ନାଟ୍ୟ ନିର୍ଦ୍ଦେଶକ ପୁଲିନ୍‌ ବିହାରୀ ମାନସିଂହଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ନାଟ୍ୟସଂଘର ଉପଦେଷ୍ଟା ତଥା ଆଗଧାଡ଼ିର ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟସଂଗଠକ ପୁଲିନ୍ ବିହାରୀ ମାନସିଂହଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ତାଙ୍କର ଦେହାନ୍ତ ଖବର ପାଇ ଓଡ଼ିଶା ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ଶ୍ରୀ ମାନସିଂହ ଜଣେ ବଳିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଦକ୍ଷ ନାଟ୍ୟ ସଂଗଠକ ଭାବରେ ସାରା ଓଡ଼ିଶାରେ ସୁପରିଚିତ। କଳିଙ୍ଗ କଳା ପରିଷଦ ରାଉରକେଲା ନାଟ୍ୟ ସଂସ୍ଥାର ସେ ଅନ୍ୟତମ ପ୍ରତିଷ୍ଠାତା। ଦୀର୍ଘ ୫୦ବର୍ଷ ଧରି ଓଡ଼ିଆ ମଂଚ ନାଟକର ଉନ୍ନତି ପାଇଁ ସେ ବହୁ କାମ କରିଛନ୍ତି। ଶତାଧିକ ନାଟକରେ ନିର୍ଦ୍ଦେଶନା ଦେଇ ତଥା କଳିଙ୍ଗ କଳା ପରିଷଦ ମାଧ୍ୟମରେ ପ୍ରତିବର୍ଷ ଶିଶୁ ନାଟକ ମହୋତ୍ସବ ଆୟୋଜନ କରି ଶତାଧିକ କଳାକାର ସୃଷ୍ଟି କରିଛନ୍ତି। ଏହାସହ ଶହଶହ ଛାତ୍ରଛାତ୍ରୀଙ୍କୁ ନାଟ୍ୟମନସ୍କ କରିବା ଦିଗରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ନେତୃତ୍ୱରେ ରାଉରକେଲାର୨୪ଟି ନାଟ୍ୟାନୁଷ୍ଠାନର ସଦସ୍ୟମାନେ ଏକାଠି ହୋଇ ‘ଏକତ୍ର ରାଉରକେଲା’ ନାମରେ ଅନୁଷ୍ଠାନ ଗଠନ କରିଥିଲେ, ଯାହାର ସଭାପତି ପଦମଣ୍ଡନ କରି ନାଟ୍ୟକର୍ମୀମାନଙ୍କୁ ସଦାସର୍ବଦା ସେ ଦିଗ୍‌ଦର୍ଶନ ଦେଉଥିଲେ। ସେ ଓଡ଼ିଶା ନାଟ୍ୟସଂଘର ଜଣେ ବରିଷ୍ଠ ଉପଦେଷ୍ଟା ଥିଲେ। ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମଧୁର ବଚନ ପାଇଁ କେବଳ ନାଟ୍ୟ ଜଗତ ନୁହେଁ, ଶିକ୍ଷା, ସାମ୍ବାଦିକତା କ୍ଷେତ୍ରରେ ଏବଂ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନଙ୍କ ନିକଟରେ ଆଦରର ପାତ୍ର ହୋଇପାରିଥିଲେ। ତାଙ୍କର ଅବର୍ତମାନରେ ଓଡ଼ିଶା ନାଟ୍ୟଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ‘ଓଡ଼ିଶା ନାଟ୍ୟ ସଂଘ’ ଓ ‘ଏକତ୍ର ରାଉରକେଲା’ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର