ବାଲେଶ୍ବର (ବିରଞ୍ଚି ନାରାୟଣ ଖୁଣ୍ଟିଆ): ବାଲେଶ୍ବର ଜିଲ୍ଲାର ରେମୁଣା ହେଉଛି ପୌରାଣିକ କିଂବଦନ୍ତିର ସ୍ଥାନ। ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ଜିଉ ରେମୁଣାର ପରିଚୟ ହୋଇଥିଲେ ସୁଦ୍ଧା ଗୁପ୍ତ ବୃନ୍ଦାବନ, ଭକ୍ତ ମାଧବେନ୍ଦ୍ରପୁରୀ ମଠ, ରାମଚଣ୍ଡୀ ମନ୍ଦିର, ମାଧବେନ୍ଦ୍ର ଗୌଡ଼ୀୟ ମଠ, ଗୋକର୍ଣ୍ଣେଶ୍ବର ଶୈବପୀଠ ଓ ପବିତ୍ର ସପ୍ତଶରା ନଦୀ ରେମୁଣା ମାଟିର ଅନ୍ୟତମ ଐତିହ୍ୟ। ପଞ୍ଚତୀର୍ଥ ରେମୁଣାକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣିତ ହୋଇଛି। ହେଲେ ସପ୍ତଶରା ନଦୀର ସ୍ବତନ୍ତ୍ରତା କିଛି ଭିନ୍ନ। ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରୁ ଅନତି ଦୂରରେ ଏହି ନଦୀର ଉତ୍ପତ୍ତି। ବିଡ଼ମ୍ବନା ହେଉଛି, ପୁରାଣ ବର୍ଣ୍ଣିତ ସପ୍ତଶରା ନଦୀ ଆଜି ତାର ଅସ୍ତିତ୍ବ ହରାଇ କେବଳ ଏକ ଛୋଟ ନାଳରେ ସୀମିତ ରହିଯାଇଛି।

Advertisment

ଦିନ ଥିଲା ସପ୍ତଶରାରେ ବୁଡ଼ ପକାଇବାକୁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟୁଥିଲା। ସ୍ଥାନୀୟ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟରୁ ବାହାରିଥିବା ଏହି ନଈ ବଳଗହିରା, କାଠସଙ୍ଗଡ଼ା ଦେଇ ସୋନ ନଦୀ, ଗଙ୍ଗାହାର ନଦୀ ଓ ବୁଢ଼ାବଳଙ୍ଗ ନଦୀ ଦେଇ ମିଶୁଥିଲା ମହୋଦଧିରେ। ପଞ୍ଚଶଖା ତ୍ରିବେଣୀ ସଙ୍ଗମ ଭାବେ ପରିଚିତ ସପ୍ତଶରାରେ ବୁଡ଼ ପକାଇବାକୁ ବିଭିନ୍ନ ପର୍ବପର୍ବାଣୀରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା। ଏହାଛଡ଼ା ସ୍ଥାନୀୟ ଲୋକେ ସପ୍ତଶରା ନଦୀଜଳରେ ଚାଷବାସଠାରୁ ଆରମ୍ଭ କରି ବିଭିନ୍ନ ବାଟରେ ଉପକୃତ ହେଉଥିଲେ। ବ୍ରିଟିସ୍‌ ଅମଳରେ ବଣିକମାନେ ସପ୍ତଶରା ଜଳପଥ ଦେଇ ବିଦେଶକୁ ବଣିଜ ପାଇଁ ଯିବାର ମଧ୍ୟ ଦୃଷ୍ଟାନ୍ତ ରହିଛି। ତେବେ କାଳକ୍ରମେ ନଦୀର ଦୁଇ ପାର୍ଶ୍ବରେ ଜନବସତି ବୃଦ୍ଧି ପାଇବାରୁ ଓ ମୁଖ୍ୟନଦୀ ପୋତା ପଡ଼ିବାରୁ ସପ୍ତଶରାରେ ଜଳପ୍ରବାହ ବନ୍ଦ ହେବାକୁ ଲାଗିଲା। ପରେ ନଦୀପଠାକୁ ଲୋକେ ଚାଷଜମି ଭାବେ ବ୍ୟବହାର କରିବା ଆରମ୍ଭ କଲେ। ଏବେ କ୍ଷୁଦ୍ର ପାଣିନାଳକୁ ଛାଡ଼ିଦେଲେ ନଦୀ ପ୍ରାୟ ନାହିଁ କହିଲେ ଚଳେ। ବର୍ଷ ବର୍ଷ ଧରି ପୁନରୁଦ୍ଧାର କରାନଯିବାରୁ ନଈଟି ବର୍ତ୍ତମାନ ଧାନବିଲ ଭିତରେ ବିଲୀନ ହେବାକୁ ବସିଛି।

publive-image

ସପ୍ତଶରାକୁ ନେଇ ପୁରାଣରେ ମଧ୍ୟ କିମ୍ବଦନ୍ତି ରହିଛି। କୁହାଯାଏ, ତ୍ରେତୟା ଯୁଗରେ ରମ୍ୟ ରେମୁଣାର ଗୁପ୍ତ ବୃନ୍ଦାବନ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବନବାସରେ ଥିବାବେଳେ ମା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ପ୍ରଭୁ ରାମଚନ୍ଦ୍ର ଏଠାକୁ ଆସିଥିଲେ। ବଣରେ ମା ସୀତା ରଜବତୀ ହେବାରୁ ସ୍ନାନ ପାଇଁ ପାଣିର ଆବଶ୍ୟକତା ପଡ଼ିଥିଲା। ଘଞ୍ଚ ଜଙ୍ଗଲରେ ପାଣିର ସନ୍ଧାନ ନ ମିଳିବାରୁ ନିଜ ଧନୁରେ ୭ଟି ଶର ବିନ୍ଧି ପାତାଳରୁ ଜଳଧାରା ବାହାର କରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର। ସେବେଠାରୁ ଏହା ନଦୀ ଭାବେ ପ୍ରବାହିତ ହେବା ସହିତ ସପ୍ତଶରା ନାଁରେ ନାମିତ ହୋଇଥିଲା। ପ୍ରାଚୀନ ଐତିହ୍ୟ ବହନ କରୁଥିବା ଏହି ନଈର ପୁନରୁଦ୍ଧାର ପାଇଁ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକେ ଅନେକଥର ସ୍ବର ଉଠାଇଛନ୍ତି। ହେଲେ କିଛି ସୁଫଳ ମିଳିନି। କିଛି ମାସ ତଳେ ତତ୍କାଳୀନ ୫-ଟି ସଚିବଙ୍କ ଗସ୍ତ ସମୟରେ ଏହାର ପୁନରୁଦ୍ଧାର ପାଇଁ ଦାବି କରିଥିଲେ କ୍ଷୀରଚୋରା ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀ। ସରକାର ଏଥିପାଇଁ ‘ମୋ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ୩ କୋଟି ଟଙ୍କା ମଞ୍ଜୁର କରିଥିଲେ। ତେବେ ଏତେ କମ୍ ଅନୁଦାନରେ ମନ୍ଦିର ରୂପାନ୍ତରୀକରଣ ସହିତ ସପ୍ତଶରାର ପୁନରୁଦ୍ଧାର ସମ୍ଭବ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ। ସେ ଯାହା ହେଉ, ଐତିହ୍ୟ ବହନକାରୀ ମୃତପ୍ରାୟ ଏହି ସପ୍ତଶରା ନଦୀକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ଜିଲ୍ଲାବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।