିଜୁଳି ଗଲା ଯେ, ସକାଳେ ଆସିଲା। ଅନୁଗୁଳ ସହରର ହାକିମପଡ଼ା ଅଞ୍ଚଳରେ ବିଜୁଳିର ଏମିତି ଲୁଚକାଳି ଖେଳ ପାଇଁ ହଜାର ହଜାର ଲୋକ ଗତ ରାତିରେ ଠିକ୍ ଭାବେ ଶୋଇପାରି ନାହାନ୍ତି। ସହରର ସୁସୁଡ଼ା ଅଞ୍ଚଳରେ ତ ସବୁବେଳେ ଲୋ-ଭୋଲଟେଜ୍ ସମସ୍ୟା ଲାଗି ରହୁଛି। ଦିନରାତି ଏହି ଲୋ-ଭୋଲଟେଜ୍ ସମସ୍ୟା ଲାଗି ରହିଥିବାରୁ ଲୋକମାନେ ତ୍ରାହି ତ୍ରାହି ଡାକିଲେଣି।
ଅନୁଗୁଳ ଏକ ଶିଳ୍ପ ବହୁଳ ଜିଲ୍ଲା। ଏଠାରେ ଖଣି ଓ କଳକାରଖାନା ପାଇଁ ତାପମାତ୍ରା ଉପରମୁହାଁ ହୋଇ ରହୁଛି। ପୁଣି ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ସହି ହେଉନି। ଠିକ୍ ଏହି ସମୟରେ ବିଜୁଳି କାଟ୍ କଟା ଘାରେ ଚୂନ ଦେଲା ପରି ଲାଗୁଛି। ଆଉ ଚଳିତବର୍ଷ ବିଜୁଳି କାଟ୍ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ବିଜୁଳି କାଟ୍ ହେଉ ନଥିବା ସରକାରୀସ୍ତରରେ କୁହାଯାଉଥିଲେ ମଧ୍ୟ ବାସ୍ତବରେ ଦିନକୁ ଏକାଧିକ ଦଫାରେ ଘଣ୍ଟାଏରୁ ଦୁଇ ଘଣ୍ଟା ବିଜୁଳି ଯାଉଛି। ଗାଁ ଗହଳିରେ ଏହି ସମସ୍ୟା ଆହୁରି ସାଂଘାତିକ। ହାଲ୍କା ପବନ ବହିଲେ ବିଜୁଳି କାଟି ଦିଆଯାଉଛି ଯେ, ପରଦିନ ସକାଳେ ଆସୁଛି। ଏପଟେ ମରାମତି ଓ ରକ୍ଷଣାବେକ୍ଷଣ ନାମରେ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଅନ୍ଧାରରେ ରଖାଯାଉଛି। ପୁଣି କେତେବେଳେ ଲୋଡ୍ ସେଡିଂ କହି ବିଜୁଳି ପାଇବାରୁ ଲୋକଙ୍କୁ ବଂଚିତ କରାଯାଉଛି।
କେବଳ ବିଜୁଳି କାଟ ହେଉଛି, ତାହା ନୁହେଁ। ଜିଲ୍ଲାର ବିଭିନ୍ନ ଭାଗରେ ଲୋ-ଭୋଲଟେଜ୍ ସମସ୍ୟା ଲାଗି ରହିଛି। ଏହାର ସମାଧାନ ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉନି। ଭିତ୍ତିଭୂମି ନ ସଜାଡ଼ି କାମଚଳା ଭାବେ ବିଜୁଳି ଯୋଗାଣ ଚାଲିଥିବାରୁ ଏମିତି ସମସ୍ୟା ହେଉଥିବା ସ୍ପଷ୍ଟ ହେଉଛି। ଏପଟେ ଅନୁଗୁଳ ଜିଲ୍ଲାରୁ ବିଜୁଳି ଯାଇ ଅନ୍ୟ ରାଜ୍ୟକୁ ଆଲୋକିତ କରୁଥିଲାବେଳେ ଅନୁଗୁଳ ଅନ୍ଧାରେ ରହିବାକୁ ଉପଭୋକ୍ତା ସହଜରେ ଗ୍ରହଣ କରି ପାରିନାହାନ୍ତି। ଏଠାରେ ଏନ୍ଟିପିସି, ନାଲ୍କୋ, ଜେଏସ୍ପି, ଜେଆଇଟିପିଏଲ ପରି ଥର୍ମାଲ ପାୱାର ପ୍ଲାଣ୍ଟ ରହିଥିଲାବେଳେ ରେଙ୍ଗାଳି ଓ ସମଲରୁ ଜଳ ବିଦ୍ୟୁତ୍ ଉତ୍ପାଦନ ହେଉଛି। କିନ୍ତୁ ଲୋକଙ୍କୁ ଏହାର ଲାଭ ମିଳୁନି।
ଏହା ପ୍ରତିବାଦରେ ବିଜୁଳି ଉପଭୋକ୍ତା ଓ ସ୍ବେଚ୍ଛାସେବୀଙ୍କ ପକ୍ଷରୁ କିଛି ଦିନ ତଳେ ଯୋଗାଣକାରୀ ସଂସ୍ଥା ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା। ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଏମିତି ବିଜୁଳି କାଟ ହେଉଥିବା ସେ କହିବା ସହ ସପ୍ତାହେ ଭିତରେ ଏହା ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ବିଗିଡ଼ିବାରେ ଲାଗିଛି ଅନୁଗୁଳ ବିଜୁଳି ଉପଭୋକ୍ତା ସଂଘର ଆବାହକ ପର୍ଶୁରାମ ଦାଶ କହିଛନ୍ତି ଯେ ଅଘୋଷିତ ବିଜୁଳି କାଟ୍ ଓ ଲୋ-ଭୋଲଟେଜ୍ ଜିଲ୍ଲବାସୀଙ୍କୁ କନ୍ଦାଇ ସାରିଲାଣି। ହେଲେ ବିଜୁଳି ବିଭାଗକୁ ଏହା ଜଣାପଡ଼ୁନି। ଏହା ତୁରନ୍ତ ବନ୍ଦ ନ ହେଲେ ଉପଭୋକ୍ତାମାନେ ଆଇନ୍କୁ ହାତକୁ ନେବା ପାଇଁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।
ଟିପିସିଓଡିଏଲ୍ର ନିର୍ବାହୀ ଯନ୍ତ୍ରୀ ସୁବ୍ରତ ସାହୁ କହିଛନ୍ତି, ଅନୁଗୁଳରେ ବିଜୁଳି କାଟ୍ ହେଉନି। କେବଳ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବେଳେବେଳେ ବିଜୁଳି ଯୋଗାଣ ବ୍ୟାହତ ହେଉଛି। ପୁଣି କାଳବୈଶାଖୀ ପାଇଁ ସମସ୍ୟା ହେଉଛି। ଏହି ଖରା ସମୟରେ ଯେତିକି ବିଜୁଳି ଆବଶ୍ୟକ ହେଉଛି ତାହା ଯୋଗାଇବା ପାଇଁ ଭିତ୍ତିଭୂମି ନ ଥିବାରୁ ଏମିତି ସମସ୍ୟା ହେଉଥିବା ଶ୍ରୀ ସାହୁ ସ୍ବୀକାର କରିଛନ୍ତି।