ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ

୫୨୬ ପଜିଟିଭ୍, ୪ ମୃତ

ଭୁବନେଶ୍ବର : ପାର୍ବଣ ସମୟରେ କରୋନା ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗ ପାଇଁ ପ୍ରମୁଖ ଆହ୍ବାନ ସୃଷ୍ଟି କରିବ। କୋଭିଡ ନିୟମାବଳୀ ପାଳନରେ ସାମାନ୍ୟତମ ବ୍ୟତିକ୍ରମ ସଂକ୍ରମଣକୁ ବଢ଼ାଇ ଦେଇପାରେ। ଯେହେତୁ କଟକ ଓ ଭୁବନେଶ୍ବରରେ ସଂକ୍ରମଣ ଅଧିକ ରହୁଛି, ତେଣୁ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର।

ପୂଜା ସମୟରେ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ଡା.ମହାପାତ୍ର ଗଣମାଧ୍ୟକୁ କହିଛନ୍ତି ଯେ ‌ଯେଉଁଠାରେ ଅଧିକ ସଂକ୍ରମଣ ରହୁଛି ସେଠାରେ କଣ୍ଟେନମେଣ୍ଟ ଜୋନ୍ କରିବା ଲାଗି କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ତେଣୁ ପୂଜା ସମୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ବଢ଼ୁଛି ତାହାର ଦୈନିକ ଅନୁଶୀଳନ କରାଯିବ। ଭିଡ଼କୁ ଏଡ଼ାଇବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ପୂଜା ସମୟରେ ଲୋକମାନେ ଅଧିକ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି। ନିକଟରେ କେନ୍ଦ୍ର ଗୃହ ସଚିବ ମଧ୍ୟ ରାଜ୍ୟମାନଙ୍କୁ ଚିଠି ଲେଖି ପାର୍ବଣ ସମୟରେ କରୋନା ସଂକ୍ରମଣ ଉପରେ କଡ଼ା ନଜର ରଖିବା ଲାଗି କହିଥିଲେ। ଏହାସହ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ ନିର୍ଦେଶ ଦେଇଥିଲେ।

ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ପୁନର୍ବାର ୫ଶହ ଉପରେ ରହିଛି। ଗତ ୪ଦିନ ହେବ ସଂକ୍ରମଣ ଏଭଳି ଧାରା ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୬ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୨୩୩, କଟକ ୬୩, ବାଲେଶ୍ବର ୩୩, ମୟୂରଭଞ୍ଜ ୨୯, ସୁନ୍ଦରଗଡ଼ ୧୯, ଜଗତସିଂହପୁର ୧୬, ଯାଜପୁର ୧୩, ପୁରୀ ୧୧ ଓ ଷ୍ଟେଟ୍‌ ପୁଲରୁ ୫୫ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାରକୁ ବୃଦ୍ଧି ପାଇଛି। ଏହାସହ ଆଉ ୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ନବରଙ୍ଗପୁର ୨, ବଲାଙ୍ଗୀର, ଜଗତସିଂହପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ‌ମୋଟ ମୃତ୍ୟୁ ସଂଖ୍ୟା ୮୨୪୨କୁ ବୃଦ୍ଧି ପାଇଛି। ଆଉ ୫୯୭ କରୋନା ରୋଗୀ ସୁସ୍ଥ ହେବା ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୪୩୮କୁ ଖସି ଆସିଛି। ବୌଦ୍ଧ ଜିଲ୍ଲାରେ ଏବେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି।

ସମ୍ବନ୍ଧିତ ଖବର