ବିଲରେ ଗଡୁଛି ବୋଇତାଳୁ, ବିକ୍ରି ନାହିଁ

କାଳିଆପାଣି: ରାସ୍ତାକଡ଼ରେ ବୋଇତାଳୁ କ୍ଷେତ। ବିଲରେ ଗଡ଼ୁଥିବା ବୋଇତାଳୁ ଦେଖି ବାଟୋଇ ଅଟକି ଯାଉଛି। ହେଲେ ବିକ୍ରି ହେଉନଥିବାରୁ ବିଚରା ଚା‌ଷୀ ମୁଣ୍ଡରେ ହାତଦେଇ ବସିଛି। ଏଭଳି ଅବସ୍ଥା ସୁକିନ୍ଦା ତହସିଲ ଅଧୀନ ଅତ୍ତା ଗାଁରେ ଦେଖିବାକୁ ମିଳିଛି।

ଅତ୍ତା-ବର୍ତ୍ତଣ୍ଡା ସଡ଼କ କଡ଼ରେ ବୋଇତାଳୁ ଚାଷକରି ଏବର୍ଷ ଠକି ଯାଇଛନ୍ତି ଅତ୍ତା ଗାଁର ରବୀନ୍ଦ୍ର କୁମାର ପଣ୍ଡା। ଭୁବନେଶ୍ବର ନିର୍ବାଚନ କମିସନ କାର୍ଯ୍ୟାଳୟରେ ଚାକିରି କରୁଥିବା ଶ୍ରୀ ପଣ୍ଡା ୨ ବର୍ଷ ତଳେ କରୋନାରେ ଗାଁରେ ବସି ରହିଥିବା ସମୟରେ ବୋଇତାଳୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ହାଇବ୍ରିଡ୍‌ ଅର୍ଜୁନ ଓ ବୋଇତବାଟି କିସମର ମଞ୍ଜି କିଣି ୨୧ ଗୁଣ୍ଠ ଜମିରେ ବୋଇତାଳୁ ଚାଷ କରିଥିଲେ। ସେବର୍ଷ ‌ସେ ୧୭ ରୁ ୧୮ ହଜାର ଟଙ୍କା ଲାଭ କରିଥିଲେ। ଏବର୍ଷ ସେ ୫ ଶହ ଟଙ୍କାରେ ଅର୍ଜୁନ କିସମ ମଞ୍ଜି ଓ ୩ ଶହ ଟଙ୍କାରେ ବୋଇତବାଟି ମଞ୍ଜି କିଣି ଲଗାଇଥିଲେ। କିରାସିନି ଦର ଅଧିକ ଥିବାରୁ କେବଳ ପାଣିମଡ଼ାରେ ତାଙ୍କର ୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଖତସାର ଓ ମଜୁରି ମିଶାଇ ମୋଟ ୧୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଶ୍ରୀ ପଣ୍ଡା କହନ୍ତି।

ଏହା ବ୍ୟତୀତ ସେ ନିଜେ ଓ ବାଣିଜ୍ୟ ସ୍ନାତକ ଡିଗ୍ରିଧାରୀ ତାଙ୍କ ପୁଅ ରାଜାରାମ କ୍ଷେତରେ ପରିଶ୍ରମ ଏବଂ ଜଗାରଖା କାର୍ଯ୍ୟ କରୁଛନ୍ତି। ହେଲେ ଏବେ ସୁକିନ୍ଦାରେ ବେପାରୀଙ୍କ ଦେଖା ମିଳୁନି। ଗାଁ ଠାରୁ ୧୫ କିଲୋମିଟର ଦୂର ଢେଙ୍କାନାଳ ଜିଲ୍ଲା ଭୁବନ ଗାଁରେ ଯୋଗାଯୋଗ କରିବାରେ ବେପାରୀ ଏହାର କିଲୋ ପ୍ରତି ୪ ରୁ ୬ ଟଙ୍କା କହୁଛନ୍ତି। ତାହା ପୁଣି ବେପାରୀ ପାଖରେ ପହଞ୍ଚାଇବା ପରେ। ତାଙ୍କ ଘରେ ଏବେ ୩୫ କୁଇଣ୍ଟାଲରୁ ଅଧିକ ବୋଇତାଳୁ ରହିଛି। ଜମିରେ ମଧ୍ୟ ସମାନ ପରିମାଣର ପାଚିଲା ବୋଇତାଳୁ ଗଡ଼ୁଛି। ଗାଁରେ କେହି ଏହାକୁ କିଣୁ ନାହାନ୍ତି। ନଷ୍ଟ ହେବା ଭୟରେ କିଛି ବୋଇତାଳୁକୁ କାଟି ଖଣ୍ଡଖଣ୍ଡ କରି ଗାଁରେ ପାଖ ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କୁ ବଣ୍ଟାବଣ୍ଟି ଚାଲିଛି। ମାସେ ୨ ମାସ ମଧ୍ୟରେ ଏସବୁ ପଚିଶଢ଼ି ଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଗ‌ାଁର ଅନ୍ୟ ୪ ଜଣ ଚାଷୀ ଭରତ ନାୟକ, ରାମଚନ୍ଦ୍ର ରାଉତ, କଳାକର ମଳିକ ଓ ନାଥ ରାଉତଙ୍କ ସମେତ ୫୦ ରୁ ଅଧିକ ବୋଇତାଳୁ ଚାଷୀଙ୍କର ମଧ୍ୟ ସମାନ ଅବସ୍ଥା ବୋଲି ଅଭିଯୋଗ ହୋଇଛି। ଜିଲ୍ଲାରେ ଶୀତଳ ଭଣ୍ଡାର ଥିଲେ ସାମାନ୍ୟ ଆଶ୍ବସ୍ତି ଥା’ନ୍ତା ବୋଲି ଏହି ଚାଷୀମାନେ କହନ୍ତି। ଏସଂପର୍କରେ ବିଭାଗୀୟ ଓଭରସିଅର ଅନୁସୟା ସାହୁଙ୍କୁ ‌ଯୋଗାଯୋଗ କରିବାରେ ସମସ୍ୟା ସମାଧାନ ଦିଗରେ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର