ଭୁବନେଶ୍ବର: ବିଜେପି ସରକାର କହିଲା ୫ବର୍ଷରେ ୭୫ହଜାର କିମି ରାସ୍ତା ନିର୍ମାଣ ହେବ, ହେଲେ ଗୋଟେ କିମି ବି ନୂଆ ରାସ୍ତା ହେଲାନି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଭୁବନେଶ୍ବର-ପୁରୀ ୬ଥାକିଆ, ଚଣ୍ଡୀଖୋଲ-ବଡ଼ବିଲ ୮ଥାକିଆ, ଖୋର୍ଦ୍ଧା-ନୟାଗଡ଼ ୪ଥାକିଆ, କେସିଙ୍ଗା-ଜୁନାଗଡ଼ ରାସ୍ତା ଖୁବ୍ ଶୀଘ୍ର ନିର୍ମାଣ ହେବ। ହେଲେ ଏ ପର୍ଯ୍ୟନ୍ତ ଏ ରାସ୍ତାର ଡିଜାଇନ୍ ହେଲାନି କି ଟେଣ୍ଡର ହେଲାନି। ପ୍ରତିବର୍ଷ ବିଭିନ୍ନ ରାସ୍ତାକୁ ପୂର୍ତ୍ତ ବିଭାଗ ନିଜ ଅଧୀନକୁ ଆଣି ଉନ୍ନତୀକରଣ କରେ ହେଲେ ଏପର୍ଯ୍ୟନ୍ତ ୧୦୦ମିଟର ନୂଆ ରାସ୍ତାର ବି ଉନ୍ନତୀକରଣ ହେଲାନି। ୧୦ବର୍ଷ ହେଲା ଉପକୂଳ ରାଜପଥ ଘୋଷଣାରେ ରହିଯାଇଛି, ବିଜେଡି ସରକାର ଅମଳରେ ଯେତିକି ମନ୍ଦିର ପ୍ରକଳ୍ପ ହାତକୁ ନିଆଯାଇଥିଲା ସେତିକିରେ ଅଟକିଛି। ୯ମାସର ସରକାର କିଛି ନୂଆ କରିନାହାନ୍ତି। ପୂର୍ତ୍ତ ବିଭାଗର ସବୁ ଯୋଜନା କେବଳ ଘୋଷଣାରେ ଅଟକିଛି। ଆଜି ପୂର୍ତ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହିଭଳି ଢଙ୍ଗରେ ସରକାରଙ୍କୁ ଘେରିଛନ୍ତି।
ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ଆମର ଭିତ୍ତିଭୂମି ପ୍ରସ୍ତୁତ ତ!
ସେହିପରି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ ୫-ଟି ସ୍କୁଲ ରୂପାନ୍ତରଣ ଯୋଗୁ ସରକାରୀ ସ୍କୁଲରେ ଉପସ୍ଥାନ ବଢ଼ିଛି। କିନ୍ତୁ ବର୍ତ୍ତମାନର ସରକାର ଏହାକୁ ନିନ୍ଦା କରୁଛନ୍ତି। ସରକାର ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ କିଛି ନିଷ୍ପତ୍ତି ନେଇଛନ୍ତି ହେଲେ ତରବରିଆ ଭାବେ ନିଷ୍ପତ୍ତି ନେଇଥିବାରୁ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠୁଛି। ଜାତୀୟ ଶିକ୍ଷା ନୀତି ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ। ହେଲେ ଏଥିପାଇଁ ଆମର ଶିକ୍ଷା ଭିତ୍ତିଭୂମିକୁ ସେହିଭଳି ପ୍ରସ୍ତୁତ କରାଯାଇଛି ତ! ୫୫ହଜାର ପ୍ରାଥମିକ ସ୍କୁଲରେ ବାଲ୍ବାଟିକା କରିବା ସହ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାର ନିୟମ ଅଛି। ହେଲେ ସେହି ସ୍କୁଲଗୁଡ଼ିକରେ ୪୯ହଜାର ଶିକ୍ଷକ ପଦବି ଖାଲି ପଡ଼ିଛି। ସରକାର ଏହି ୪୯ହଜାର ପଦବି ସହ ୫୫ହଜାର ସ୍କୁଲରେ ବାଲ୍ବାଟିକା ପାଇଁ କେବେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବେ? ପିଏମ୍-ଶ୍ରୀ ଯୋଜନା ନେଇ ବହୁତ ପ୍ରଚାର କରାଯାଉଛି ହେଲେ ଏଥିରେ ସ୍କୁଲର ଭିତ୍ତିଭୂମି ବଢ଼ାଇବାକୁ କିଛି ବ୍ୟବସ୍ଥା ନାହିଁ। ଶିକ୍ଷା କ୍ଷେତ୍ରକୁ ବଜେଟ୍ରେ ପ୍ରାଧାନ୍ୟ ଦିଆଯାଇଛି ବୋଲି କୁହାଯାଉଛି, କିନ୍ତୁ ଗତ ୩ବର୍ଷ ହେଲା ଯେଉଁ ୧୪% ଅର୍ଥ ଶିକ୍ଷା କ୍ଷେତ୍ରକୁ ମିଳୁଥିଲା ଏଥର ବି ସେତିକି ଦିଆଯାଇଛି। ବିରୋଧୀ ବିଜେଡି ପକ୍ଷରୁ ରମେଶ ଚନ୍ଦ୍ର ବେହେରା, ଉମାକାନ୍ତ ଭୋଇ, ସୁଭାସିନୀ ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇ ଦୁଇ ବିଭାଗର ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।
ସେହିପରି ଶାସକ ଦଳ ପକ୍ଷରୁ ବିଧାୟକ ମାନସ ଦତ୍ତ କହିଥିଲେ, ପୂର୍ବ ସରକାର ବହୁ ପ୍ରକଳ୍ପ ଘୋଷଣା କରୁଥିଲେ କିନ୍ତୁ ଦୀର୍ଘ ବର୍ଷ ଯାଏ ଏହାକୁ କାର୍ଯ୍ୟକାରୀ କରୁନଥିଲେ। ଏହାର ବଡ଼ ଉଦାହରଣ ହେଉଛି ବାଲେଶ୍ବର ସହରରେ ରିଂ ରୋଡ୍। ୨୦୧୯ ପୂର୍ବରୁ ଘୋଷଣା ହୋଇଥିଲା ହେଲେ ହେଲାନି। ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସିଦ୍ଧାନ୍ତ ମହାପାତ୍ର କହିଥିଲେ ପୂର୍ବ ସରକାର ସଂସ୍କୃତ ଭାଷାକୁ ବିଲୋପ କରିଦେଇଥିଲେ। ଏବେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଥିବାବେଳେ ଏଥିରେ ସବୁ ଭାଷାର ମୂଳ ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦିଆଯିବ। ସେହିପରି ବହୁ ସ୍ଥାନରେ ରାସ୍ତା, ଓଭରବ୍ରିଜ୍ ନିର୍ମାଣ ଡିଜାଇନ୍ରେ ବ୍ୟାପକ ତ୍ରୁଟି ଥିବାରୁ ବହୁ ଲୋକଙ୍କ ଜୀବନ ଯାଇଛି। ଆମ ସରକାର ଏ ଦିଗ ପ୍ରତି ଧ୍ୟାନ ଦେଉଛନ୍ତି। ଭାଦବ ହାଁସଦା କହିଥିଲେ ଆମ ଉପାନ୍ତ ଅଞ୍ଚଳରେ ପଡ଼ୋଶୀ ରାଜ୍ୟର ରାସ୍ତା ଭଲ ଥିବାବେଳେ ଆମ ରାଜ୍ୟର ରାସ୍ତା ବହୁତ ଖରାପ। ସରକାର ଏ ଦିଗ୍ରପତି ଧ୍ୟାନ ଦେଇ ରାସ୍ତା ମରାମତି କରନ୍ତୁ। ଶ୍ରୀ ହାଁସଦା ସାନ୍ତାଳି ଭାଷାରେ ବି ଆଲୋଚନା କରିଥିଲେ। ବିଜେପି ପକ୍ଷରୁ ସନାତନ ବିଜୁଳି, ରଘୁନାଥ ଜଗଦଲା, ଫକୀର ଚରଣ ନାୟକ, ଦୁଷ୍ମନ୍ତ କୁମାର ସ୍ବାଇଁ, ଅଖିଳ କୁମାର ନାୟକ, ଶତ୍ରୁଘନ ଜେନା, ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ। ଦୁଇ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିବା ପରେ ବାଚସ୍ପତି ବାଚନିକ ଭୋଟ୍ରେ ଦୁଇ ବିଭାଗର ଖର୍ଚ୍ଚ ଦାବି ପାରିତ କରିଥିଲେ। କଂଗ୍ରେସ ବିଧାୟକମାନେ ଗୃହ ବର୍ଜନ କରିଥିବାରୁ ଆଜିର ଆଲୋଚନାରେ ଭାଗ ନେଇ ନଥିଲେ।