ପୁରୀ: ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଆଜି ମହାସ୍ନାନ ନୀତିକୁ ନେଇ ବାଦବିବାଦ କାରଣରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି। ପୂଜାପଣ୍ଡା ସେବକ ନୀତି ବନ୍ଦ କରିଦେବା ଓ ପରବର୍ତ୍ତୀ ନୀତିକାନ୍ତି କରିବାକୁ ଅମଙ୍ଗ ପ୍ରକାଶ କରିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଅପେକ୍ଷା କରିଛନ୍ତି। ଅନେକ ଭକ୍ତ ନିରାଶ ହୋଇ ଫେରିଛନ୍ତି। ଶେଷରେ ସେବକଙ୍କ ଯୁକ୍ତି ଆଧାରରେ ମହାସ୍ନାନ ନୀତି ସଂପନ୍ନ ପରେ ନୀତିକାନ୍ତି ସହ ଦର୍ଶନ ସ୍ବାଭାବିକ ହୋଇଛି। ଏଥିପାଇଁ ନୀତି ୩ ଘଣ୍ଟା ବିଳମ୍ବ ହୋଇଥିବା ବେଳେ ୩ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା।

Advertisment

ଚିତାଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ପୂର୍ବରୁ ଏଭଳି ଅସ୍ବାଭାବିକ ପରିସ୍ଥିତି ଓ ଦର୍ଶନ ବନ୍ଦକୁ ଭକ୍ତ ମହଲ ତୀବ୍ର ସମାଲୋଚନା କରିଛନ୍ତି। ଯେହେତୁ ଆଜି ରବିବାର ଥିଲା, ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଅପେକ୍ଷାରେ ଥିଲେ। ମହାସ୍ନାନ ବିବାଦ ଓ ଚିତାଲାଗି ନୀତି ପାଇଁ ପ୍ରାୟ ୬ ଘଣ୍ଟା ଦର୍ଶନ ବନ୍ଦ ରହିବାରୁ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୁହାଯାଉଛି, ରତ୍ନଭଣ୍ଡାର ଖୋଲିବା ସମୟରେ ପ୍ରଭୁ ଲୋକନାଥଙ୍କଠାରୁ ଆଜ୍ଞାମାଳ ଆସିଥିଲା। ଏହା ପରମ୍ପରା ବିରୋଧୀ ଓ ଏଥିପାଇଁ ଆବଶ୍ୟକ ପଡ଼ିଲେ ନୀତିରେ ଅସହଯୋଗ କରିବୁ ବୋଲି ପୂଜାପଣ୍ଡା ସେବକମାନେ କହି ଆସୁଛନ୍ତି। ଏହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ଓ ପୂଜାପଣ୍ଡା ସେବକମାନେ ସାମାନ୍ୟ କଥାକୁ ଗଣ୍ଠି କରି ନୀତିକୁ ଅହେତୁକ ବିଳମ୍ବ କରିଛନ୍ତି ବୋଲି ସେବାୟତ ଓ ଭକ୍ତ ମହଲ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଗାରଦ ଅଧିକାରୀଙ୍କର ସେବାୟତଙ୍କ ସହ ସମନ୍ବୟ ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜୁଛି ବୋଲି ପୂଜାପଣ୍ଡା ନିଯୋଗ ଅଭିଯୋଗ କରିଛି।

ଆଜି ଭୋର ୫ଟା ୨୫ରେ ଦ୍ବାରଫିଟା ନୀତି ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିଥିଲା। ବେଶ ଶେଷ ପରେ ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ହେବା କଥା। ୮ଟା ୨୫ରେ ସୂର୍ଯ୍ୟ ପୂଜା ଶେଷ ପରେ ଜୟବିଜୟ ଦ୍ବାର ନିକଟରେ ଦ୍ବାରପାଳ ପୂଜା ବସିଥିବା ବେଳେ ଜଣେ ଅଣପାଳିଆ ସେବକ ପଶିଯାଇଥିଲେ। ଏହି ଅଣପାଳିଆ ଜଣେ ପ୍ରଧାନୀ ସେବକ ବୋଲି କୁହାଯାଉଛି। ଯେହେତୁ ଦ୍ବାରପାଳ ପୂଜା ବେଳେ ଅଣପାଳିଆ ପ୍ରବେଶ ନିଷେଧ ରହିଛି ଓ ଏହି ସମୟରେ କେହି ଅଣପାଳିଆ ପ୍ରବେଶ କଲେ ମହାସ୍ନାନ ହେବାର ବିଧି ରହିଛି, ସେଥିପାଇଁ ପୂଜାପଣ୍ଡା ସେବକମାନେ ଦ୍ବାରପାଳ ପୂଜା ବନ୍ଦ କରି ବଡ଼ ମହାସ୍ନାନ କରିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ଗାରଦ ଅଧିକାରୀମାନେ ନୀତି ବିଭ୍ରାଟ ହୋଇନି ଓ ମହାସ୍ନାନ ହେବନି ବୋଲି ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ପୂଜାପଣ୍ଡା ସେବକ ଓ ଗାରଦ ଅଧିକାରୀଙ୍କ ଭିତରେ ଯୁକ୍ତିତର୍କ ଲାଗିଥିଲା। ପରେ ପୂଜାପଣ୍ଡା ସେବକ ପରବର୍ତ୍ତୀ ନୀତି କରିବୁନି କହି ଉଠି ପଳାଇଥିଲେ।

ଫଳରେ ସକାଳ ୮ଟା ୨୫ରୁ ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ କୌଣସି ନୀତିକାନ୍ତି ହୋଇନଥିଲା। ତେବେ ଯେହେତୁ ଜୟବିଜୟ ଦ୍ବାରରେ ଦ୍ବାରପାଳ ପୂଜା ହେଉଥିଲା, ସେ ଦୃଷ୍ଟିରୁ ସାନ ମହାସ୍ନାନ ସ୍ବରୂପ ଗରୁଡ଼ ମହାସ୍ନାନ ନୀତି ପରେ ପରବର୍ତ୍ତୀ ନୀତି ବଢ଼ିଥିଲା। ମହାସ୍ନାନ ନୀତି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ସରିବା ପରେ ଦ୍ବାରପାଳ ପୂଜା ବଢ଼ିଥିଲା ଓ ଦର୍ଶନ ସ୍ବାଭାବିକ ହୋଇଥିଲା। ସାଢ଼େ ୧୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବା ପରେ ପୁଣି ଚିତାଲାଗି ପାଇଁ ଅପରାହ୍ଣ ୩ଟା ୫୦ରୁ ଜୟବିଜୟ ଦ୍ବାର ବନ୍ଦ ସହ ସର୍ବସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ପୂଜାପଣ୍ଡା ସାମନ୍ତ ଗଣମାଧ୍ୟମରେ ଆଗରେ ଯୁକ୍ତି ବାଢ଼ିଛନ୍ତି କି ସ୍ବତ୍ବଲିପିରେ ଏହି ମହାସ୍ନାନ ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି। ପୂଜାପଣ୍ଡା ସେବକ ଜୟବିଜୟ ଦ୍ବାର ତଳେ ପାହାଚରେ ପୂଜା କରିବା ସମୟରେ ଜୟବିଜୟ ଦ୍ବାର ପାହାଚରେ କୌଣସି ଲୋକ ପାଦ ଦେବା ମନା। ଯଦି କୌଣସି ବ୍ୟକ୍ତି ଅଜାଣତରେ ପାଦ ପକାଇ ଦିଏ, ତେବେ ସେହି ପୂଜା ମାରା ହେବ ଓ ସେଠାରେ ମହାସ୍ନାନ ହୋଇ ପୁନର୍ବାର ପୂଜା ହେବ। ଅପରପକ୍ଷେ ଗାରଦରେ ଥିବା ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଆଜି ବହୁ ସମୟ ନୀତି ବନ୍ଦ ରହିଥିଲା ବୋଲି ଶ୍ରୀ ପୂଜାପଣ୍ଡା ସାମନ୍ତ ଅଭିଯୋଗ କରିଛନ୍ତି।