ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ବାର୍ଷିକ ପରୀକ୍ଷା ପଞ୍ଜିକା ପ୍ରକାଶିତ ହୋଇଛି। ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓପିଏସ୍ସି ୱେବସାଇଟ୍ opsc.gov.in ରେ ପ୍ରକାଶ କରାଯାଇଛି। ଏଥିସହ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୫ଟି ନିଯୁକ୍ତି ପ୍ରକ୍ରିୟା ଯଥା ହୋମିଓପାଥି ଓ ଆୟୁର୍ବେଦ ଡାକ୍ତର, ବିଶ୍ବବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର୍ ଓ ପ୍ରଫେସର୍, ମହାବିଦ୍ୟାଳୟ ପାଇଁ ସହକାରୀ ପ୍ରାଧ୍ୟାପକ, ସଚିବାଳୟର ଏଏସ୍ଓ ମଧ୍ୟ ସାମିଲ ହେବ। ଏହାଦ୍ବାରା ପରୀକ୍ଷାର୍ଥୀଙ୍କର ବିଶ୍ବସନୀୟତା ଓପିଏସ୍ସି ଉପରେ ନିଶ୍ଚିତ ବୃଦ୍ଧି ପାଇବ।
ଏହାବ୍ୟତୀତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଧାରରେ ବିବିଧ ସଂସ୍ଥାର ମୂଳ ପଦକ୍ଷେପ ପରୀକ୍ଷା ପଦ୍ଧତିରେ ଅଣାଯାଇପାରିଛି। ଯଥା ଅନ୍ଲାଇନ୍ ମାଧ୍ୟରେ ଆବେଦନ କରିବା, ଆଡମିଟ୍ କାର୍ଡ ପ୍ରଦାନ ଓ ପରୀକ୍ଷା କେନ୍ଦ୍ର ନିରୂପଣ, ନିଜସ୍ବ ସଫ୍ଟୱେୟାର ମାଧ୍ୟମରେ ରେଜଲ୍ଟ ପ୍ରୋସେସିଂ ଓ ଫଳାଫଳ ପ୍ରକାଶ କରାଯାଇପାରୁଛି। ତା’ ଛଡ଼ା ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ଓ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ରରେ ଅବୈଧ କାର୍ଯ୍ୟକଳାପ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସିସିଟିଭିର ବନ୍ଦୋବସ୍ତ ଏବଂ ବାୟୋମେଟ୍ରିକ୍ ବ୍ୟବସ୍ଥାକୁ ଦୃଢ଼ କରାଯାଉଛି। ଏପରିକି ଆଗକୁ କମ୍ପ୍ୟୁଟର୍ ମାଧ୍ୟମରେ ପରୀକ୍ଷା ସମ୍ପାଦନ କରିବା ପାଇଁ ଲୋକସେବା ଆୟୋଗ ପ୍ରସ୍ତୁତ ହୋଇଛି। ସଫଳ ଭାବେ ଇନ୍ସ୍ୟୁରାନ୍ସ ମେଡିକାଲ ନିଯୁକ୍ତି ପରୀକ୍ଷା ଅନ୍ଲାଇନ୍ ମାଧ୍ୟମରେ ପରିଚାଳନା କରି ଅଭିଜ୍ଞତା ହାସଲ କରି ନିକଟରେ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ମଧ୍ୟ ଅନ୍ଲାଇନ୍ରେ କରିବାକୁ ଯାଉଛି। ଆଶା କରାଯାଉଛି ଯେ ଏହା ପରୀକ୍ଷା ପଦ୍ଧତିରେ ସ୍ବଚ୍ଛତା, ସ୍ବଳ୍ପ ସମୟର ଆବଶ୍ୟକତା ଯୋଗାଇ ନିଯୁକ୍ତି ପ୍ରକ୍ରିୟାକୁ ଗତିଶୀଳ କରିପାରିବ। ଲୋକସେବା ଆୟୋଗର କାର୍ଯ୍ୟ ଦକ୍ଷତା ଯଥେଷ୍ଟ ବୃଦ୍ଧି ପାଇବ। ଓପିଏସ୍ସିର ବର୍ତ୍ତମାନ ଚେୟାରମ୍ୟାନ୍ ସତ୍ୟଜିତ ମହାନ୍ତିଙ୍କ ପ୍ରଚେଷ୍ଟା ତଥା ବଳିଷ୍ଠ ପଦକ୍ଷେପ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇପାରିଥିବା କୁହାଯାଉଛି।