ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ପୁରୀ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିିଛି। କାହିଁ କେତେ ବର୍ଷରୁ ଅପେକ୍ଷା ରହିଥିବା ଅଯୋଧ୍ୟା  ରାମ ମନ୍ଦିର ନିର୍ମାଣ ଲାଗି ଆଜି ହେଉଛି ଭୂମିପୂଜା। ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାମ ଶୃଙ୍ଖଳତାର ସହ ସଂପନ୍ନ ହେବା ପାଇଁ  ପୁରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସେ ଶ୍ରୀଜଗନ୍ନାଥଙ୍କ ନିକଟରେ ରାମ ମନ୍ଦିର ଲାଗି ପ୍ରାର୍ଥନା କରିଥିବା ନେଇ ସୂଚନା ଦେଇଛନ୍ତି।

ଐତିହାସିକ ରାମ ମନ୍ଦିରର ଭୂମିପୂଜା ଉପଲକ୍ଷେ ଆଜି ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଯାଇଛି। ଯେଉଁ କୋଟି କୋଟି ଭକ୍ତଙ୍କ ଭକ୍ତିଭାବ ଯୋଗୁ ଆଜି ରାମ ମନ୍ଦିର ନିର୍ମାଣ ହେବକୁ ଯାଉଛି ସେମାନଙ୍କ କଲ୍ୟାଣ କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ।

ରାମ ମନ୍ଦିର ପାଇଁ ଆଜ୍ଞାମାଳ ପ୍ରଦାନ କରି ଜଗନ୍ନାଥ ମହାପ୍ରଭୁ ତାଙ୍କର ଆଶୀର୍ବାଦ କରିସାରିଛନ୍ତି। ପ୍ରଭୁଙ୍କ ନିକଟରେ କରାଯାଇଥିବା ଏହି ସ୍ବତନ୍ତ୍ର ପୂଜା କରୋନା ଭାଇରସ୍‌ ପରି ଏକ ବିପଦପୂର୍ଣ୍ଣ ଭାଇରସ୍‌ରୁ ସମସ୍ତଙ୍କୁ ରକ୍ଷା କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ରାମ ମନ୍ଦିର ଭୂମି ପୂଜନ ପୂରା ଅଯୋଧ୍ୟା ସହର ଝଲସି ଉଠଉଛି। ସାରା ସହରକୁ ଆଲୋକରେ ସୁସଜ୍ଜିତ କରାଯାଇଛି। ସରଜୁ ଘାଟରେ ୧ ଲକ୍ଷରୁ ଅଧିକ ପ୍ରଦୀପ ପ୍ରଜ୍ଜଳନ କରାଯାଇଛି। ପୂଜା କାର୍ଯ୍ୟ ପାଇଁ ତାମିଲନାଡ଼ୁରୁ ଆସିଛି ରୁପା ମୁଦ୍ରା।୧ ଲକ୍ଷରୁ ଅଧିକ ଲଡ଼ୁ ପ୍ରସ୍ତୁତ କରାଯାଇଛି।

ସରଜୁ ନଦୀ କୂଳରେ ପ୍ରଭୁ ଶ୍ରୀରାମଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ୧୦୮ ମିଟର ଉଚ୍ଚ ହେବ। ବ୍ରୋଞ୍ଚ୍‌ ଖୋଦିତ ଏହି ପ୍ରତିମୂର୍ତ୍ତି ନିର୍ମାଣ ଶେଷ ହେବାପାଇଁ ୩ ବର୍ଷ ଲାଗିଯିବ। ରାମଙ୍କ ଜୀବନୀକୁ ଆଧାର କରି ଏହି ପ୍ରତିମୂର୍ତ୍ତି ନିର୍ମାଣ ହେଉଛି।

ଭୂମି ପୂଜନ ଉତ୍ସବ ପାଇଁ ଐତିହାସିକ ମହତ୍ତ୍ବ ଥିବା ୨,୫୭୮ଟି ସ୍ଥାନରୁ ମାଟି ସଂଗ୍ରହ ହୋଇଛି।ଅଯୋଧ୍ୟାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଆମେରିକାରେ ମନ୍ଦିର ଗୁଡ଼ିକରେ ସ୍ବତନ୍ତ୍ର ପୂଜାପାଠ ଏବଂ ପ୍ରାର୍ଥନା କ‌ାର୍ଯ୍ୟକ୍ରମ ହେବ। ଟାଇମ୍ସ ସ୍କୋୟ‌ାରରେ ବିଶାଳ ହୋର୍ଡିଂରେ ପ୍ରଭୁ ଶ୍ରୀରାମଙ୍ଗ ଛବି ପ୍ରଦର୍ଶିତ କରାଯିବ। ଅନେକ ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଏହିଦିନ ଦୀପ ଜାଳି ଉତ୍ସବ ମନାଇବେ।

୧୦ ଏକର ଜମିରେ ରାମ ମନ୍ଦିର ନିର୍ମାଣ ହେବ। ବାକି ୫୭ ଏକର ଜମିକୁ ମନ୍ଦିର ପରିସର ଅଂଚଳ ଭାବେ ଖୁବ୍‌ ସୁନ୍ଦର ଢଙ୍ଗରେ ଗଢ଼ାଯିବ। ୩ ମହଲା ବିଶିଷ୍ଟ ରାମ ମନ୍ଦିରରେ ୫ଟି ଗମ୍ବୁଜ ଆକାରର ମଣ୍ଡପ ଏବଂ ଏକ ଶିଖର ରହିବ।

ସମ୍ବନ୍ଧିତ ଖବର