ପ୍ରକାଶକ, ଲେଖକ, ପାଠକଙ୍କ ତ୍ରିବେଣୀ ସଂଗମ ହେଲେ ସାହିତ୍ୟ ତିଷ୍ଠିବ: ସୌମ୍ୟରଂଜନ

ରେଭେନ୍ସାରେ ବାଗ୍‌ଦେବୀ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ

କଟକ: ଏବେ ସାହିତ୍ୟ, ପୁସ୍ତକ ପଠନ ପ୍ରତି ପାଠକଙ୍କ ରୁଚି କମୁଛି। ବହିର ଚାହିଦା କମିଛି, ବହି ଆଉ ବଜାରରେ ବିକ୍ରି ହେଉ ନାହିଁ। କିନ୍ତୁ ଏହାକୁ ଆଳ କରି ବସିଗଲେ ଚଳିବ ନାହିଁ। ଏ ଦିଗରେ ସାହିତ୍ୟିକମାନେ ସଚେତନ ହେବାର ସମୟ ଆସିଛି ବୋଲି ବାଗ୍‌ଦେବୀ ଲିଟରେଚର ଟ୍ର‌ଷ୍ଟ୍ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବାଗ‌୍‌ଦେବୀ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ରେଭେନ୍‌ସା ବିଶ୍ବବିଦ୍ୟାଳୟସ୍ଥିତ ସେଭେନ୍ ପିଲାର୍ସ ଅଫ୍ ଉଇସ୍‌ଡମ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜିର ପ୍ରଚଳିତ ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହାର ପ୍ରୟୋଗ କରାଯାଇ ସାହିତ୍ୟିକଙ୍କୁ ପାଠକଙ୍କ ନିକଟତର କରାଯାଇପାରିବ। ପ୍ରକାଶକ, ଲେଖକ ଓ ପାଠକଙ୍କ ତ୍ରିବେଣୀ ସଂଗମ ହେଲେ ଯାଇ ସାହିତ୍ୟ ତିଷ୍ଠି ପାରିବ। ଭାଷା ଏବେ ଦୁର୍ବଳ ହୋଇଛି।

ସାହିତ୍ୟରେ ଭାବର ଅଭାବ ଦେଖା ଦେଇଛି। ଦୁର୍ବଳ ଭାଷା ଓ ଭାବର ଅଭାବ ଯୋଗୁଁ ସାହିତ୍ୟ ଏବେ ଛଟପଟ ହେଉଛି। ଆଧୁନିକ ଗଣତନ୍ତ୍ରରେ ରାଜନୀତିକୁ ବାଦ ଦେଇ ବିଶେଷ କିଛି କରି ହେବନାହିଁ। ରାଜନୀତି ବିନା ସାହିତ୍ୟର ବି ଚିନ୍ତା କରାଯାଇପାରିବ ନାହିଁ। ଉଭୟ ସମୂହ ହିତ ପାଇଁ କାମ କରୁଥିବାରୁ ରାଜନୀତି ଓ ସାହିତ୍ୟ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରେଭେନ୍‌ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକ କହିଥିଲେ ଯେ ଏଭଳି ସାହିତ୍ୟ ଉତ୍ସବ ଆୟୋଜନ ପାଇଁ ରେଭେନ୍‌ସା ହିଁ ଉପଯୁକ୍ତ ସ୍ଥାନ। ରେଭେନ୍‌ସା ପକ୍ଷରୁ ବର୍ଷ ସାରା ଏଭଳି ସାହିତ୍ୟ ଉତ୍ସବର ଆୟୋଜନ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଥିବା ସଂପର୍କରେ ଡକ୍ଟର ନାୟକ ସୂଚନା ଦେଇଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ ଯୋଗଦେଇ ସାହିତ୍ୟ ଅନୁଷ୍ଠାନର ଭୂମିକା ସଂପର୍କରେ କହିଥିଲେ। ସମଗ୍ର ରାଜ୍ୟରେ ଏବେ ସାହିତ୍ୟ ଅନୁଷ୍ଠାନଗୁଡିକ ପୀଡିତ ହୋଇ ରହିଛନ୍ତି। ଏଥିରେ ସଂସ୍କାର ଆସିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ତୃତୀୟ ‘ବାଗ୍‌ଦେବୀ ସାହିତ୍ୟ ପୁରସ୍କାର ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କୁ ପ୍ରଦାନ କରାଯାଇଥିଲା। ସେହିଭଳି ବିଖ୍ୟାତ ତାରକସି କାରିଗର ପଙ୍କଜ କୁମାର ସାହୁଙ୍କୁ ବାଗ୍‌ଦେବୀ ସୃଜନୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ଡକ୍ଟର ରାୟ ପୁସ୍ତକ ପଠନ ପ୍ରତି ପାଠକଙ୍କ ରୁଚି କମୁଥିବା କଥାକୁ ସ୍ବୀକାର କରିଥିଲେ। ସାହିତ୍ୟରେ ଭାଷା ଓ ଭାବ ରହିଛି, ଏହାର ପଠନ ହେଲେ ଯାଇ ତାହା ଜଣାପଡିବ। ଯୁବପିଢି ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ବିସ୍ତାର କରି ସାଂପ୍ରତିକ ସ୍ଥିତିକୁ ଦେଖି ଲେଖା ଲେଖନ୍ତୁ ବୋଲି ଡକ୍ଟର ରାୟ ପରାମର୍ଶ ଦେଇଥିଲେ।

ଉତ୍ସବର ନିର୍ଦ୍ଦେଶିକା ଡକ୍ଟର ମମତା ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଡକ୍ଟର ନେତାଜୀ ଅଭିନନ୍ଦନ ଉତ୍ସବର ସଂଚାଳନ କରିଥିଲେ। ବିଜୟ ମଲ୍ଲ ଉତ୍ସବର ସଂଯୋଜନା କରିଥିଲେ। ଏହି ଅବସରରେ ଟ୍ରଷ୍ଟର ସ୍ମରଣିକା ‘ଅକ୍ଷରା’ ଉନ୍ମୋଚନ ହୋଇଥିଲା। ଡକ୍ଟର ନେତାଜୀ ଅଭିନନନ୍ଦନଙ୍କ ‘କେବେ ପାହିବ ଏ ରାତି’ ଓ ଡକ୍ଟର ନିରଂଜନ ପାଢୀଙ୍କ କବିତା ସଙ୍କଳନକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ରେଭେନ୍‌ସା ରାଜନୀତି ବିଜ୍ଞାନ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ଉତ୍ସବର ଦ୍ବିତୀୟ ଭାଗରେ ‘ଗଣତନ୍ତ୍ର ଓ ବାକ୍ ସ୍ବାଧୀନତା ସଂପର୍କିତ ଆଲୋଚନା କରାଯାଇଥିଲା। ସେହିଭଳି ‘ପିଢି ସଂଯୋଗ, ‘ଭାଷା ସଂଗମ, ଓଡ଼ିଆ ଓ ସ୍ଥାନୀୟ ଭାଷା ଶୀର୍ଷକ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର