ଶିବ ଲିଙ୍ଗ କଡ଼ରେ ନାଗ ଲୁଚିଥିଲା, ପୂଜା ବେଳେ ସାପ ‌ଚୋଟରେ ପୂଜକ ମୃତ

ବାଲିଶଙ୍କରା : ସୁନ୍ଦରଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ସୁଖା ମହାଦେବ ମନ୍ଦିର ପରିସରରେ ଶିବଙ୍କୁ ଅର୍ଘ୍ୟ ଅର୍ପଣ କଲା ବେଳେ ନାଗ ସାପ କାମୁଡ଼ିବାରୁ ପୂଜକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ବାଲିଶଙ୍କରା ସମେତ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ସୁଖା ମହାଦେବ ମନ୍ଦିର ପୂଜକ ରୂପନ ଷଣ୍ଢ (୬୨) ସବୁ ଦିନ ଭଳି ଆଜି ସକାଳେ ମନ୍ଦିର ଖୋଲି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ସେ ଶିବ ଲିଙ୍ଗରେ ଫୁଲ, ବେଲପତ୍ର ଅର୍ପଣ କରୁଥିବା ବେଳେ କଡ଼ରେ ଲୁଚି ରହିଥିବା ଏକ ନାଗ ସାପ ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା। ସାପଟି ଏତେ ‌ଜୋର୍‌ରେ କାମୁଡ଼ିଥିଲା ଯେ ପୂଜକଙ୍କ ହାତରୁ ମାଂସ ଖଣ୍ଡେ ଟାଣି ନେଇଥିଲା। ସାପଟି କାମୁଡ଼ିବା ଦୃଶ୍ୟ ଦେଖି ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଚିକିତ୍ସା ପାଇଁ ପୂଜକଙ୍କୁ ସୁନ୍ଦରଗଡ଼ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର