ପାର୍ବଣ ପାଇଁ ଗାଇଡଲାଇନ ଜାରି କଲେ ସରକାର, ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ, ଭସାଣି ଶୋଭାଯାତ୍ରାକୁ ବାରଣ

ଭୁବନେଶ୍ବର : ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ସେଥିପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଆସନ୍ତା  ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ,କାଳୀ ପୂଜା ପାଳନ ଲାଗି ଓଡ଼ିଶା ସ୍ବତନ୍ତ୍ର ରିଲିଫ କମିଶନର ଏହି ଗାଇଡଲାଇନ ଜାରି କରିଛନ୍ତି । ଏହି କଟକଣା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଲାଗୁ ହେବ ।

ଏହି ଗାଇଡଲାଇନ ଅନୁସାରେ ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କଠାରୁ ଅନୁମତି ଜରୁରୀ । କଟକ ଓ ଭୁବନେଶ୍ବର ସହର ପାଇଁ କମିଶନରେଟ ପୁଲିସ ବା ତାଙ୍କ ଦ୍ବାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ମିଳିପାରିବ ।  କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ । ୪ଫୁଟ ଉଚ୍ଚତା ମଧ୍ୟରେ ମୂର୍ତ୍ତି ନିର୍ମାଣ ହୋଇପାରିବ ।  ଏସବୁ ପୂଜାରେ ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି । କର୍ତ୍ତାଙ୍କୁ ନେଇ ମଣ୍ଡପରେ ଏକସମୟରେ ୭ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । ଯେଉଁମାନେ ମଣ୍ଡପରେ ରହିବେ ସେମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ପାଳନ କରିବେ । ପୂଜା ମଣ୍ଡପକୁ ତିନିପଟୁ ବନ୍ଦ କରାଯିବ । ପୂଜା କମିଟିର କର୍ମକର୍ତ୍ତାମାନେ ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି ନିୟମକୁ ପାଳନ କରିବେ । କୌଣସି ଭସାଣି ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ, କେବଳ ପ୍ରଶାସନ ଦ୍ବାରା ପ୍ରସ୍ତୁତ କ୍ରୁତ୍ରିମ ପୋଖରୀରେ ଭସାଣି କରିହେବ । ପୂଜା ସମୟରେ କୌଣସି ପ୍ରକାରର ମନୋରଂଜନ, ସଂଗୀତ ଆଦି କାର୍ଯକ୍ରମ ହୋଇପାରିବ ନାହିଁ ।

ସମ୍ବନ୍ଧିତ ଖବର