୩ ବର୍ଷରେ ସମସ୍ତଙ୍କୁ ପକ୍କା ଘର : ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା କରାଯିବ

ଭୁବନେଶ୍ବର : ଆସନ୍ତା ୩ ବର୍ଷ ଭିତରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା କରାଯିବ। କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ପକ୍କା ଘର ପାଇବାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ବଡ଼ ଘୋଷଣା କରିବେ। ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଉ ଦୁଇ ବର୍ଷ ବାକି ଥିଲା ବେଳେ ସରକାରଙ୍କର ଏହା ବଡ଼ ପ୍ରସ୍ତୁତି ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।

ରାଜ୍ୟ‌େର ପାଖାପାଖି ୨୦ ଲକ୍ଷ ହିତାଧିକାରୀ ପକ୍କା ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଏହି ଘର ବଣ୍ଟାଯିବ। ଏକକାଳୀନ ଘରର କାର୍ଯ୍ୟାଦେଶ ବାଣ୍ଟିବାକୁ ସରକାର ଯୋଜନା କରିଛନ୍ତି। ମାର୍ଚ୍ଚ ୫ ବିଜୁ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସରେ ଏହି କାର୍ଯ୍ୟାଦେଶ ବଣ୍ଟନ ଆରମ୍ଭ ହେବ। ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଦେଶ ବାଣ୍ଟିବେ। ପରବର୍ତ୍ତୀ ୧୫/୨୦ ଦିନ ଭିତରେ ସାରା ରାଜ୍ୟରେ କାର୍ଯ୍ୟାଦେଶ ବଣ୍ଟାଯିବ। ସମସ୍ତ ହିତାଧିକାରୀ କାର୍ଯ୍ୟାଦେଶ ପାଇବେ। ୩ ବର୍ଷ ସମୟସୀମା ମଧ୍ୟରେ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହେବ। କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବାଦ୍ ନ ପଡ଼ିବେ, ସେଥି ପ୍ରତି ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ଗତକାଲି କ୍ୟାବିନେଟ୍ ‌େବୖଠକ ପରେ ସମସ୍ତ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ବୈଠକ କରିଥିଲେ। ଯଦିଓ ବୈଠକର ନିଷ୍ପତ୍ତି ସମ୍ପର୍କରେ ଖୋଲାଖୋଲି ଭାବେ କିଛି କୁହାଯାଇ ନାହିଁ, ତେବେ ପକ୍କା ଘର ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ୩୦ଟି ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ କରାଯିବ। କେଉଁ ମନ୍ତ୍ରୀ କେଉଁ ଜିଲ୍ଲାକୁ ଯିବେ, ତାହାର ଏକ ତାଲିକା ଖୁବ୍ ଶୀଘ୍ର ପ୍ରକାଶ ପାଇପାରେ। ହିତାଧିକାରୀ ତାଲିକା ପ୍ରସ୍ତୁତି ବେଳେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ନ୍ତି ଓ ଅଯୋଗ୍ୟ ହିତାଧିକାରୀ ସାମିଲ ନ ହୁଅନ୍ତି, ସେଥି ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି। ହିତାଧିକାରୀ ଚୟନରେ ଅନିୟମିତତା ଓ ପିସି କାରବାର ଯେପରି ନ ହୁଏ, ସେଥି ପ୍ରତି ସତର୍କ ରଖିବାକୁ ସମସ୍ତ ମନ୍ତ୍ରୀ ଓ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି।

ପକ୍କା ଘର ବାଣ୍ଟିବାକୁ ବିଜେଡିର ଏହି ତତ୍ପରତା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଆଶାନୁରୂପ ସଫଳତା ପାଇ ନ ଥିଲା। ଅବଶ୍ୟ ଗତ ସାଧାରଣ ନିର୍ବ‌ାଚନରେ ବିରୋଧୀଙ୍କୁ ବହୁ ପଛରେ ପକାଇବାରେ ବିଜେଡି ସଫଳ ହୋଇଥିଲା। ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ସାଧାରଣ ନିର୍ବାଚନର ସଫଳତାକୁ ଦୋହରାଇବାକୁ ବିଜେଡି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ତାହାକୁ ଆଖି ଆଗରେ ରଖି ସରକାର ଏବେ ଗାଁ ମୁହାଁ ହୋଇଥିବା କୁହାଯାଉଛି। ଆସନ୍ତା ମାସ ୫ ତାରିଖରେ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ ସହ ଗାଁ ପାଇଁ ଆଉ କିଛି ନୂଆ ଘୋଷଣା ହେବାର ମଧ୍ୟ ଯୋଜନା ରହିଥିବା ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର