ସରିଲା ଶ୍ରୀକ୍ଷେତ୍ରବାସୀଙ୍କ ସ୍ୱତନ୍ତ୍ର ଦର୍ଶନ, ୨୩ରୁ ସର୍ବସାଧାରଣ ଦର୍ଶନ

ମାର୍ଗଦର୍ଶିକା ମାନିବା ବାଧ୍ୟତାମୂଳକ

ପୁରୀ : ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ଶେଷ ହୋଇଛି। ୫ ଦିନ ମଧ୍ୟରେ ପ୍ରାୟ ୫୧ ହଜାର ୩୩୪ ଊର୍ଧ୍ବ ଭକ୍ତ ଦର୍ଶନର ସୁଯୋଗ ନେଇଛନ୍ତି। କରୋନା କଟକଣା ଯୋଗୁ ମହାପ୍ରଭୁଙ୍କ ପାଖରେ ଥାଇ ମଧ୍ୟ ଶ୍ରୀକ୍ଷେତ୍ରବାସୀ ଦର୍ଶନରୁ ବଞ୍ଚିତ ଥିଲେ। ଗତ ୧୬ ତାରିଖ‌ରେ ୯୩୯୮, ୧୭ରେ ୯୬୪୭, ୧୮ରେ ୧୧୫୮୫, ୧୯ରେ ୧୦୨୨୭ ଓ ଶୁକ୍ରବାର ଶେଷଦିନରେ ୧୦୪୨୭ ଜଣ ଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଶନିବାର ଓ ରବିବାର ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ଶ୍ରୀମନ୍ଦିରକୁ ବିଶୋଧନ କରାଯିବାର ବନ୍ଦୋବସ୍ତ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବଥର ଭଳି ମରିଚିକୋଟ ଛକଠାରୁ ଶ୍ରୀନହର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ଓ ସେଡ୍‌ ବ୍ୟବସ୍ଥା କରାଯାଉଛି। ଦର୍ଶନ ପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ମୁତାବକ, ଭକ୍ତମାନଙ୍କୁ କିଛି ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ଦର୍ଶନରେ ପୁରୀ ବାସୀ ହୁଅନ୍ତୁ ଅବା ଅନ୍ୟ ଜିଲ୍ଲାବାସୀ ସମସ୍ତଙ୍କ ପାଇଁ ୯୬ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ନଚେତ୍‌ ଦୁଇଟି ଡୋଜ୍‌ ଟିକା ନେଇ ସାରିଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀ ଏସ୍‌ପି ଡ.କନୱର ବିଶାଲ ସିଂହ କହିଛନ୍ତି, ପ୍ରଥମ ଚାରିଦିନ ଦର୍ଶନକୁ ତର୍ଜମା କରାଯିବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ସମ୍ପ୍ରସାରଣ କଥା ଚିନ୍ତା କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର କହିଛନ୍ତି, ୪ ମାସ ପରେ ମହାପ୍ରଭୁ ସର୍ବସାଧାରଣଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବାକୁ ଯାଉଛନ୍ତି। ଏନେଇ ଭକ୍ତମାନେ ଉତ୍ସୁକ ହୋଇ ଅପେକ୍ଷା କରିଥିବା ବେଳେ ଶୃଙ୍ଖଳିତ ନୀତିକାନ୍ତି କରି ଭକ୍ତମାନଙ୍କୁ ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା କରାଇବା ଲାଗି ସେବାୟତମାନେ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଅବଢ଼ା କିଣିବାର ସୁଯୋଗ ପାଇବେ। ମାତ୍ର ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା ଉପଲବ୍ଧ ହେବ ନାହିଁ।

ସମ୍ବନ୍ଧିତ ଖବର