କଣ୍ଟିଲୋରେ ପକ୍କାଘର ଯୋଜନା ଦିଗହରା : ପ୍ରଶାସନର ପ୍ରିୟାପ୍ରୀତି ପୋଷଣ ଯୋଗୁଁ ବଳି ପଡ଼ୁଛନ୍ତି ଅନେକ ଅସହାୟ ଯୋଗ୍ୟ ହିତାଧିକାରୀ

କଣ୍ଟିଲୋ/ଭାପୁର : ଗରିବ ବାସହୀନଙ୍କ ପାଇଁ କେନ୍ଦ୍ର ସରକାର ଇନ୍ଦିରା ଆବାସ ଓ ରାଜ୍ୟ ସରକାର ପକ୍କାଘର ଯୋଜନା କରିଛନ୍ତି। ମାତ୍ର ହିତାଧିକାରୀ ଚୟନରେ ପ୍ରଶାସନର ଚଞ୍ଚକତା ଓ ପାତର ଅନ୍ତର ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ବାଦ୍‌ ପଡ଼ିଥିବାବେଳେ ଥିଲାବାଲାଙ୍କୁ ସାମିଲ କରାଯାଉଥିବା ଅଭିଯୋଗ ହେଉଛି। ଅସହାୟ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଅଗ୍ରାଧିକାରୀ ଭିତିରେ ପକ୍କାଘର ଯୋଗେଇ ଦେବା ପାଇଁ ନିୟମ ରହିଥିଲେ ହେଁ ପ୍ରଶାସନର ପ୍ରିୟାପ୍ରୀତି ପୋଷଣ ଯୋଗୁଁ ବଳି ପଡ଼ୁଛନ୍ତି ଅନେକ ଅସହାୟ ଯୋଗ୍ୟ ହିତାଧିକାରୀ। ଏପରି ଦେଖିବାକୁ ମିଳୁଛି ଧାନଚାଙ୍ଗଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଅଖିଳ ଗୋଛିଙ୍କ କ୍ଷେତ୍ରରେ। ଅଖିଳ ଗୋଛି ଜଣେ ଦିନ ମଜୁରିଆ ଏବଂ ତାଙ୍କ ପରିବାର ଏକ ଭଙ୍ଗା ଟାଇଲ୍‌ଛପର ଘରେ ବସବାସ କରୁଛନ୍ତି। ପରିବାର କହିଲେ ସ୍ତ୍ରୀ ଓ ତିନିଟି ସନ୍ତାନ। ବଡ଼ ଝିଅକୁ ବାହା ଦେଇ ସାରିଥିବା ବେଳେ ଅନ୍ୟ ଦୁଇ ପୁଅଝିଅଙ୍କ ସହ ଭଙ୍ଗା ଟାଇଲ୍‌ ଘରେ ବାସ କରିଆସୁଛନ୍ତି। ଦୁଇ ଦିନ ଧରି ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଘର ସମ୍ମୁଖରେ ଥିବା ପାଚେରୀ ଭୁଶୁଡ଼ି ପଡ଼ିଛି। ଏ ସମ୍ପର୍କରେ ଭାପୁର ତହସିଲଦାରଙ୍କୁ ଅବଗତ ମଧ୍ୟ କରିଛନ୍ତି। ପୂର୍ବର ଏସ୍‌ଇସି ଡାଟା ତ୍ରୁଟିପୂର୍ଣ୍ଣ ଥିବା ଯୋଗୁ ଓ ତାଙ୍କ ନାମ ସେଥିଣର ନ ଥିବାରୁ ସେ ବାସଗୃହ ପାଇପାରୁନାହାନ୍ତି ବୋଲି କହିଛନ୍ତି। ବ୍ଲକ୍ ପ୍ରଶାସନ ତୁରନ୍ତ ତାଙ୍କୁ ବିଜୁ ପକ୍କାଘର କିମ୍ବା ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ପକ୍କାଘର ଯୋଜନାରେ ସାମିଲ କରିବାକୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର