ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆଜିଠାରୁ

ପୁରୀ : ଆଜି ଅର୍ଥାତ୍‌ ସୋମବାରଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। କରୋନା କଟକଣା ହଟିବା ପରେ ପ୍ରାୟ ୪ ମାସ ପରେ ସାରାଦେଶର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ।

ସର୍ବସାଧାରଣଙ୍କ ଦର୍ଶନ ପାଇଁ କଡ଼ା କଟକଣା ଲାଗୁ କରାଯାଇଛି। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ୯୬ ଘଣ୍ଟା ଭିତରର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅବା କୋଭିଡ୍‌ ଡବଲ୍‌ ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ବାରିକେଡିଂ ସହ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ଧାଡ଼ି ବ୍ୟବସ୍ଥା କରାଯାଇଛି। ଏହି ବାଟ ଦେଇ ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନର ମୋବାଇଲ୍‌ ଓ ଜୋତାଷ୍ଟାଣ୍ଡ୍‌ ନିକଟକୁ ଯାଇ ଆବଶ୍ୟକ ଆସବାବପତ୍ର ରଖିବା ପରେ କିଓସ୍କ କେନ୍ଦ୍ରରେ ଆବଶ୍ୟକ ପ୍ରମାଣପତ୍ର ଦେଖାଇବେ। କିଓସ୍କ କେନ୍ଦ୍ରରେ ଫଟୋ ଉତ୍ତୋଳନ ପରେ ଭକ୍ତମାନେ ନୂଆ ସେଡ୍‌ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ନୂଆ ସେଡ୍‌ ଦେଇ ଯିବାବେଳେ ଭକ୍ତଙ୍କ ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍‌ଓପି ଅନୁଯାୟୀ,ଭକ୍ତମାନେ ସିଂହଦ୍ବାର‌ ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଉତ୍ତର ଦ୍ବାର ଦେଇ ବାହାରିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିବେ। ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍‌ କରିବେ। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶ ସହ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବାରେ କଟକଣା ଲଗାଯାଇଛି। ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣିପାରିବେ, କିନ୍ତୁ ଶ୍ରୀମନ୍ଦିର ଭିତରେ ଖାଇ ପାରିବେନାହିଁ।

ସମ୍ବନ୍ଧିତ ଖବର