ବିଶିଷ୍ଟ ପ୍ରକାଶକ ପୀତାମ୍ବର ମିଶ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ପ୍ରକାଶକ, ବିଦ୍ୟାପୁରୀ ପ୍ରକାଶନୀ ସଂସ୍ଥାର ପ୍ରତିଷ୍ଠାତା ପୀତାମ୍ବର ମିଶ୍ରଙ୍କର ଆଜି ରାତି ୧୦ଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ଥାଇ ତୁଳସୀପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ‌ଶେଷ ଶଯ୍ୟା ନିକଟରେ ପୁଅ ରାମାନନ୍ଦ ମିଶ୍ର, ରୁପାନନ୍ଦ ମିଶ୍ର, ଭବାନନ୍ଦ ମିଶ୍ର, ଜୀବାନନ୍ଦ ମିଶ୍ର, ଝିଅ ସୁନନ୍ଦା, ନନ୍ଦିତା, ଜ୍ବାଇଁ ତନ୍ମୟ ପଣ୍ଡା, ରବୀନ୍ଦ୍ର ପତି, ପୁତୁରା ନିତ୍ୟାନନ୍ଦ ମିଶ୍ର ଓ ବ୍ରଜାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜଗତସିଂହପୁର ପଞ୍ଚପଲ୍ଲୀ ଅଞ୍ଚଳର ମୂଳ ବାସିନ୍ଦା ପୀତାମ୍ବର କଟକର ଆଲାମଚାନ୍ଦ ବଜାରରେ ରହି ଆସୁଥିଲେ। ତାଙ୍କ ମରଶରୀରକୁ ବାସଭବନକୁ ଆଣି ରଖା ଯାଇଥିବାବେଳେ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

ସେ ବିଶିଷ୍ଟ ରାଜନୀତିଜ୍ଞ ତଥା ସାହିତ୍ୟିକ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ, ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ, ସୀତାକାନ୍ତ ମହାପାତ୍ର, ସ୍ବର୍ଗତ ଗୋପୀନାଥ ମହାନ୍ତିଙ୍କ ଭଳି ସାହିତ୍ୟ ସ୍ରଷ୍ଟାଙ୍କ ଅନେକ ପୁସ୍ତକ ପ୍ରକାଶନ କରିଥିଲେ। ବିଶିଷ୍ଟ ଲେଖକଙ୍କ ସହିତ ଯୁବ ଲେଖକ ମାନଙ୍କ ପୁ୍ସ୍ତକ ପ୍ରକାଶନ କ୍ଷେତ୍ରରେ ମଧ୍ୟ ସେ ସବୁବେଳେ ଉଦାରତା ଅବଲମ୍ବନ କରି ଆସୁଥିଲେ। ୧୯୬୧ ମସିହାରେ ସେ ବିଦ୍ୟାପୁରୀ ପ୍ରକାଶନୀ ସଂସ୍ଥା ପ୍ରତିଷ୍ଠା କରି ଲେଖକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲେ। ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ତାଙ୍କର ବିଶେଷ ଅବଦାନ ରହିଥିଲା। ସେ ମଧ୍ୟ ‘ପ୍ରକାଶକଙ୍କ ଜୀବନ କଥା’ ନାମକ ଏକ ପୁସ୍ତକର ରଚନା କରିଥିଲେ, ଯାହାକି ଆଉ ୨ ଦିନ ପରେ ଉନ୍ମୋଚନ ହୋଇଥା’ନ୍ତା। ତା’ ପୂର୍ବରୁ ତାଙ୍କର ଦେହାନ୍ତ ଘଟିଛି।

ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି କେନ୍ଦ୍ର ସାହିତ୍ୟ ଏକାଡେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ଡ. ବିଜୟାନନ୍ଦ ସିଂହ କହିଛନ୍ତି ଯେ, ସ୍ବର୍ଗତ ମିଶ୍ରଙ୍କ ଅମାୟିକ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ଓଡ଼ିଆ ପୁସ୍ତକ ପ୍ରକାଶନ ଦ୍ବାରା ସାହିତ୍ୟର ବିକାଶରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ। ବିଶିଷ୍ଟ ସାହିତ୍ୟିକ ‌ଡକ୍ଟର ଗୋବିନ୍ଦ ଭୂୟାଁ ଶୋକ ପ୍ରକାଶ କରି କହିଛନ୍ତି ଯେ, ତାଙ୍କ ଲିଖିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନ ଗ୍ରନ୍ଥ ପ୍ରକାଶନର ଭାର ସ୍ବର୍ଗତ ମିଶ୍ର ବହନ କରିଥିଲେ। ସେ ଜଣେ ଉଚ୍ଚକୋଟୀର ଭଦ୍ର ବ୍ୟକ୍ତି ଥିଲେ।

ସମ୍ବନ୍ଧିତ ଖବର