ମାଲକାନଗିରି: ବିଦ୍ୟୁତ୍ ଅଭାବକୁ ମେଣ୍ଟାଇବା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିମନ୍ତେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ପ୍ରକଳ୍ପ। କେନ୍ଦ୍ର ସରକାର ଏବଂ ଓଡ଼ିଶା ନବୀକରଣ ଯୋଗ୍ୟ ଶକ୍ତି ନୀତି-୨୦୨୨ ଅନୁସାରେ କେନ୍ଦ୍ର ସରକାରଙ୍କ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସ୍ପି)କୁ ଅନୁମୋଦନ ମିଳିଛି। ଏଥିପାଇଁ ବାଲିମେଳା ନିକଟ ଖଡ଼ିକାଯୋଡ଼ି ନାଳରେ ଓଡ଼ିଶା ହାଇଡ୍ରୋ ପାଵାର କର୍ପୋରେସନ୍ ପକ୍ଷରୁ ୫୦୦ ମେଗାଵାଟ ବିଶିଷ୍ଟ ପମ୍ପ୍ଡ ଷ୍ଟୋରେଜ ପ୍ରକଳ୍ପ ସ୍ଥାପନ ହେବ ବୋଲି ସୂଚନା ମିଳିଛି। ପ୍ରକଳ୍ପ ମାଧ୍ୟମରେ ବାର୍ଷିକ ୧୦୯୫ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି।
ପ୍ରସ୍ତାବିତ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ (ପିଏସ୍ପି)ରେ ବାଲିମେଳା ଜଳଭଣ୍ଡାରକୁ ଉପର ଜଳଭଣ୍ଡାର ଭାବେ ବ୍ୟବହାର କରାଯିବ। ଖଡ଼ିକାଯୋଡ଼ି ନାଳରେ ନୂତନ ଜଳଭଣ୍ଡାର ନିର୍ମାଣ କରି ତାହାକୁ ତଳ ଭଣ୍ଡାର ଭାବେ ବ୍ୟବହାର କରାଯିବ। ଉପର ଜଳଭଣ୍ଡାରରୁ ତଳ ଭଣ୍ଡାରକୁ ଜଳ ଆସିବା ପରେ ପୁନଶ୍ଚ ପମ୍ପ୍ ଜରିଆରେ ପାଣିକୁ ଉପରକୁ ପଠାଯିବ। ଯାହା ପୁନଃ ବ୍ୟବହାର ଉପଯୋଗୀ ହୋଇ ବିଦ୍ୟୁତ୍ ଉତ୍ପାଦନ କରିବ। ଏହି ପ୍ରକ୍ରିୟା ସୌରଶକ୍ତି ଆଧାରିତ ହେବ। ଅର୍ଥାତ ସୌରଶକ୍ତି ଦ୍ବାରା ପମ୍ପ କାର୍ଯ୍ୟ କରିବ। ଓଡ଼ିଶାର ନବୀକରଣ ଯୋଗ୍ୟ ଶକ୍ତି ନୀତି ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଭାୟାବିଲିଟି ଗ୍ୟାପ୍ ପାଣ୍ଠି (ଭିଜିଏଫ୍) ବ୍ୟବସ୍ଥା କରାଯାଇଛି। ଉକ୍ତ ପ୍ରକଳ୍ପରେ ଦୁଇଟି ୟୁନିଟ୍ ରହିବ। ପ୍ରତି ୟୁନିଟ୍ରୁ ୨୫୦ ମେଗାଵାଟ ବିଦ୍ୟୁତ୍ ଉତ୍ପାଦନ କରାଯିବ।
ଅଭାବ ମେଣ୍ଟାଇବ ଖଡ଼ିକାଯୋଡ଼ି ପ୍ରକଳ୍ପ
ବାର୍ଷିକ ୧୦୯୫ ନିୟୁତ ୟୁନିଟ୍ ଉତ୍ପାଦନ ଲକ୍ଷ୍ୟ
ବାଲିମେଳା ହାଇଡ୍ରୋ ପାଵାର ପ୍ରୋଜେକ୍ଟ ବର୍ତ୍ତମାନ ୫୧୦ ମେଗାଵାଟ ବିଦ୍ୟୁତ୍ ଉତ୍ପାଦନ କରୁଛି। ବାଲିମେଳାରେ ଥିବା ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପର ହାରାହାରି ବାର୍ଷିକ ଶକ୍ତି ଉତ୍ପାଦନ ୧୧୮୩ ମିଲିୟନ୍ ୟୁନିଟ୍ ରହିଥିବା ବେଳେ ପମ୍ପ୍ଡ ଷ୍ଟୋରେଜ୍ ପ୍ରୋଜେକ୍ଟ ବାର୍ଷିକ ୧୦୯୫ ମିଲିୟନ୍ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିବ। ଭୁବନେଶ୍ୱର ଓଏଚ୍ପିସି ଲିମିଟେଡ୍ କର୍ପୋରେଟ୍ ଅଫିସ୍ ନିର୍ଦ୍ଦେଶକ (ଅପରେସନ୍) ଆଶିଷ କୁମାର ମହାନ୍ତିଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପରେ ଖଡ଼ିକାଯୋଡ଼ି ନାଳର ନିମ୍ନ ଜଳଭଣ୍ଡାର ନିକଟରେ ଏକ ଭୂତଳ ବିଦ୍ୟୁତ୍ ଘର ରହିବ। ଯେଉଁଠି ଦୁଇଟି ୨୫୦ ମେଗାଵାଟ୍ କ୍ଷମତା ବିଶିଷ୍ଟ ଜଳ ୟୁନିଟ୍ ରହିବ। ଟିଏଚ୍ଡିସି ଇଣ୍ଡିଆ ଲିମିଟେଡ୍ ଏହି ପ୍ରକଳ୍ପର ପରାମର୍ଶଦାତା ରହିଛି। ପ୍ରକଳ୍ପର ଡିଆର୍ପି ପ୍ରସ୍ତୁତ କରିବା ପାଇଁ ଜଳ ଏବଂ ଶକ୍ତି ପରାମର୍ଶ ସେବା (ଡବ୍ଲୁଏପି-ସିଓଏସ୍) ଲିମିଟେଡ୍ ନିୟୋଜିତ ହୋଇଛି। ବାଲିମେଳା ଜଳଭଣ୍ଡାରକୁ ଉପର ଜଳଭଣ୍ଡାର ଏବଂ ଖଡ଼ିକାଯୋଡ଼ି ନାଳରେ ନୂତନ ନିମ୍ନ ଜଳଭଣ୍ଡାର ନିର୍ମାଣ କରାଯିବା ସହ ପମ୍ପ୍ ବ୍ୟବସ୍ଥା ହେବ। ଜଳ ସଂରକ୍ଷଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/28/pPDhgJ4dBMsnPM1rCY8P.jpg)