ଭୁବନେଶ୍ବର: ଆଜି ବିଧାନସଭାରେ ପକ୍କାଘର ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ୧୨ ଲକ୍ଷ ଯୋଗ୍ୟ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନ ଖରା ବର୍ଷାରେ ଜୀବନ କାଳାତିପାତ କରୁଛନ୍ତି। ରାଜ୍ୟ ସରକାର ଏମାନଙ୍କୁ ପକ୍କା ଘର କାହିଁକି ଯୋଗାଇ ଦେଉ ନାହାନ୍ତି। କେଉଁଠି ରହୁଛି ଅସୁବିଧା।
କଂଗ୍ରେସ ବିଧାୟକ ଆହୁରି କହିଛନ୍ତି, ଯଦି କେନ୍ଦ୍ର ସରକାର ଆବଶ୍ୟକୀୟ ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେଉ ନାହାନ୍ତି, ତେବେ ଦଳମତ ନିର୍ବିଶେଷରେ ସମସ୍ତେ ଚାଲନ୍ତୁ ପ୍ରଧାନମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବା। ଆଉ ଯଦି କେନ୍ଦ୍ର ସରକାର ଘର ଦେଉ ନାହାନ୍ତି ତେବେ ରାଜ୍ୟ ସରକାର ମୋ କୁଡ଼ିଆ ଯୋଜନାରେ ଏହି ୧୨ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଅନ୍ତୁ।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରାଜ୍ୟରେ ପକ୍କାଘର ଯୋଗାଇ ଦେବାରେ ପାତରଅନ୍ତର କରାଯାଉଛି, ଯେଉଁଥିପାଇଁ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଫନି ପ୍ରପୀଡ଼ିତ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଘର ଯୋଗାଇ ଦେଲେ ନାହିଁ। ତେଣୁ ସରକାର ଫନି ପ୍ରପୀଡ଼ିତ ଲୋକଙ୍କୁ ତୁରନ୍ତୁ ଘର ଯୋଗାଇ ଦେବା ଦାବି କରିଛନ୍ତି ସାଲୁଜା।
ସେପଟେ ତାରାଙ୍କୁ କାଉଣ୍ଟର କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀକହିଛନ୍ତି, ଗୃହରେ ଯେଉଁ ତଥ୍ୟ ରଖାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ। କେନ୍ଦ୍ର ସରକାର ପକ୍କାଘର ଦେଉନଥିବା ଅଭିଯୋଗ ଠିକ ନୁହେଁ। କେନ୍ଦ୍ର ସରକାର ୧୫ ଲକ୍ଷ ଘର ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ୮ ଲକ୍ଷ ଘର ଯୋଗାଇ ଦିଆଯାଇଛି। ମାତ୍ର ରାଜ୍ୟ ସରକାର ତାକୁ ପ୍ରାଥମିକତା ଭିତରେ ବାଣ୍ଟିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ଉପେକ୍ଷା କରାଯାଇଛି। ରାଜ୍ୟ ସରକାର ଆବାସ ପ୍ଳସ ସାଇଟରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ବହୁତ ତ୍ରୁଟି ରହିଛି ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ।
ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଆଉ ସେ ଦିଗରେ କାମ କରୁଛନ୍ତି। ମାତ୍ର ଏ ନେଇ ଗୃହକୁ ଭ୍ରମିତ କଲା ଭଳି ତଥ୍ୟ ଦିଆଯାଉଛି।
ବିଧାନସଭାରେ ପକ୍କାଘର ପ୍ରସଙ୍ଗରେ ସରଗରମ ଆଲୋଚନା: ତାରାଙ୍କ ଅଭିଯୋଗକୁ ଖଣ୍ଡନ କଲେ ମୋହନ
/sambad/media/post_attachments/wp-content/uploads/2022/07/4797d964-4169-409b-afff-1e1a6fef608a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)