ପିଜି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ, ଯୋଗ୍ୟତା ଅର୍ଜନ କଲେ ୧୨ ହଜାର

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା‌ ପ୍ରକାଶ ପାଇଛି। ୧୪ଟି ବିଶ୍ବବିଦ୍ୟାଳୟ ସମେତ ୫୯ଟି କଲେଜରେ ଥିବା ୧୫ ହଜାର ସିଟ୍‌ରେ ନାମଲେଖା ପାଇଁ ୧୨ ହଜାର ୨୧୪ ଜଣଙ୍କୁ ଚୟନ କରାଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକର ୮୪୧୦ ଓ କଲେଜର ୬୫୯୦ ସିଟ୍‌ ପାଇଁ ଏହି ନାମଲେଖା ପ୍ରକ୍ରିୟା ହେଉଛି। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା ୧୨ହଜାର ୨୧୪ ଜଣଙ୍କ ମଧ୍ୟରୁ ୪୭୧୩ ଛାତ୍ର ଓ ୭୫୦୧ଜଣ ଛାତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ଏସ୍‌ସି ତଥା ଅନୁସୂଚିତ ଜାତି ବର୍ଗରେ ୧୦୪୨ଜଣ ଛାତ୍ର ଓ ୧୩୫୦ଜଣ ଛାତ୍ରୀ, ଏସ୍‌ଟି ତଥା ଅନୁସୂଚିତ ଜନଜାତି ବର୍ଗରେ ୧୧୦୩ ଜଣ ଛାତ୍ର ଓ ୧୫୮୨ଜଣ ଛାତ୍ରୀ ଅଛନ୍ତି।

ଯୋଗ୍ୟ ଛାତ୍ରଛାତ୍ରୀ ଆଜିଠାରୁ ୨୫ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ନାମଲେଖା ଫି’ ସାମ୍‌ସ ପୋର୍ଟାଲରେ ଦାଖଲ କରିବେ। ଅକ୍ଟୋବର ୨୩ରୁ ୨୮ମଧ୍ୟରେ ଛାତ୍ରଛାତ୍ରୀ ଆଲଟ୍‌ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ରବିବାର ନାମଲେଖା ପ୍ରକ୍ରିୟା ବନ୍ଦ ରହିବ। ୨୩ରୁ ୨୯ ତାରିଖ ମଧ୍ୟ‌ରେ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ଯିବାକୁ ଚାହୁଥିବା ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅପ୍‌ ଆବେଦନ କରିବେ। ୨୯ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା କେତେ ପିଲା ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଛନ୍ତି, ତାହାର ତାଲିକା ୱେବ୍‌ସାଇଟ୍‌ରେ ଦାଖଲ କରିବେ। ନଭେମ୍ବର ୪ରେ ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ଏବଂ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ନଭେମ୍ବର ୫ରୁ ୯ ମଧ୍ୟରେ ଛାତ୍ରଛାତ୍ରୀ ଯୋଗ୍ୟବିବେଚିତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ୧୨ ତାରିଖରେ ଖାଲି ସିଟ୍‌ ପାଇଁ ସାମ୍‌ସ ୱେବସାଇଟ୍‌ରେ ପ୍ରୋଭିଜ୍‌ନାଲ ତାଲିକା ପ୍ରକାଶ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ସମେତ ମୋଟ ୭୩ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ୬୩ ହଜାର ୩୧୩ ଜଣ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୫ହଜାର ୩୨୭ଜଣ ଅନ୍‌ଲାଇନ୍‌ରେ ଆବେଦନ ସହ ୫୨ ହଜାର ୬୩୯ଜଣ ଫି’ ଦାଖଲ କରିଥିଲେ। ବିଷୟଭିତ୍ତିକ ରାଜ୍ୟସ୍ତରୀୟ ମେଧା ତାଲିକା ଆଜି ପ୍ରକାଶ ପାଇବା ପରେ ଯୋଗ୍ୟ ଛାତ୍ରଛାତ୍ରୀ ଗତ ୧୭ ତାରିଖ ପର୍ଯ୍ୟନ୍ତ ଚଏସ୍‌ ଫିଲିଂ କରିଥିଲେ। ସେମାନଙ୍କ ମଧ୍ୟରୁ ୩୭ ହଜାର ୪୯୨ଜଣ ଛାତ୍ରଛାତ୍ରୀଙ୍କୁ ବିଚାରକୁ ନିଆଯାଇଛି।

ସମ୍ବନ୍ଧିତ ଖବର