ସରକାରୀ କାର୍ଯ୍ୟାଳୟରେ ସକାଳ ନ’ଟାରେ ବି ବାବୁଙ୍କ ପାଦ ପଡ଼ୁନି, ଜନତା ହିନସ୍ତା, ଅଧିକାରୀ ଦେଖୁଛନ୍ତି ନିଜ ସୁବିଧା

ନୟାଗଡ଼ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଅବଧି ସକାଳୁଆ କରାଯାଇଛି। ସକାଳ ୭ଟାରେ ଅଫିସ୍ ଆସିବା ସମୟ ହୋଇଥିବା ବେଳେ ଅପରାହ୍ଣ ୧ଟାରେ କାର୍ଯ୍ୟ ଶେଷର ସମୟ ରହିଛି। କିନ୍ତୁ ନୟାଗଡ଼ ଜିଲ୍ଲାରେ ଏହି ନିୟମକୁ ଉପରିସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ କେହି ବି ପାଳନ କରୁନଥିବା ଦେଖାଯାଇଛି।

ଅନ୍ୟାନ୍ୟ କାର୍ଯ୍ୟାଳୟ କଥା ଦୂରେ ଥାଉ ଖୋଦ୍‌ ଜିଲ୍ଲା ପ୍ରଶାସନର ମସ୍ତିଷ୍କ କୁହାଯାଉଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଧିକାରୀମାନେ ମଧ୍ୟ ନିର୍ଦ୍ଧା‌ରିତ ସମୟରେ ଆସୁନଥିବା, ଆଜି ସକାଳୁ ଆମେ ବୁଲି ଦେଖିଥିଲୁ। ସକା‌ଳ ୯ଟା ନ ବାଜିଲେ ବାବୁଙ୍କ ପାଦ ଅଫିସ୍‌ରେ ପଡ଼ୁନଥିବା ବେଳେ, ଖରାକୁ ଡରି କୌଣସି କାର୍ଯ୍ୟରେ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଲୋକମାନେ ହିନସ୍ତା ହେଉଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗରେ ଦିନ ଆଠଟା ସୁଦ୍ଧା ବି ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଆଉ କେଉଁଠି ଅଫିସ୍ ଖୋଲା ଥିଲା, ହେଲେ ଚେୟାର୍‌ ଫାଙ୍କା ପଡ଼ିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ବିଭିନ୍ନ ବିଭାଗର ଡେପୁଟି କଲେକ୍ଟର୍‌ଙ୍କ କାର୍ଯ୍ୟ‌ାଳୟ ସବୁ ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସକାଳ ୮ଟା ୧୫ ମିନିଟ୍ ସୁଦ୍ଧା ମଧ୍ୟ ତାଲା ପଡ଼ିଥିବା ଦେଖା ଯାଇଥିଲା। ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ କେହି ତଳିଆ କର୍ମଚାରୀ ବସିଥିବା ବେଳେ ଅନ୍ୟ ସମସ୍ତ ଚେୟାର୍‌ ଫାଙ୍କା ପଡ଼ିଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଠାରୁ ଆରମ୍ଭ କରି ନୟାଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ବୁଲି ଦେଖିବା ବେଳେ କୌଣସି ବିଭାଗର ଅଧିକାରୀମାନେ ସକାଳ ୮ଟା ସୁଦ୍ଧା ଆସିନଥିବା ଦେଖାଯାଇଥିଲା। ପିଡିଙ୍କ ଚ୍ୟାମ୍ବର୍‌ରେ କେହି ନଥିବା ବେଳେ, ‘ସାର୍’ କେତେବେଳେ ଆସିବେ ବୋଲି ବୁଝିବା ପାଇଁ ମଧ୍ୟ ସେଠାରେ କେହି କର୍ମଚାରୀ ଉପସ୍ଥିତ ନଥିଲେ। ନୟାଗଡ଼ ବିଡିଓଙ୍କ ପ୍ରକୋଷ୍ଠ ଖାଲିପଡ଼ିଥିବା ବେଳେ, ପିଅନଙ୍କୁ ପଚାରିବାରୁ, ‘‘ସାର୍ କେତେବେଳେ ଆସିବେ ଜାଣି ନାହିଁ’’ ବୋଲି ଉତ୍ତର ମିଳିଥିଲା।

ଖରାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧା ପାଇଁ ସରକାର ସକାଳୁଆ ଅଫିସ୍ କରିଥିବା ବେଳେ ବାବୁମାନେ କିନ୍ତୁ ନିଜ ସୁବିଧା ଦେଖି ଅଫିସ୍ ଆସୁଛନ୍ତି। ୭ଟାରେ ଅଫିସ୍ ଥିବା ବେଳେ ସାଢ଼େ ଆଠଟା, ନଅଟା ପରେ ଅଫିସ୍ ଆସୁଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ତଳିଆ କର୍ମଚାରୀ କହିଛନ୍ତି, ଏହି କାର୍ଯ୍ୟାଳୟର ବଡ଼ ବାବୁମାନେ ତ ନିର୍ଦ୍ଧାରିତ ସମୟରେ ଆସୁନାହାନ୍ତି। ଆଉ ତଳିଆ କର୍ମଚାରୀମାନେ କ’ଣ ପାଇଁ ଆଗୁଆ ଆସିବେ? ଛୋଟଠାରୁ ବଡ଼ କର୍ମଚାରୀ ସମସ୍ତେ ତ ବିଳମ୍ବରେ ଆସୁଛନ୍ତି। ତେଣୁ ବଡ଼ କର୍ମଚାରୀ ଆଉ ଛୋଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଭୟ ନାହିଁ। ଏହି ପରିପ୍ରେକ୍ଷୀରେ ଜନତାଙ୍କ କାର୍ଯ୍ୟ କରିବା ପାଇଁ ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ନେଉଥିବା ଅଧିକାରୀ କେତେ କର୍ତ୍ତବ୍ୟ ପରାୟଣ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ, ଜନସାଧାରଣଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର