ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ, ପ୍ରଥମ ଦିନରେ ଦର୍ଶନ କଲେ ୪ହଜାର ଶ୍ରଦ୍ଧାଳୁ

ପୁରୀ : ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଭିତରେ ଆଜି ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତମାନେ କାଳିଆ ଦର୍ଶନ କରି ଫେରିଛନ୍ତି। ତେବେ ୯୬ ଘଣ୍ଟାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କଟକଣା ଆଜି ଅନେକ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖିଛି। ରାଜ୍ୟ ବାହାର ଭକ୍ତମାନେ ଦର୍ଶନ ନ ପାଇ ନିରାଶ ହୋଇ ଫେରିଛନ୍ତି। ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଥିଲେ ବି କଟକଣା ଯୋଗୁ ପ୍ରଥମଦିନରେ ମାତ୍ର ୪ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।

ସକାଳ ୭ଟା ୨୫ରେ ବେଶ ଶେଷ ପରେ ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ମାର୍କେଟ୍‌ ଛକରୁ ବାରିକେଡ୍‌ ଦେଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଏଥିପାଇଁ ମାର୍କେଟ୍‌ ଛକରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ଦର୍ଶନ ପାଇଁ ବାରିକେଡ୍‌ ଭିତରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିଲା। ଏ ଭିତରେ ପ୍ରାୟ ଅଢ଼େଇ ହଜାର ଭକ୍ତ ଦର୍ଶନ କରି ଫେରିଥିଲେ। ଭକ୍ତମାନେ ସିଂହଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରି ଉତ୍ତରଦ୍ବାରରେ ପ୍ରସ୍ଥାନ କରିଥିଲେ। ଶ୍ରୀମନ୍ଦିର ଭିତରେ ବି କଟକଣା ରହିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର